ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍ରେ ୧୦୮ ଆମ୍ବୁଲାନ୍ସ ସେବା ସୁଧୁରିବାର ନାଁ ଧରୁନି। ବାରମ୍ବାର ଆମ୍ବୁଲାନ୍ସ ଖରାପ ହେବା ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ସୂଚନା ଅନୁଯାୟୀ, ବ୍ରହ୍ମଗିରି ବ୍ଲକ୍ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ୧୦୮ ଆମ୍ବୁଲାନ୍ସ ରହିଛି। କୃଷ୍ଣପ୍ରସାଦ ବ୍ଲକ୍ ପଣସପଦା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଆଉ ଏକ ୧୦୮ ଆମ୍ବୁଲାନ୍ସ ରହିଛି।। ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଆମ୍ବୁଲାନ୍ସଟି ବ୍ରହ୍ମଗିରି ବ୍ଲକ୍ର ୨୫ଟି ପଞ୍ଚାୟତର ଲୋକଙ୍କୁ ଜରୁରି ସେବା ଯୋଗାଇଥାଏ। ସେହିଭଳି ପଣସପଦାଠାରେ ଥିବା ଆମ୍ବୁଲାନ୍ସ ମଧ୍ୟ ଉଭୟ ବ୍ଲକ୍ ପାଇଁ ସେବା ଯୋଗାଇ ଥାଏ। ଦୁଇଟି ଆମ୍ବୁଲାନ୍ସ ଉଭୟ ବ୍ଲକ୍ର ୩୨ଟି ପଞ୍ଚାୟତର ଲୋକଙ୍କ ପାଇଁ ସେବା ଯୋଗାଇଥାଏ। ଏହା ସହ ପୁରୀ–ସାତପଡ଼ା ରାଜପଥରେ କୌଣସି ଅଘଟଣ ଘଟିଲେ ଏବଂ ଚିଲିକା, ବାଲିହରଚଣ୍ତୀ, ଶ୍ରୀଅଲାରନାଥ ଭଳି ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଏହି ଆମ୍ବୁଲାନ୍ସ ସେବା ଯୋଗାଇ ଥାଏ।
/sambad/media/post_attachments/wp-content/uploads/2019/11/ambulance-puri-1-300x169.jpg)
ମାତ୍ର ଏହି ୨ଟି ଆମ୍ବୁଲାନ୍ସ ବାରମ୍ବାର ଖରାପ ହୋଇପଡ଼ୁଥିବାରୁ ରୋଗୀ ସେବାରେ ସମସ୍ୟା ସୃଷ୍ଟି ହେଉଛି। ଏପରିକି ରୋଗୀ ଆଣିବାକୁ ଯାଉଥିବା ବେଳେ ଆମ୍ବୁଲାନ୍ସ ଅଧା ବାଟରେ ଖରାପ ହେଉଛି। ସାମନ୍ୟ ବର୍ଷା ହେଲେ ଆମ୍ବୁଲାନ୍ସ ଅଚଳ ହୋଇପଡ଼ୁଛି। ଆଜି ଭୋରରୁ ପଣସପଦାଠାରେ ଥିବା ଆମ୍ବୁଲାନ୍ସ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଫେରୁଥିବା ବେଳେ ବ୍ରହ୍ମଗିରି ବଜାରର ନୂଆ ବସ୍ଷ୍ଟାଣ୍ତଠାରେ ହଠାତ୍ ଖରାପ ହୋଇ ପଡ଼ିଥିଲା। ମାତ୍ର ସନ୍ଧ୍ୟା ସୁଦ୍ଧା ଏହାର ମରାମତି କରାଯାଇ ନଥିଲା। ବାରମ୍ବାର ଆମ୍ବୁଲାନ୍ସ ଖରାପ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।