ଭଡ଼ା ପାଇଁ ବୁର୍ଲାରେ ରୋଗୀଙ୍କୁ ଆମ୍ବୁଲାନ୍ସରେ ବନ୍ଧକ ଘଟଣା : ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ବୁର୍ଲାରେ ନୂଆପଡ଼ା ଏଡିଏମ୍‌ଓଙ୍କ ତଦନ୍ତ

ସମ୍ବଲପୁର : ଗତ ମେ’ ୨ ତାରିଖରେ ଆମ୍ବୁଲାନ୍ସ ଭଡ଼ା ଟଙ୍କା କମି ଯିବାରୁ ଜଣେ ରୋଗୀଙ୍କୁ ନୂଆପଡ଼ାରୁ ଫେରାଇ ଆଣି ବୁର୍ଲାରେ ଆମ୍ବୁଲାନ୍ସ ମଧ୍ୟରେ ରାତିତମାମ୍‌ ବନ୍ଧକ ରଖିବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନଙ୍କଠାରେ ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣାର ରିପୋର୍ଟ ଦାଖଲ ପାଇଁ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ନୂଆପଡ଼ା ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଶନିବାର ନୂଆପଡ଼ା ଏଡିଏମ୍‌ଓ ଡା.ବିନୋଦ ବିହାରୀ ରଥ ବୁର୍ଲା ଆସି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କର ବୟାନ ରେକର୍ଡ କରିଥିଲେ। ଡା.ରଥଙ୍କ କହିବାନୁସାରେ, ପୁଲିସ୍‌ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚାଳକ ପ୍ରଦୀପ ପଟ୍ଟନାୟକ ଓ ମାଲିକ ଛୋଟେଲାଲ୍‌ ଗୁପ୍ତାକୁ ଗିରଫ କରିଥିଲା। ତେଣୁ ଶନିବାର ଅଭିଯୁକ୍ତ ଚାଳକ, ଆମ୍ବୁଲାନ୍ସ ମାଲିକ ଛୋଟେଲାଲ୍‌ ଗୁପ୍ତାର ବୟାନ ରେକର୍ଡ କରାଯାଇଥିବା ସମୟରେ ଓ ବୁର୍ଲା ପୁଲିସ୍‌ର ତଦନ୍ତ ସମ୍ପର୍କରେ ମଧ୍ୟ ପଚାରି ବୁଝିଛନ୍ତି। ଏନେଇ ସେ ସବି‌ଶେଷ ରିପୋର୍ଟ ଏନ୍‌ଏଚ୍‌ଆର୍‌ସିକୁ ପଠାଇବେ ବୋଲି କହିଛନ୍ତି।

ସ୍ମରଣଯୋଗ୍ୟ, ନୂଆପଡ଼ାର ତେଜେଶ୍ବର ମାଝୀ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିବା ପରେ ସେ ପ୍ରଦୀପ ପଟ୍ଟନାୟକଙ୍କ ଆମ୍ବୁଲାନ୍ସ ନେଇ ଘରକୁ ବାହାରିଥିଲେ। ସେ ପୂର୍ବରୁ ଅଗ୍ରୀମ ଦେଇଥିବା ସମୟରେ ଘରେ ପହଞ୍ଚିବା ପରେ ଟଙ୍କା ଯୋଗାଡ଼ ପାଇଁ ଯାଇଥିଲେ। କିନ୍ତୁ ଟଙ୍କା ଯୋଗାଡ଼ରେ ସାମାନ୍ୟ ବିଳମ୍ବ ହେବାରୁ ପ୍ରଦୀପ ରାଗି ଯିବା ସହ ଶ୍ରୀ ମାଝୀ, ତାଙ୍କ ସ୍ତ୍ରୀ ଓ ଶିଶୁପୁତ୍ରକୁ ଆମ୍ବୁଲାନ୍ସରେ ପୁନଃ ବସାଇ ଲକ୍‌ କରିଦେଇଥିଲା। ସେଠାରୁ ସେ ବାହାରିଯିବା ସହ ବୁର୍ଲା ଆସି ଏକ ଶୌଚାଳୟ ନିକଟରେ ଆମ୍ବୁଲାନ୍ସ ଛିଡ଼ା କରି ଘରକୁ ଚାଲି ଯାଇଥିଲା। ରାତିତମାମ୍‌ ଉକ୍ତ ପରିବାର ବର୍ଗ ଆମ୍ବୁଲାନ୍ସ ମଧ୍ୟରେ ବନ୍ଧକ ରହିଥିଲେ। ସକାଳୁ ଲୋକେ ଉକ୍ତ ଘଟଣା ସମ୍ପର୍କରେ ଜାଣିବାପରେ ଗାଡ଼ିରୁ ଉକ୍ତ ପରିବାରକୁ ଉଦ୍ଧାର କରିଥିଲେ। ପରେ ବୁର୍ଲା ଥାନାରେ ଏ ଏନେଇ ଏକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର