୬ ଦିନରେ ୩ହଜାରରୁ ଅଧିକ ଆମ୍ବୁଲାନ୍‌ସ ସେବା

୧୦୮ ଆମ୍ବୁଲାନ୍‌ସରେ ୧୭୪୧ ଓ ୧୦୨ ଆମ୍ବୁଲାନ୍‌ସରେ ୧୬୦୭ ରୋଗୀଙ୍କୁ ସ୍ଥାନାନ୍ତର

ଭୁବନେଶ୍ବର : ବାତ୍ୟା ପୂର୍ବରୁ ଓ ଏହାର ପରବର୍ତୀ ୪ଦିନ ମଧ୍ୟରେ ପ୍ରଭାବିତ ୫ ଜିଲ୍ଲାରୁ ୩ହଜାରରୁ ଅଧିକ ଆହତ ଓ ଗର୍ଭବତୀ ମହିଳା ୧୦୮ ଓ ୧୦୨ ଆମ୍ବୁଲାନ୍‌ସ ସେବା ପାଇଛନ୍ତି। ଚଳିତମାସ ୨ତାରିଖରୁ ୭ତାରିଖ ମଧ୍ୟରେ ୧୦୮ ଆମ୍ବୁଲାନ୍‌ସରେ ୧୭୪୧ ଓ ୧୦୨ ଆମ୍ବୁଲାନ୍‌ସରେ ୧୬୦୭ ଲୋକଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଚଳିତମାସ ୩ତାରିଖରେ ବାତ୍ୟା ‘ଫନି’ ଆସିଥିବା ବେଳେ ଏହାର ଗୋଟିଏ ଦିନ ପୂର୍ବରୁ ୧୦୮ ଓ ୧୦୨ ଆମ୍ବୁଲାନ୍‌ସରେ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ରୋଗୀମାନଙ୍କୁ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇଥିଲା। ପୁରୀ, ଖୋର୍ଧା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ଏହି ସେବାକୁ ଗୁରୁତ୍ବ ଦିଆଯାଇଥିଲା। ବାତ୍ୟା ପୂର୍ବଦିନ ୫ ଜିଲ୍ଲାରେ ୧୦୮ ଆମ୍ବୁଲାନ୍‌ସରେ ୩୬୯ ଓ ୧୦୨ରେ ୬୪୪, ବାତ୍ୟାଦିନ ୧୦୮ ଆମ୍ବୁଲାନ୍‌ସରେ ୪୬୯ ଓ ୧୦୨ ଆମ୍ବୁଲାନ୍‌ସରେ ୪୧୮ ଆମ୍ବୁଲାନ୍‌ସ ସେବା ପାଇଛନ୍ତି। ବାତ୍ୟା ପରେ ୪ତାରିଖରେ ୧୦୮ ଆମ୍ବୁଲାନ୍‌ସରେ ୧୩୦ ଓ ୧୦୨ ଆମ୍ବୁଲାନ୍‌ସରେ ୮୪, ୫ତାରିଖରେ ୧୦୮ ଆମ୍ବୁଲାନ୍‌ସରେ ୩୬୬ ଓ ୧୦୨ ଆମ୍ବୁଲାନ୍‌ସରେ ୧୪୭, ୬ତାରିଖରେ ୧୦୮ ଆମ୍ବୁଲାନ୍‌ସରେ ୧୪୯ ଓ ୧୦୨ ଆମ୍ବୁଲାନ୍‌ସରେ ୧୨୨ ଓ ୭ତାରିଖରେ ୧୦୮ ଆମ୍ବୁଲାନ୍‌ସରେ ୨୫୮ ଓ ୧୦୨ ଆମ୍ବୁଲାନ୍‌ସରେ ୧୯୨ ଜଣଙ୍କୁ ଏହି ସେବା ଦିଆଯାଇଛି। ୧୦୮ ଆମ୍ବୁଲାନ୍‌ସ କଲ ସେଣ୍ଟରକୁ ଅନ୍ୟଦିନଗୁଡ଼ିକରେ ଯେତିକି ସଂଖ୍ୟକ କଲ୍ ଆସିଥାଏ ବାତ୍ୟା ସମୟରେ କଲ୍ ସଂଖ୍ୟା ଅଧିକ ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବାତ୍ୟା ପାଇଁ ଆମ୍ବୁଲାନ୍‌ସ କର୍ତୃପକ୍ଷଙ୍କ ପକ୍ଷରୁ ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ସ୍ବତନ୍ତ୍ରଭାବେ ୨୫ଟି ଆମ୍ବୁଲାନ୍‌ସ ମୁତୟନ କରାଯାଇଥିଲା। ବାତ୍ୟା ପୂର୍ବରୁ ଲୋକମାନଙ୍କ ପକ୍ଷରୁ ୧୦୮ ଆମ୍ବୁଲାନ୍‌ସ କଲ ସେଣ୍ଟରକୁ ଆସିଥିବା କଲ୍ ଆଧାରରେ ଜରୁରୀ ସେବା ଦିଆଯାଇଥିଲା। ବାତ୍ୟା ପରବର୍ତୀ ସମୟରେ ଆମ୍ବୁଲାନ୍‌ସ କଲ୍ ସେଣ୍ଟର ନମ୍ବର ସ୍ଥାନୀୟ ଜିଲ୍ଲାର ସିଏଲ୍ ବା କ୍ଲଷ୍ଟର ଲିଡର ଓ ସିଡିଏମ୍‌ଓଙ୍କୁ ଦିଆଯାଇଥିଲା। ସେମାନଙ୍କ ଜରିଆରେ ବାତ୍ୟାରେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଆହତମାନଙ୍କୁ ସେବା ମିଳିପାରିଛି। ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ଆମ୍ବୁଲାନ୍‌ସ କର୍ମଚାରୀ ରାସ୍ତା ସଫା କରି ରୋଗୀଙ୍କୁ ସେବା ଯୋଗାଇ ଦେଇଥିବା କୁହାଯାଇଛି। ବାତ୍ୟା ପୂର୍ବରୁ ଆସନ୍ନ ପ୍ରସବାମାନଙ୍କୁ ମା’ଗୃହ କିମ୍ବା ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୧୦୮ ଓ୧୦୨ ଆମ୍ବୁଲାନ୍‌ସରେ ଯେଉଁ ତଥ୍ୟ ଆସିଛି ଆଗାମୀ ଦିନରେ ଏଥିରେ ଆହୁରି ବୃଦ୍ଧି ଘଟିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର