ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଲେ ଆମ୍ବୁଲାନ୍‌ସ କର୍ମଚାରୀ

ବାମରା: ରବିବାର ସନ୍ଧ୍ୟାରେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଛଟପଟ ହେଉଥିବା ୨ ଯୁବକଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ଏହିଭଳି ଘଟଣା ଘଟିଛି ବାମରା ଅଞ୍ଚଳରେ। ପ୍ରାପ୍ତ ସୂଚନା ଅନୁଯାୟୀ ବାମରା(ଗୋବିନ୍ଦପୁର) ଡାକ୍ତରଖାନାରେ ଥିବା ଆମ୍ବୁଲାନ୍‌ସ କର୍ମଚାରୀମାନେ ଜନୈକ ରୋଗୀଙ୍କୁ ଛାଡ଼ି ଜରାବଗା ଗ୍ରାମରୁ ବାମରା ଫେରୁଥିଲେ। ଏହି କ୍ରମରେ ଜରାବଗା-କେଶାଇବାହାଲ ମଧ୍ୟବର୍ତ୍ତୀ ସାଲୋହି(ଦୋ ଭାୟା ଛକ) ନିକଟରେ ଥିବା ବୁଲାଣିରେ ୨ ଜଣ ଯୁବକ ପିଚୁ ରାସ୍ତା ଉପରେ ବାଇକରୁ ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଆମ୍ବୁଲାନ୍‌ସ କର୍ମଚାରୀମାନେ ବାମରାକୁ ନ ଫେରି ଉକ୍ତ ଯୁବକ ଦ୍ୱୟଙ୍କୁ ଆମ୍ବୁଲାନ୍‌ସରେ ନେଇ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଗୁରୁତର ଥିବା ଉକ୍ତ ଯୁବକ ୨ ଜଣ ହେଲେ ଲଇକେରା ବ୍ଲକ ଚନ୍ଦନୀମାଲ ଗ୍ରାମର ସନ୍ତୋଷ ଖଡ଼ିଆଙ୍କ ପୁଅ ସୁଶୀଲ(୨୦) ଓ ଅନିଲ କିସାନଙ୍କ ପୁଅ ସହଦେବ(୨୨)। ସେମାନେ ଦୁହେଁ ଏକ ବାଇକରେ ନିଜ ଗାଁରୁ ବାହାରି ଜରାବଗା ଜନୈକ ସାଙ୍ଗ ଘରକୁ ଯାଇ ଫେରୁଥିଲେ। ଏବଂ ସନ୍ଧ୍ୟାରେ କେଶାଇବାହାଲରୁ ଏକ ବସ ଯୋଗେ ଭୁବନେଶ୍ୱର ଯିବା ପାଇଁ ଦ୍ରୁତ ଗତିରେ ଯାଉଥିବା କ୍ରମରେ ଭାରସାମ୍ୟ ହରାଇ ବାଇକ୍‌ରୁ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଭୁବନେଶ୍ୱରକୁ ବାହାରିଥିବା ଯୁବକ ୨ ଜଣ ଯାକ ବର୍ତ୍ତମାନ କୁଚିଣ୍ଡାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ସରକାରୀ ନିୟମକୁ ଆମ୍ବୁଲାନ୍‌ସ କର୍ମଚାରୀମାନେ ଅପେକ୍ଷା କରିଥିଲେ ହୁଏତ ତୁରନ୍ତ ଚିକିତ୍ସା ସେବା ପାଇବାରେ କଷ୍ଟ ହୋଇଥାନ୍ତା। ମାତ୍ର ଆମ୍ବୁଲାନ୍‌ସ କର୍ମଚାରୀମାନଙ୍କ ଉପସ୍ଥିତ ବୁଦ୍ଧି ତଥା ମାନବିକତା ଯୋଗୁଁ ପ୍ରକୃତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ମାନବିକତାର ପରିଚୟ ଦେଲେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର