ଆଇସିୟୁରେ ଆମ୍ବୁଲାନ୍ସ: ୧୦୨ ସେବା ନାମକୁ ମାତ୍ର, ୧୦୮ କୁ ଜ୍ୱର

ପଡ଼ି ପଡ଼ି ଖରାପ ହୋଇଗଲା, ପାଇଲେ ବି ବ୍ୟବହାର ହେଉନି

ବଲାଙ୍ଗୀର:  ଆଇସିୟୁ ଭିତରେ ଆମ୍ବୁଲାନ୍ସ ସେବା। ସରକାରୀ ଆମ୍ବୁଲାନ୍ସ ଖତ ଖାଉଛି ତ ବେସରକାରୀ ଆମ୍ବୁଲାନ୍ସକୁ ତଡ଼ା ଯାଉଛି। ୧୦୮ ଆମ୍ବୁଲାନ୍ସ କେଉଁଠି ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଛି ତ ଆଉ କେଉଁଠି ୧୦୮ ଅଚଳ ହୋଇ ପଡ଼ିରହିଛି। ଏପଟେ ଜରୁରୀ ସମୟରେ ଆମ୍ବୁଲାନ୍ସ ନପାଇ ରୋଗୀ ଛଟପଟ ହେଉଛି। ଏଭଳି ଚିତ୍ର ବଲାଙ୍ଗୀର ଜିଲ୍ଲାର ସବୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି।

କୌଣସି ସିଏଚ୍‌ସିରେ ନୁହଁ କି ଡାକ୍ତରଖାନାରେ ନୁହେଁ, ଖୋଦ୍‌ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ତାଙ୍କ ବାସଭବନରେ ଅନେକ ମାସ ହେଲା ୫ଟି ଆମ୍ବୁଲାନ୍ସ ଖତ ଖାଉଛି। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ଡାକ୍ତରଖାନାରୁ ଆମ୍ବୁଲାନ୍ସକୁ କାଢ଼ି ଅଣାଯାଇଥିଲା। ତାହା ୧୦୨ ଆମ୍ବୁଲାନ୍ସ କରିବାକୁ ହସ୍ତାନ୍ତର କରିବାର ଥିଲା। ହେଲେ ତାହା ହସ୍ତାନ୍ତର ହୋଇନପାରି ଏବେ ଖତ ଖାଉଛି।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲାରେ ସମୁଦାୟ ୨୧ଟି ସରକାରୀ ଆମ୍ବୁଲାନ୍ସ ରହିଥିଲା। ସେସବୁ ସିଏଚ୍‌ସି, ସବ୍‌ଡିଭିଜନାଲ ହସ୍‌ପିଟାଲ ଓ ମୁଖ୍ୟାଳୟ ଡାକ୍ତରଖାନାରେ ରହିଥିଲା। ଗତ କିଛି ମାସ ତଳେ ମିସନ ଡାଇରେକ୍ଟରଙ୍କ ନିର୍ଦ୍ଦେଶକ୍ରମେ ୨୧ରୁ ୫ଟି ଆମ୍ବୁଲାନ୍ସକୁ ୧୦୨ ଆମ୍ବୁଲାନ୍ସ କରିବାକୁ ଯୋଜନା ହୋଇଥିଲା। ସେହିକ୍ରମରେ ବିଭିନ୍ନ ଡାକ୍ତରଖାନାରୁ ୫ଟି ଆମ୍ବୁଲାନ୍ସ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟକୁ ଆସିଥିଲା। ସେହି ଆମ୍ବୁଲାନ୍ସ ସବୁ ୧୦୨ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ନେବାକୁ କୁହାଯାଇଥିଲା। କିନ୍ତୁ, ସେମାନେ ତାହା ନେଇନଥିବା ଜଣାଯାଇଛି। ଯାହା ଫଳରେ ଚଳନ୍ତା ଅବସ୍ଥାରେ ଥିବା ସବୁ ଆମ୍ବୁଲାନ୍ସ ଏବେ ସିଡିଏମ୍‌ଓଙ୍କ ବାସଭବନଠାରେ ଥିବା ଖାଲି ସ୍ଥାନରେ ପଡ଼ିରହିଛି। ଆମ୍ବୁଲାନ୍ସଗୁଡ଼ିକରେ ଅକ୍ସିଜେନ ସିଲିଣ୍ଡର, ଷ୍ଟ୍ରେଚର ଆଦି ବି ଅଛି। ଆଉ କେତୋଟି କିଛି ନାହିଁ। କିନ୍ତୁ, ବହୁ ଦିନ ଧରି ପଡ଼ିରହିବା କାରଣରୁ ଗାଡ଼ିଗୁଡ଼ିକ ଖରାପ ହୋଇସାରିଲାଣି। ଏବେ ଗାଡ଼ିକୁ ଚଳାଇବାକୁ ହେଲେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଏହାରି ଭିତରେ ବଲାଙ୍ଗୀର ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିକିଜା ହେଲ୍‌ଥ କେୟାରକୁ ଏକ ଚିଠି କରାଯାଇଛି। ଯେଉଁଥିରେ ବେଆଇନ ଭାବ‌େ ୧୦୨ ଆମ୍ବୁଲାନ୍ସ ପାର୍କିଂ କରାଯାଇଥିବା କୁହାଯିବା ସହ ଜିକିଜା ହେଲ୍‌ଥ କେୟାର ଭୁବନେଶ୍ୱରକୁ ସବୁ ଆମ୍ବୁଲାନ୍ସକୁ ସେଠାରୁ ନେବାକୁ କୁହାଯାଇଛି। କିନ୍ତୁ ସେମାନେ ଆମ୍ବୁଲାନ୍ସକୁ ନେଉନଥିବା ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା କର୍ମଚାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାରେ ଘସିଏନ, ବେଲପଡ଼ା, ସିନ୍ଧେକେଲା ସିଏଚ୍‌ସିରେ ଆମ୍ବୁଲାନ୍ସ ନାହିଁ। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ତଥା ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ସରକାରୀ ଆମ୍ବୁଲାନ୍ସ ଗୋଟିଏ ମାତ୍ର ଅଛି। ଫଳରେ ବେସରକାରୀ ଆମ୍ବୁଲାନ୍ସ ଭରସାରେ ରୋଗୀ ରହୁଛନ୍ତି। ଯଦି ବେସରକାରୀ ଆମ୍ବୁଲାନ୍ସ ମୁଖ୍ୟ ଡାକ୍ତରଖାନାରେ ନଥାନ୍ତା ବହୁ ରୋଗୀ ହଇରାଣହରକତ ହେବେ ଏଥିରେ ସନ୍ଦେହ ନାହିଁ। ବିଭିନ୍ନ ସିଏଚ୍‌ସି ଓ ସବ୍‌ଡିଭିଜନାଲ ଡାକ୍ତରଖାନାରେ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସରେ କାମ ଚାଲିଛି। ପଡ଼ିରହିଥିବା ୫ଟି ଆମ୍ବୁଲାନ୍ସକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜିକିଜା ହେଲ୍‌ଥ କେୟାରକୁ ଦାୟୀ କରିଛି। ସେମାନେ ତାହା ସେଠାରୁ ନେଉନଥିବା କହିଛି। ଅନ୍ୟପଟେ ୧୦୨ ଦାୟିତ୍ୱରେ ଥିବା ସୁପର୍‌ଭାଇଜର ସୁରେଶ ନାୟକ କହିଛନ୍ତି, ଉକ୍ତ ଗାଡ଼ିଗୁଡ଼ିକ ତାଙ୍କ ଯୋଗଦେବା ପୂର୍ବରୁ ସେଠାରେ ପଡ଼ିରହିଛି। ଗାଡ଼ିର ଇନସ୍ୟୁରାନ୍ସ  ନାହିଁ। ସେହି ସମସ୍ୟା ପରେ ତାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯିବ। ଗାଡ଼ିଗୁଡ଼ିକ ଆଉ ଚାଲିବା ଅବସ୍ଥାରେ ନଥିବା ସେ କହିଛନ୍ତି।

୧୦୮ କୁ ଜ୍ୱର
ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ୨୨ଟି ରହିଛି। ସେସବୁ ଭିତରୁ ଗୋଟିଏ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିରହିଛି। ବହୁ ଦିନରୁ ସିଭିଲ କୋର୍ଟ ନିକଟସ୍ଥ ମିସନ କମ୍ପାଉଣ୍ଡରେ ପଡ଼ିରହିଛି। ସେହିପରି ବିଭିନ୍ନ ସମୟରେ ଲୋକେ ୧୦୮କୁ ଫୋନ୍‌ କଲେ ଉଚିତ ସେବା ପାଉନଥିବା ଅଭିଯୋଗ ହୁଏ। ବହୁ ସମୟରେ ୧୦୮ ଆମ୍ବୁଲାନ୍ସ ରାସ୍ତାରେ ଖରାପ ହୋଇ ପଡ଼ିରହୁଛି। ବୁଧବାର ୪ ତାରିଖ ଏକ ୧୦୮ ଆମ୍ବୁଲାନ୍ସ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା ପରିସରରୁ ବାହାରିଥିଲା। ଆମ୍ବୁଲାନ୍ସର ସାଇରନ ବାଜୁଥିଲା। କିନ୍ତୁ ତାହା କୌଣସି ଡାକ୍ତରଖାନାକୁ ଯାଉନଥିଲା। ବରଂ ସେହି ଆମ୍ବୁଲାନ୍ସକୁ ହିଁ ଜ୍ୱର ହେଉଥିଲା। ଏଣୁ ଆଉ ଏକ ଗାଡ଼ି ସାହାଯ୍ୟରେ ରଶି ବାନ୍ଧି ତାକୁ ଟାଣି ନିଆଯାଉଥିଲା। ୧୦୮କୁ ଜ୍ୱର ହୋଇଛି ବୋଲି ସହରରେ ଚର୍ଚ୍ଚା ଚାଲିଥିଲା। ହେଡ୍‌କ୍ୱାଟରରେ ମୋଟ ୩ଟି ୧୦୮ ରହିଥିବା କୁହାଯାଉଥିଲେ ହେଁ ତାହା ବହୁ ସମୟରେ ରୋଗୀଙ୍କୁ ସେବା ମିଳିନଥାଏ।

୧୦୨ ସେବା ନାମକୁ ମାତ୍ର
ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ସେବା ରହିଛି। ହେଲେ ଏହି ସେବା ଜିଲ୍ଲାରେ ଫେଲ୍‌ ମାରିଛି। ଆମ୍ବୁଲାନ୍ସ ମୋଟ ୧୭ଟି ରହିଛି। ଆହୁରି ମଧ୍ୟ ଆବଶ୍ୟକତା ରହିଛି। ହେଲେ ସବୁ ଅଂଚଳର ଲୋକେ ଉଚିତ ସେବା ପାଉ ନାହାନ୍ତି। କେଉଁ ଆମ୍ବୁଲାନ୍ସରେ କେତେ ଗର୍ଭବତୀ ମହିଳା ଓ ପ୍ରସୂତି ମହିଳା ହସ୍‌ପିଟାଲକୁ ଆସୁଛନ୍ତି ତାହାର ତଥ୍ୟ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖରେ ନାହିଁ। ଲୋକଦେଖାଣିଆ ୧୦୨ ଆମ୍ବୁଲାନ୍ସ ସେବା ଚାଲିଛି ବୋଲି ଅଭିଯୋଗ ଉଠୁଛି।

ବେସରକାରୀ ଆମ୍ବୁଲାନ୍ସକୁ ତଡୁଛନ୍ତି
ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ରୂପାନ୍ତରିତ ହୋଇଛି। ବହୁ ବର୍ଷ ହେଲା ୧୦ରୁ୧୨ଟି ବେସରକାରୀ ଆମ୍ବୁଲାନ୍ସ ଡାକ୍ତରଖାନା ପରିସରରେ ରହିଛି। ସେମାନେ ଜରୁରୀକାଳୀନ ସମୟରେ ଭଡ଼ାରେ ବୁର୍ଲା, କଟକ ଆଦି ସ୍ଥାନକୁ ରୋଗୀମାନଙ୍କୁ ନେଇଥାନ୍ତି। ଏବେ ମୁଖ୍ୟ ଡାକ୍ତରଖାନାରେ ୧୦୮ ଆମ୍ବୁଲାନ୍ସ ୩ଟି, ସରକାରୀ ଆମ୍ବୁଲାନ୍ସ ଗୋଟିଏ, ୧୦୨ ଆମ୍ବୁଲାନ୍ସ ୨ଟି ରହିଛି। ଏହାବାଦ୍‌ ଲାୟନ୍ସ କ୍ଲବ୍‌, ରୋଟାରୀ କ୍ଲବ୍‌, ମାରୱାଡ଼ି ଯୁବା ମଂଚର ଆମ୍ବୁଲାନ୍ସ ରହିଛି। ଏତିକି ଆମ୍ବୁଲାନ୍ସ ଛାଡ଼ିଲେ ଆଉ ନାହିଁ। ଫଳରେ ବାଧ୍ୟ ହୋଇ ରୋଗୀ ଘରୋଇ ଯାନବାହନ ଓ ବେସରକାରୀ ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛନ୍ତି। ଡାକ୍ତରଖାନାର ରୋଗୀ ସଂଖ୍ୟାକୁ ଦେଖିଲେ ଅଧିକ ଆମ୍ବୁଲାନ୍ସ ଦରକାର। ହେଲେ ତାହା ନାହିଁ। ବେସରକାରୀ ଆମ୍ବୁଲାନ୍ସର ଜଣେ ଡ୍ରାଇଭର ଶଶାଙ୍କ ଶେଖର ବାରିକ କହିଛନ୍ତି, ସରକାରୀ ଆମ୍ବୁଲାନ୍ସ ସଚଳ କରି ରୋଗୀଙ୍କୁ ସେବା ଯୋଗାଇବାକୁ ଉଦ୍ୟମ ହେଉ ନାହିଁ। ଯାହା ୧୦୮ ଆଉ ଅନ୍ୟ ଆମ୍ବୁଲାନ୍ସ ଅଛି ଜରୁରୀ ସମୟରେ ରୋଗୀ ପାଇପାରୁ ନାହାନ୍ତି। ଯଦି ସେମାନେ ଆମ୍ବୁଲାନ୍ସ ନଲଗାଇବେ ତାହେଲେ ରୋଗୀ ବହୁ ହଇରାଣହରକତ ହେବେ। ଏପଟେ ଜିଲ୍ଲା ପ୍ରଶାସନ ତାଙ୍କୁ ଡାକ୍ତରଖାନା ପରିସରରୁ ବାହାରିଯିବାକୁ ବାରମ୍ବାର ଧମକ ଦେଉଥିବା କହିଛନ୍ତି।

ପାଇଲେ ବି ବ୍ୟବହାର ହେଉନି
୨୦୧୮-୧୯ ବର୍ଷରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ବଲାଙ୍ଗୀର ଡାକ୍ତରଖାନାର ରୋଗୀଙ୍କ ସୁବିଧା ପାଇଁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଆସିଥିଲା। ୧୦ ଲକ୍ଷ ଟଙ୍କା ଅନୁଦାନରେ ଆସିଥିବା ଆମ୍ବୁଲାନ୍ସ ଏବେ ରାଧାରାଣୀପଡ଼ା ସେବାସଦନଠାରେ ରହିଛି। ତାହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ ସାମାଜିକ ଅନୁଷ୍ଠାନକୁ ଦିଆଯାଇଥିଲା। କିନ୍ତୁ କାଗଜପତ୍ର କିଛି ସମସ୍ୟା ଥିବାରୁ ତାହା ହୋଇପାରିନି। ଏବେ ଉକ୍ତ ଆମ୍ବୁଲାନ୍ସରେ ରୋଗୀ ଯାହା ସେବା ପାଇବା ଦରକାର ତାହା ପାଇପାରୁ ନାହାନ୍ତି। ଏହାକୁ ତୁରନ୍ତ ରୋଗୀଙ୍କ ସେବା ଉଦ୍ଦେଶ୍ୟରେ କିଭଳି ଆସିବ ସେ ନେଇ ବ୍ୟବସ୍ଥା କରିବାକୁ ଦାବି ହେଉଛି।

୧୦୮-୧୦୨ ସବୁ ଠିକ୍‌ ଚାଲିଛି: ସୁପରଭାଇଜର
ଲୋକଙ୍କ ଅଭିଯୋଗ ୧୦୮ ସେବା ଫେଲ୍‌ ମାରୁଛି। ଏପରିକି ୧୦୨କୁ ବି ନେଇ ନାନା ଅଭିଯୋଗ। କିନ୍ତୁ, ଦାୟିତ୍ୱରେ ଥିବା ସୁପରଭାଇଜର ସୁରେଶ ନାୟକ ସବୁ ଠିକ୍‌ଠାକ୍‌ ଚାଲିଛି ବୋଲି କହିଛନ୍ତି। ୧୦୮ ସେବା ସବୁ ସମୟରେ ଠିକ୍‌ ଥିବା ସେ କହିଛନ୍ତି। ଗୋଟିଏ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଛି। ଅନ୍ୟ ସବୁ ୧୦୮ ଠିକ୍‌ ଚାଲିଛି ବୋଲି ସେ କହିଛନ୍ତି। ୧୦୨ ସେବା ମଧ୍ୟ ଲୋକଙ୍କୁ ଠିକ୍‌ରେ ଯୋଗାଇଦିଆଯାଉଥିବା ସେ କହିଛନ୍ତି।

 

ସମ୍ବନ୍ଧିତ ଖବର