ରାଣୀତାଲ: ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ଠାରେ ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ରାଣୀତାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର। ୧୯୮୨ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଭଦ୍ରକ ବ୍ଲକର ରାହାଞ୍ଜ, ଜଗଦଳପୁର, ରମ୍ଭିଳା ଓ ବାଲେଶ୍ୱର ଜିଲ୍ଲାର ଅବଜୁଣା, ରାମକୃଷ୍ଣପୁର, କଳାଶୁଣୀ, ରପିଆ ଆଦି ଅନେକ ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ତାଛଡା ୧୬ନମ୍ବର ଜାତୀୟ ରାଜପଥର ରାଣୀତାଲରୁ ମଇତାପୁର ଦୁର୍ଘଟଣାପ୍ରବଣ ଅଞ୍ଚଳ ହୋଇଥିବାରୁ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ‌ ସବୁବେଳେ ଆହତ ରୋଗୀ ଆସିଥାନ୍ତି। ହେଲେ ଏଠି ଆମ୍ବୁଲାନ୍ସ ସୁବିଧା ନ ଥିବାରୁ ‌ ଗୁରୁତର ରୋଗୀଙ୍କୁ ଆମ୍ୁଲାନ୍ସ ସେବା ମିଳେନାହିଁ। ଫଳରେ ଅଟୋ କିମ୍ବା ବ୍ୟକ୍ତିଗତ ଗାଡି ଭଡା କରି ଯାଉଥିବା ବେଳେ ଜାତୀୟ ରାଜପଥର ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କ ପାଇଁ ଦମକଳ ବାହିନୀ ହିଁ ଭରସା।

Advertisment

ଏହି ଦୁର୍ଘଟଣାପ୍ରବଣ ଅଞ୍ଚଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ମିଳେନାହିଁ। ୧୦ କିଲୋମିଟର ଦୂରରୁ ଦମକଳ ଆସି ପହଞ୍ଚିବା ପୂର୍ବରୁ ସବୁକିଛି ସରି ଯାଇଥାଏ। ଭଦ୍ରକ ବିଧାୟକ ସଂଜିବ ମଲ୍ଲିକଙ୍କ ପ୍ରଚେଷ୍ଟାରେ ସାବରଙ୍ଗ ଓ ଆମ୍ବରୋଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୦୮ଆମ୍ବୁଲାନସ ସେବା ଗତ ମାସରେ ଯୋଗାଇ ଦେଇଥିବା ବେଳେ ରାଣୀତାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କେବେ ଆମ୍ବୁଲାନ୍ସ ସୁବିଧା ମିଳିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟସେବା ଭଳି ଏକ ମୌଳିକ ସେବା କ୍ଷେତ୍ରରେ ରାଣୀତାଲ ଅଞ୍ଚଳକୁ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି।