ଚିକିଟି : ଚିକିଟିପେଣ୍ଠ ମୁଖ୍ୟରାସ୍ତାରେ ପ୍ରତିଦିନ ଟ୍ରାଫିକ୍ ସମସ୍ୟା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଗତକାଲି ରାତିରେ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଉକ୍ତ ୧୦୮ ଆମ୍ବୁଲାନ୍ସ୍ଟି ଜଣେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ବେଳେ ମୁଖ୍ୟବଜାର ରାସ୍ତାର ପ୍ରବଳ ଭିଡ଼ରେ ଫସିଯାଇଥିଲା। ସାଇରନ୍ ବଜାଇଥିଲେ ସୁଦ୍ଧା, ଟ୍ରାଫିକ୍ ଜାମ୍ ହଟିପାରି ନଥିଲା। ଶେଷରେ ଆମ୍ବୁଲାନ୍ସ୍ଟି ରାସ୍ତା ନପାଇ ପଛକୁ ଫେରିଯାଇଥିଲେ। ଅନ୍ୟ ଏକ ରାସ୍ତାରେ ଯାଇଥିଲା।
ତେବେ ଏହି ସମସ୍ୟା କେବଳ ଗୋଟିଏ ଦିନର ନୁହେଁ, ମୁଖ୍ୟରାସ୍ତା ସଂକୀର୍ଣ୍ଣ ହେବା ସାଙ୍ଗକୁ ଜବରଦଖଲ ଉଚ୍ଛେଦ ହୋଇପାରୁ ନଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ସେପଟେ ପାର୍କିଂ ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବାରୁ ଆଖପାଖ ଇଲାକାରୁ ଆସୁଥିବା ଜନସାଧାରଣ ବାଧ୍ୟ ହୋଇ ରାସ୍ତା ପାର୍ଶ୍ବରେ ହିଁ ଗାଡ଼ି ରଖୁଛନ୍ତି। ଯାହାକି ଟ୍ରାଫିକ୍ ସମସ୍ୟାକୁ ଦ୍ବିଗୁଣିତ କରୁଛି।
ଅନ୍ୟପକ୍ଷରେ ଆଗରୁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ ନିୟୋଜିତ ରହୁଥିଲେ। କିନ୍ତୁ ବର୍ତ୍ତମାନ କେବଳ ନୋ ଏଣ୍ଟ୍ରି ସମୟରେ ହିଁ ପୁଲିସ ରହୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଜକରଠୁ ପିତାତଳି ପର୍ଯ୍ୟନ୍ତ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ରାସ୍ତା ପ୍ରଶସ୍ତୀକରଣ ହୋଇଛି। କିନ୍ତୁ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଚିକିଟିପେଣ୍ଠ ମୁଖ୍ୟରାସ୍ତାକୁ ପ୍ରଶସ୍ତୀକରଣ କରିବା ଲାଗି ଏଯାଏ ଉଦ୍ୟମ ଆରମ୍ଭ ହୋଇନି। ସେହିପରି କୋଟି କୋଟି ଟଙ୍କା ବିନିମୟରେ ମାଉନ୍ଦପୁର ବାଇପାସ୍ ରାସ୍ତା ନିର୍ମାଣ ହୋଇଛି। କିନ୍ତୁ କଳୋଥିଆ ମୁଖ୍ୟରାସ୍ତାରୁ ମାଉନ୍ଦପୁର ପର୍ଯ୍ୟନ୍ତ ସଂକୀର୍ଣ୍ଣ ଓ ଅଙ୍କାବଙ୍କା ରାସ୍ତା ଯୋଗୁଁ ଭାରୀଯାନ ଗୁଡ଼ିକ ଚିକିଟିପେଣ୍ଠ ବଜାର ରାସ୍ତାରେ ଆସି ଟ୍ରାଫିକ୍ ସମସ୍ୟା ସୃ୍ଷ୍ଟି କରୁଛନ୍ତି। ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।