ସ୍କୁଲ ଓ କଲେଜ ଦଖଲରେ ଥିବା ଜମି ବି ମାଗଣାରେ ହସ୍ତାନ୍ତର ହେବ
ନକ୍ସଲ ଆକ୍ରମଣରେ ସହିଦଙ୍କ ପରିବାରକୁ ବି ଜମି ମିଳିବ
ଭୁବନେଶ୍ବର : ସମସ୍ତଙ୍କୁ ବାସଯୋଗ୍ୟ ଜମି ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଜମି ବନ୍ଦୋବସ୍ତ ଆଇନ-୧୯୮୩କୁ ସଂଶୋଧନ କରିଛନ୍ତି। ଏନେଇ ମେ ୨ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏନେଇ ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟେକ ଗ୍ରାମରେ ଆବଶ୍ୟକ ହେଉଥିବା େଗାଚର ଜମି ପରିମାଣକୁ ସରକାର ୫%ରୁ ୩%କୁ କମାଇ ଦେଇଛନ୍ତି। ପୂର୍ବରୁ କିଛି ଗ୍ରାମରେ ବାସହୀନ ଲୋକ ଏହି ଜମିରେ ବାସ କରୁଥିଲେ ହେଁ ଗୋଚର ଜମିର ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ସେହି ଲୋକମାନଙ୍କୁ ଆବଶ୍ୟକ ଘରଡିହ ଯୋଗାଇ ହେଉନଥିଲା। ସେହି ବାସହୀନ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଅାବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଜନାରେ ଘର ମିଳୁଥିେଲ ବି ବାସଯୋଗ୍ୟ ଜମି ଅଭାବରୁ ଘର କରିବାର ସୁଯୋଗ ମିଳୁନଥିଲା। ତେଣୁ ସେହିଗ୍ରାମର ଗୋଚର ଜମି ପରିମାଣକୁ କମାଇ ଅଣସଂରକ୍ଷିତ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତାପ୍ରାପ୍ତ କରାଯାଇଛି। ମାତ୍ର ଏହି ଅଣସଂରକ୍ଷିତ କରିବାର ବ୍ୟବସ୍ଥା ସଂରକ୍ଷିତ ଜଙ୍ଗଲର ୩କିମି ଅଞ୍ଚଳ ମଧ୍ୟରେ ଥିବା ଗ୍ରାମ ପାଇଁ ପ୍ରଯୁଜ୍ୟ ହେବ ନାହିଁ।
ସେହିପରି ଗ୍ରାମକଣ୍ଠ ପରମ୍ବୋକ, ନଜୁଲ, ଆବାଦୀ ଓ ଖାସମାହାଲ ଜମିରେ ବସବାସ କରୁଥିବା ଲୋକମାନେ ଅକ୍ଟୋବର ୨୨, ୨୦୧୮ ପୂର୍ବରୁ ବସବାସ କରୁଥିଲେ ପଟ୍ଟା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ପୂର୍ବରୁ ୨୬ ଫେବ୍ରୁଆରି ୨୦୦୬ ମସିହା ପୂର୍ବରୁ ବସବାସ କରୁଥିଲେ ଲୋକମାନେ ଏହି ସବୁ ଜମିର ପଟ୍ଟା ପାଇଁ ଆବେଦନ କରିପାରୁଥିଲେ। ସରକାର ମଧ୍ୟ ଏହାର ଅବଧିକୁ ଏହି ସଂଶୋଧନରେ ବଢ଼ାଇଛନ୍ତି।
ଆଗରୁ କେବଳ ବନୀକରଣ ଓ ବୃକ୍ଷରୋପଣ ନିମନ୍ତେ ଦଖଲ ଅନୁମତି ମିଳୁଥିଲା। ଏହି ସଂଶୋଧନ ପରେ ବନୀକରଣ ଓ ବୃକ୍ଷରୋପଣ ସହିତ ଅନ୍ୟାନ୍ୟ ଉଦ୍ଦେଶ୍ୟ ଯଥା କୌଣସି ନଦୀ, ନାଳ, କେନାଲ ଉପରେ ପୋଲ ତିଆରି ଇତ୍ୟାଦି କାର୍ଯ୍ୟ ନିମନ୍ତେ ଦଖଲ ଅନୁମତି ଦିଆଯାଇପାରିବ। ଏହାଦ୍ବାରା ଜାତୀୟ ରାଜପଥ, ରେଳପଥ ତଥା ଅନ୍ୟାନ୍ୟ ରାସ୍ତା ତ୍ବରିତ ବେଗରେ ଆଗେଇ ପାରିବ। ନକ୍ସଲ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ଆମ ରାଜ୍ୟର ପାରା-ମିଲିଟାରୀ ଫୋର୍ସ ଓ ପୁଲିସ ପରିବାର ଲୋକଙ୍କୁ ଭୁବନେଶ୍ବର ବ୍ୟତୀତ ଅନ୍ୟ ସହରାଞ୍ଚଳରେ ୪ ଡେସିମିଲ ଓ ଗ୍ରାମାଞ୍ଚଳରେ ୧୦ଡେସିମିଲ ଜମି ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି। ଏହାସହ ଏହି ସଂଶୋଧନ ପରେ ଜନସାଧାରଣ ସରକାରଙ୍କ ରାଜସ୍ବ ଦେୟକୁ ଇଲେକ୍ଟ୍ରୋନିକ୍ ଉପାୟରେ ଦେଇପାରିବେ।
ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆୟତ୍ତରେ ଥିବା ସହରାଞ୍ଚଳରେ ୧୦ଏକର ଓ ଗ୍ରାମାଞ୍ଚଳରେ ୧୫ଏକର ପର୍ଯ୍ୟନ୍ତ ସରକାରୀ ଜମିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାମରେ ସମ୍ପୃକ୍ତ ବିଦ୍ୟାଳୟକୁ ମାର୍ଫତ ରଖି ବିନା ମୂଲ୍ୟରେ ରେକର୍ଡ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ସେହିପରି ମହାବିଦ୍ୟାଳୟଗୁଡ଼ିକ ଅଧୀନରେ ଥିବା ଜମିକୁ ଉଚ୍ଚଶିକ୍ଷା ବିଭାଗ ମାର୍ଫତ ସମ୍ପୃକ୍ତ ମହାବିଦ୍ୟାଳୟ ନାମରେ ରେକର୍ଡ କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି ବୋଲି ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି।