ବାଇକ୍‌ ଉପରେ ଚଢ଼ିଗଲା ଆମ୍ବୁଲାନ୍ସ : ସ୍ବାମୀ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର

ଆହତ ଶିଶୁକୁ ନିଜ ଗାଡ଼ିରେ ଡାକ୍ତରଖାନା ଆଣିଲେ ଢେଙ୍କାନାଳ ସାଂସଦ, ମା ଓ ଶିଶୁ କଟକ ସ୍ଥାନାନ୍ତର

ଢେଙ୍କାନାଳ/ ରାସୋଳ : ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ପୁରୁଣା କଟକ -ସମ୍ବଲପୁର ରାସ୍ତାର ରାସୋଳ ଥାନା ବେଲବାହାଳି ସ୍କୁଲ୍ ନିକଟରେ ଆଜି ଅପରାହ୍ଣରେ ଏକ ଘରୋଇ ଆମ୍ବୁଲାନସ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଦ୍ବୟଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଫେରାର ହୋଇଯାଇଥିବା ରାସୋଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ଆନ୍ଧ୍ରପ୍ରଦେଶ ରାଜ୍ୟ ଭିରାଭାଲି ଅଞ୍ଚଳର ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେ ଅନୁଗୁଳ ଜିଲ୍ଲା ଟାଟା ଷ୍ଟିଲ କମ୍ପାନିରେ କୌଣସି କାମ କରୁଥିବା ଏବଂ ବାଇକ୍‌ରେ ଭୁବନେଶ୍ବର ଯାଉଥିବା କୁହାଯାଇଛି।

ସୂଚନା ଅନୁଯାୟୀ, ଅନୁଗୁଳ ଆଡୁ ଏକ ବାଇକ୍‌ରେ ସ୍ବାମୀ, ସ୍ତ୍ରୀ ଓ ୪ ବର୍ଷର ପୁଅ ଆସୁଥିବା ବେଳେ ବିପରୀତ ଦିଗ ସଦର ବ୍ଲକ ଭାପୁର ପଟୁ ଅନୁଗୁଳ ଆଡକୁ ଯାଉଥିବା ଏକ ଘରୋଇ ଆମ୍ବୁଲାନ୍ସ ସହ ବେଲବାହାଳି ସ୍କୁଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଆମ୍ବୁଲାନ୍ସଟି ବାଇକ୍ ଉପରେ ଚଢ଼ିଯାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବଂ ପୁଅ ରାସ୍ତାରେ ଆହତ ଅବସ୍ଥାରେ ପଡିରହିଥିଲେ। ସେହି ରାସ୍ତାଦେଇ ସାଂସଦ ମହେଶ ସାହୁ ଢେଙ୍କାନାଳ ଆସୁଥିବା ବେଳେ ଆହତମାନଙ୍କୁ ଦେଖି ସେଠାରେ ଅଟକି ଯାଇଥିଲେ। ଅଗ୍ନିଶମ ବିଭାଗ ଗାଡି ଡକାଇ ଆହତ ମହିଳା ଏବଂ ମୃତ ସ୍ୱାମୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଆହତ ଶିଶୁପୁତ୍ରକୁ ଉଦ୍ଧାର କରି ନିଜ ଗାଡ଼ିରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ୪ ବର୍ଷର ଶିଶୁପୁତ୍ରର ମେରୁଦଣ୍ଡ ଓ ଜଙ୍ଘର ହାଡ ଭାଙ୍ଗିଯାଇଥିବା ବେଳେ ମହିଳାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି। ମା’ ଓ ପୁଅଙ୍କ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ଉଭୟଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର