ବୁଗୁଡ଼ା : ଆମ୍ବୁଲାନ୍ସ୍କୁ ୬ ଘଣ୍ଟା ଜଗି ଛଟପଟ ହୋଇ ଜୀବନ ଗଲା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୬ ଘଣ୍ଟା କାଳ ଆମ୍ବୁଲାନ୍ସ୍ ଆସିବା ବାଟକୁ ଅପେକ୍ଷା କରି କେନାଲ୍ ସାହିର ନିରଞ୍ଜନ ବେହେରା (୬୦) ପ୍ରାଣ ହରାଇଛନ୍ତି।
ନିରଞ୍ଜନ ଗତକାଲିଠୁ ଅସୁସ୍ଥ ଥିଲେ। ଆଜି ସକାଳ ୧୧ଟାରେ ସେ ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ପରିବାରବର୍ଗ ତାଙ୍କୁ ବୁଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ତାଙ୍କୁ ଅକ୍ସିଜେନ୍ ଦେଇ ତୁରନ୍ତ ବ୍ରହ୍ମପୁର ନେଇଯିବାକୁ ପରାମର୍ଶ ଦେଇଥିଲେ। ଏହାପରେ ପରିବାରବର୍ଗ ୧୦୮ ଆମ୍ବୁଲାନ୍ସ୍ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଗାଡ଼ି ନାହିଁ ବୋଲି ଉତ୍ତର ମିଳିଥିଲା। ପରେ ସେମାନେ ୧୦୪ ଆମ୍ବୁଲାନ୍ସ୍କୁ ଫୋନ୍ କରିଥିଲେ। କିନ୍ତୁ ଉକ୍ତ ଆମ୍ବୁଲାନ୍ସ୍ରେ କେବଳ କରୋନା ପଜିଟିଭ୍ ରୋଗୀଙ୍କୁ ନିଆଯିବ ବୋଲି କହି ବ୍ୟକ୍ତିଜଣକ ଫୋନ୍ କାଟି ଦେଇଥିଲେ। ଏହାଭିତରେ ପାଖାପାଖି ୨ ଘଣ୍ଟା ବିତିଯାଇଥିବା ସହ ନିରଞ୍ଜନଙ୍କ ଅବସ୍ଥା ସଂକଟାପନ୍ନ ହେବାକୁ ଲାଗିଥିଲା। ଅପରାହ୍ଣ ଗୋଟାଏରେ ଗୋଟିଏ ୧୦୮ ଆମ୍ବୁଲାନ୍ସ୍ ଆସି ବୁଗୁଡ଼ା ଡାକ୍ତରଖାନାରେ ପହଞ୍ଚିଥିଲା। ହେଲେ, କଲ୍ ସେଣ୍ଟର୍ରୁ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ରୋଗୀଙ୍କୁ ନେବା ଅସମ୍ଭବ ବୋଲି ଚାଳକ କହିଥିଲେ। ଫଳରେ ଅନ୍ୟ କୌଣସି ଉପାୟ ନପାଇ ନିରଞ୍ଜନଙ୍କ ପରିବାରବର୍ଗ ବିଡିଓଙ୍କ ସହ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ୍ ପଠାଯିବା ଦିଗରେ ପଦକ୍ଷେପ ନେଉଛି ବୋଲି ବିଡିଓ କହିଥିଲେ। ଆମ୍ବୁଲାନ୍ସ୍ ଠିକ୍ ହୋଇଛି ବୋଲି ବିଡିଓ ଅପରାହ୍ଣ ୫ଟାରେ ଫୋନ୍ କରିବା ବେଳକୁ ନିରଞ୍ଜନଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ନିରଞ୍ଜନଙ୍କ ଶବକୁ ପରିବାରବର୍ଗ ଘରକୁ ନେଇଯାଇଥିଲେ। ଏହି ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/ambulance-1.jpg)