ବଜ୍ରକାପ୍ତା ପାଠରେ ସଂଶୋଧନ ନିର୍ଦ୍ଦେଶ

ପୁରୀ: ବଜ୍ରକାପ୍ତା ସମ୍ବନ୍ଧରେ କୋମଳମତି ଶିଶୁମାନଙ୍କୁ ଭ୍ରମାତ୍ମକ ପାଠ ପଢ଼ାଯାଉଥିବା ନେଇ ଖବର ପ୍ରସାରଣ ପରେ ଚେତିଛି ଗଣଶିକ୍ଷା ବିଭାଗ। ତ୍ରୁଟି ଥିବା ସ୍ବୀକାର କରିବା ସହ ଏଥିରେ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍‌ ଅନୁଯାୟୀ ବାଘ, ହାତୀ, ଗଣ୍ଡା, ସିଂହ ଆଦି ପ୍ରାଣୀମାନଙ୍କ ସହ ବଜ୍ରକାପ୍ତାକୁ ମଧ୍ୟ ସିଡ୍ୟୁଲ-୧ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି। ପରିବେଶ ସନ୍ତୁଳନ କ୍ଷେତ୍ରରେ ବଜ୍ରକାପ୍ତାର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାବେଳେ ଏହି ପ୍ରାଣୀ ଏବେ କାଁ ଭାଁ ଦେଖିବାକୁ ମିଳୁଛନ୍ତି। ତେଣୁ ଏହାର ସଂରକ୍ଷଣ ଦିଗରେ ବିଶେଷ ଗୁରୁତ୍ବ ଦିଆଯାଉଛି। ବଜ୍ରକାପ୍ତା ଓ ଏହାର କାତି ଚୋରାଚାଲାଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ମାତ୍ର ୪ର୍ଥ ଶ୍ରେଣୀରେ ପଢ଼ା ଯାଉଥିବା ‘ଆମେ ଓ ଆମ ପରିବେଶ’ ବହିର ୧୪୬ ନମ୍ବର ପୃଷ୍ଠାରେ ଏକ ସାରଣୀରେ ଲେଖାଯାଇଛି ଯେ ବଜ୍ରକାପ୍ତାରୁ ଆମେ କାତି ପାଉ ଏବଂ ସେଥିରୁ ମୁଦି ତିଆରି କରାଯାଏ। ଏଥିରେ ଔଷଧୀୟ ଗୁଣ ରହିଛି। କାତିରେ ପ୍ରସ୍ତୁତ ମୁଦି କେହି ପିନ୍ଧିଲେ ତାଙ୍କୁ ଗିରଫ କରାଯିବାର ଆଇନ୍‌ରେ ବ୍ୟବସ୍ଥା ରହିଥିବା ବେଳେ ଏଭଳି ଭ୍ରମାତ୍ମକ ଶିକ୍ଷା ଦିଆଯିବା ନେଇ ପ୍ରଶ୍ନ ଉଠିଥିଲା। ଆଜି ଏନେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଏହି ତ୍ରୁଟି ଥିବା ନେଇ ଖବର ମୋ ନଜରକୁ ଆସିଛି। ତେଣୁ ଆବଶ୍ୟକ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଛନ୍ତି। ସଂଶୋଧନ ପାଇଁ ମନ୍ତ୍ରୀଙ୍କର ନିର୍ଦ୍ଦେଶ ପରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର