ଖଟିଆରେ ବୁହାହେଲେ ବୃଦ୍ଧା, କାନ୍ଧରେ ବୋହି ଆଣିଲେ ଆମ୍ବୁଲାନ୍ସ୍ କର୍ମଚାରୀ

କନ୍ଧମାଳ ପରେ ନୟାଗଡ ଜିଲ୍ଲାରୁ ଆସିଲା ସୀମାନ୍ତ ଯନ୍ତ୍ରଣା

ଭଞ୍ଜନଗର: ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ପାଇଁ ସରକାର ବହୁ ଉଦ୍ୟମ କରୁଛନ୍ତି। ଗୋଟିଏ ପରେ ଗୋଟିଏ ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ଏହି ଯୋଜନା ଗୁଡ଼ିକ ଆଜି ବି ଅପହଞ୍ଚ ହୋଇ ରହିଛି। ବିଶେଷ କରି ଶିକ୍ଷା ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସରକାର ବ୍ୟପକ ପଦକ୍ଷେପ ଗ୍ରହଣ କରି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। କିନ୍ତୁ ଉପାନ୍ତ ଓ ଦୁର୍ଗମ ଇଲାକାରେ ଭଲ ଗମନାଗମନ ସୁବିଧା ପାଇବାରୁ ଆଜି ମଧ୍ୟ ବଞ୍ଚିତ ରହିଛନ୍ତି ଉପାନ୍ତ ଇଲାକାର ନୀରିହ ଜନତା। ଗରୁତର ହୋଇ ଛଟପଟ ହେଉଥିଲେ ମଧ୍ୟ ସେମାନଙ୍କ ନିକଟରେ ସହଜରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ ସେବା। ସୁଗମ ରାସ୍ତା ଓ ଗମନା ଗମନ ଯୋଗାଯୋଗର ଅଭାବ ହେତୁ ଡାକ୍ତରଖାନାରେ ପହଞ୍ଚିବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏଭଳି ଅନେକ ଚିତ୍ର ଦେଖିବାକୁ ମିଳିଲେ ମଧ୍ୟ ବାରମ୍ବାର ଏହାର ପୁନରାବୃତ୍ତି ଘଟୁଛି। ଏଭଳି କିଛି ଦୃଶ୍ୟ ଗତ କିଛି ମାସ ତଳେ ଗଞ୍ଜାମ-କନ୍ଧମାଳ ସୀମାନ୍ତରୁ ଆସୁଥିବା ବେଳେ ଆଜି ଗଞ୍ଜାମ-ନୟାଗଡ ସୀମାନ୍ତ ଇଲାକାର ଜଣେ ଗୁରୁତର ବୃଦ୍ଧାଙ୍କୁ ଖଟିଆରେ ବୋହି ଆଣିବା ଭଳି ଅଭାବନୀୟ ଘଟଣା ସମ୍ନାକୁ ଆସିଛି।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ୍ ନୂଆଗାଁ ପଞ୍ଚାୟତର ଚକାପାଜୁ ଗ୍ରାମର ବୀରେନ୍ଦ୍ର ମଲ୍ଲିକଙ୍କ ପତ୍ନୀ ରାଧିକା ମଲ୍ଲିକ୍ ରକ୍ତବାନ୍ତି କରି ଗୁରୁତର ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନା ଅଣିବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସ୍କୁ ଖବର ଦେଇଥିବା ବେବଳେ ଗ୍ରାମ ଠାରୁ ତିନିକିମି ଦୂରରେ ରାସ୍ତା ଅଭାବ ସାଙ୍ଗକୁ ନଦୀ ଆକଟ କରୁଥିବାରୁ ଆମ୍ବୁଲାନ୍ସ୍ ଅଟକି ଯାଇଥିଲା। ଏଭଳି ଖଟିଆରେ ବୁହା ହେବା ଘଟଣା ସରକାରୀ ଯୋଜନା ଗୁଡ଼ିକୁ ତାତ୍ସଲ୍ୟ କରୁଥିବା ଭଳି ମନେ ହେଉଛି। ଉକ୍ତ ଅଞ୍ଚଳବାସୀ ସ୍ବାସ୍ଥ ସେବା ପାଇଁ ଗଞ୍ଜାର ଜିଲ୍ଲା ଭଞ୍ଜନଗର ବ୍ଳକର ଗାଲେରୀ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର ଉପରେ ନିର୍ଭର କରୁଥିବାରୁ ବୀରେନ୍ଦ୍ରଙ୍କ ପୁଅ ରାମଚନ୍ଦ୍ର ଗାଲେରୀ ମେଡିକାଲ୍ରୁ ଆମ୍ବୁଲାନ୍ସ୍ ଡକାଇଥିଲେ। କିନ୍ତୁ ଚକାପଜୁ ଗ୍ରାମ ଠାରୁ ପ୍ରାୟ ୩ କିମି ଦୂରରୁ ବାଟରେ ଏକ ନଦୀ ପଡିବା ସହ ରାସ୍ତା ଖରାପ ଯୋଗୁ ଆଉ ଗାଡି ଆଗକୁ ଯାଇପାରି ନଥିଲା।

ଆମ୍ବୁଲାନ୍ସ କର୍ମଚାରୀ ମାନେ ଗ୍ରାମକୁ ଯାଇ ଗାଡି ଆସିପାରୁ ନଥିବା ବିଷୟ ଜଣାଇବା ପରେ ତାଙ୍କ ସ୍ବାମୀ କିଛି ସହଯୋଗୀଙ୍କ ସହ ଏକ ଖଟିଆକୁ ଓଲଟାଇ ଦୋଳା କରି ଆମ୍ବୁଲାନ୍ସ୍ ନିକଟକୁ ଆଣିବା ବ୍ୟବସ୍ଥା କରିଥିଲେ। ଦୀର୍ଘ ବାଟ ହୋଇଥିବାରୁ ଆମ୍ବୁଲାନ୍ସ୍ କର୍ମଚାରୀ ମଧ୍ୟ ମହିଳାଙ୍କୁ ଖଟିଆରେ ବୋହି ଆଣିଥିଲେ। କାନ୍ଧରେ ବୋହି ଆଣିବା ବାଟରେ ରାଧିକା ବାନ୍ତି ମଧ୍ୟ କରିଥିଲେ। ଆମ୍ବୁଲାନ୍ସରେ ପରିବାର ଲୋକ ରାଧିକାଙ୍କୁ ନେଇ ମେଡିକାଲ୍ ଅଭିମୁଖେ ଆସିଥିବା ବେଳେ ସେଠାରୁ ଗ୍ରାମବାସୀ ଫେରି ଯାଇଥିଲେ। ଭଞ୍ଜନଗର ମେଡିକାଲ୍ର ଭେଷଜ ୱାିର୍ଡରେ ତାଙ୍କୁ ଭର୍ତ୍ତି କରାଯିବା ସହ ରକ୍ତ ନମୁନା ପରୀକ୍ଷା ସହ ଆବଶ୍ୟକ ଔଷଧପତ୍ର ଦେଇ ସାଲାଇନ୍ ଲଗାଇଥିଲେ। ଟେଷ୍ଟ ରିପୋର୍ଟ ଆସିବା ପରେ ଆଗାମୀ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମେଡିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଆମ୍ବୁଲାନ୍ସ ଚାଳକ ଓ କର୍ମଚାରୀଙ୍କ କାର୍ଯ୍ୟକୁ ଅଞ୍ଚଳରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର