ଏସ୍‌ଟି ବର୍ଗଙ୍କ ଜମି ବିକ୍ରି ସଂପର୍କିତ ସଂଶୋଧିତ ନିୟମ ପ୍ରସଂଗ : ସ୍ପଷ୍ଟୀକରଣ ଲୋଡ଼ିଲେ ହାଇକୋର୍ଟ

କଟକ : ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ବ୍ୟକ୍ତି ଜମି ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସ୍‌ଟି ଲୋକ ନାଁରେ ଥିବା ଜମି ଅନ୍ୟବର୍ଗର ଲୋକଙ୍କ ନାଁକୁ ଟ୍ରାନ୍ସଫର ପାଇଁ ଓଡ଼ିଶା ସିଡୁଲ୍ ଏରିଆଜ୍ ଟ୍ରାନ୍ସଫର ଅଫ୍ ଇମୁଭେବଲ ପ୍ରପର୍ଟି (ବାଇ ସିଡୁଲ ଟ୍ରାଇବ୍) ଆମେଣ୍ଡମେଣ୍ଟ ରେଗୁଲେସନ୍, ୨୦୦୦ରେ କଟକଣା ରହିଛି। ନିୟମରେ ଏଭଳି ସଂଶୋଧନ କରି ଜାରି କରାଯାଇଥିବା ଏଭଳି କଟକଣା ଯୋଗୁଁ ଏସ୍‌ଟି ବର୍ଗର ଲୋକମାନେ ନିଜ ଆବଶ୍ୟକତା ବେଳେ ଜମି ବିକ୍ରି କରି ପାରୁନାହାନ୍ତି। ଏଭଳି ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ନିୟମରେ ଏଭଳି ସଂଶୋଧନ ଯେଉଁ ଉଦ୍ଦେଶ୍ୟ ନେଇ କରାଯାଇଥିଲା ତାହା ପୂରଣ ହୋଇଛି କି ନାହିଁ ସେ ସଂକ୍ରାନ୍ତରେ ତଥ୍ୟ ଉପସ୍ଥାପନ ପାଇଁ ସରକାରଙ୍କୁ ହାଇକୋର୍ଟ ନ‌ିର୍ଦ୍ଦେଶ ଦେଇଛନ୍ତି। ଏହି ସଂଶୋଧିତ ନିୟମକୁ ଯଦି କାର୍ଯ୍ୟକାରୀ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥାନ୍ତା ତେବେ ଏହାର କ’ଣ ପରିଣତି ହୋଇଥାନ୍ତା, ସେ ନେଇ ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୩ ତାରିଖ ସୁଦ୍ଧା ଏହି ମାମଲାରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଅଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ କେ.ଭାଗ୍ୟଲକ୍ଷ୍ମୀଙ୍କ ଆବେଦନର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ସିଡୁଲ୍ ଏରିଆଜ୍ ଟ୍ରାନ୍ସଫର ଅଫ୍ ଇମୁଭେବଲ ପ୍ରପର୍ଟି (ବାଇ ସିଡୁଲ ଟ୍ରାଇବ୍) ଆମେଣ୍ଡମେଣ୍ଟ ରେଗୁଲେସନରେ ସଂଶୋଧନ ପ୍ରସ୍ତାବ ବିଧାନସଭାରେ ୨୦୦୦ ମସିହାରେ ପାରିତ ହୋଇଥିଲା। ରାଷ୍ଟ୍ରପତିଙ୍କ ଅନୁମତି ମିଳିବା ପରେ ସଂଶୋଧିତ ନିୟମ ସଂପର୍କିତ ବିଜ୍ଞପ୍ତି ୨୦୦୨ରେ ପ୍ରକାଶ ପାଇଥିଲା। ଏହି ସଂ‌େଶାଧିତ ନିୟମ ଯୋଗୁଁ ଜଣେ ଏସଟି ଲୋକ ଅନ୍ୟ ବର୍ଗର ଲୋକଙ୍କୁ ଜମି ବିକ୍ରି କରିବା ଉପରେ କଟକଣା ଜାରି ହୋଇଥିଲା। ଏଭଳି କଠୋର ନିୟମ ଯୋଗୁଁ ଅନେକ ଏସଟି ଲୋକ ଜମି ଥିଲେ ମଧ୍ୟ ଏହାକୁ ବିକ୍ରି କରି ପାରି ନଥିଲେ। ଅନାବଶ୍ୟକ ଓ ଅବ୍ୟବହୃତ ଜମି ଆବଶ୍ୟକତା ସମୟରେ ଏସଟି ଲୋକ ଚାହଁଲେ ମଧ୍ୟ ବିକ୍ରି କରି ପାରୁ ନଥିଲେ। ଏଭଳି ପ୍ରସଂଗ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା।

ସମ୍ବନ୍ଧିତ ଖବର