ଗାଁକୁ ନାହିଁ ରାସ୍ତା; ଯାଇପାରିଲାନି ଆମ୍ବୁଲାନ୍‌ସ, ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଲେ କର୍ମଚାରୀ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ୍‌ ଆମ୍ବଝରୀ ଗ୍ରାମ ପଞ୍ଚାୟତ ବିଜାମାରୀ ଗ୍ରାମର ଜଣେ ରୋଗୀଙ୍କୁ ଷ୍ଟ୍ରେଚରରେ ପ୍ରାୟ ୧ କିଲୋମିଟର ବାଟ ବୋହିଲେ ୧୦୮ ଆମ୍ବୁଲାନ୍‌ସ କର୍ମଚାରୀ। ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକ୍‌ ଆମ୍ବଝରୀ ଗ୍ରାମ ପଞ୍ଚାୟତ ବିଜାମାରୀ ଗ୍ରାମର ପ୍ରଭାକର କହଁର (୪୫) ଅସୁସ୍ଥ ହୋଇଥିଲେ। ଭୀଷଣ ଜ୍ଵର ହେଉଥିବାରୁ ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍‌ସକୁ ସୂଚନା ଦେଇଥିଲେ।

ସୂଚନା ହସ୍ତଗତ ହେବା ପରେ ୧୦୮ ଆମ୍ବୁଲାନ୍‌ସ୍‌ କର୍ମଚାରୀମାନେ ବିଜାମାରୀ ପହଂଚି ରୋଗୀଙ୍କ ଘର ଅନୁସନ୍ଧାନ କରିଥିଲେ। ରୋଗୀଙ୍କ ଘର ପ୍ରାୟ ଏକ କିଲୋମିଟର ଦୂର ଓ ରାସ୍ତା ଯୋଗାଯୋଗ ନ ଥିବାରୁ ଆମ୍ବୁଲାନ୍‌ସ ଯିବା ସମ୍ଭବପର ହୋଇ ନଥିଲା। ଶେଷରେ ଆମ୍ବୁଲାନ୍‌ସ୍‌ କର୍ମଚାରୀ ଫାର୍ମାସିଷ୍ଟ ସୁରଜ ମହାନନ୍ଦ, ଡ୍ରାଇଭର ଯୁବରାଜ କହଁର୍‌ ଓ ଆଟାଣ୍ଡଣ୍ଟ ଅନୀଲ୍‌ କହଁର୍‌ ରୋଗୀଙ୍କୁ ଆମ୍ବୁଲାନ୍‌ସ୍‌ ନିକଟକୁ ବୋହି ଆଣିଥିଲେ ଏବଂବୌଦ୍ଧ ଡାକ୍ତରଖାନାକୁ ନେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପ୍ରଭାକରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି। ୧୦୮ ଆମ୍ବୁଲାନ୍‌ସ କର୍ମଚାରୀମାନଙ୍କ ଏଭଳି ମାନବିକତାକୁ ଜନସାଧାରଣରେ ପ୍ରଶଂସା କରାଯାଉଛି।

ସରକାର ଗମନାଗମନକୁ ସୁବ୍ୟସ୍ଥିତ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଭାଗୀୟ କର୍ମଚାରୀଙ୍କ ଉଦାସୀନତା ହେଉ ଅଥିବା ସ୍ଥାନୀୟ ପ୍ରଶାସନର ଅବହେଳା ହେଉ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ରାଜ୍ୟରେ ହଜାର ହଜାର ଗାଁକୁ ରାସ୍ତା ନାହିଁ। ସେଥିପାଇଁ ଲୋକେ ଜରୁରୀକାଳୀନ ସମୟରେ ଡାକ୍ତରଖାନା ଯିବାକୁ ବହୁତ ହଇରାଣ ହୋଇଥାନ୍ତି। ବିଜାମାରୀ ଗାଁ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। ବୌଦ୍ଧ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୩୨ କିଲୋମିଟର ଦୂର ତଥା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ଗାଁକୁ ଖଣ୍ଡେ ଭଲ ରାସ୍ତା ନଥିବା ଦୁର୍ଭାଗ୍ୟର ବିଷୟ।

ସମ୍ବନ୍ଧିତ ଖବର