ଶ୍ରମିକଙ୍କ ସର୍ବନିମ୍ନ ମଜୁରିରେ ସଂଶୋଧନ: ଏପ୍ରିଲ୍ ୧ରୁ ନୂଆ ମଜୁରି ଲାଗୁ

ଭୁବନେଶ୍ବର: ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରିରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ଚଳିତ ମାସ ୧ରୁ ନୂଆ ମଜୁରି ଲାଗୁ ହୋଇଛି। ଖଣି, ନିର୍ମାଣ, କୃଷି, ଗୁଡ୍‌ ସେଡ୍‌ସରେ ଲୋଡିଂ ଓ ଅନ୍‌ଲୋଡିଂ କାର୍ଯ୍ୟ, ରେଳବାଇର ପାର୍ସଲ ଅଫିସ, ଗୋଦାମ ଏବଂ ଝାଡ଼ୁ ଓ ସଫେଇ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଲାଗି ପରିବର୍ତନଶୀଳ ମହଙ୍ଗା ଭତ୍ତାରେ ସଂଶୋଧନ କରାଯାଇଛି। ସର୍ବନିମ୍ନ ମଜୁରି ସମ୍ପର୍କରେ ଶ୍ରମିକ ସଂଘ ଓ କର୍ମଚାରୀମାନଙ୍କୁ ଅବଗତ କରିବା ଲାଗି ନିରୀକ୍ଷଣ ଅଧିକାରୀମାନଙ୍କୁ ଉପ ଶ୍ରମ କମିସନର (କେନ୍ଦ୍ରୀୟ), ଭୁବନେଶ୍ବର ଶକୁନ୍ତଳା ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଖଣି କ୍ଷେତ୍ରରେ ଭୂପୃଷ୍ଠ ଉପରେ କାର୍ଯ୍ୟ କରୁଥିବା ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୪୪୩ ଟଙ୍କା ହୋଇଥିବା ବେଳେ ଅଳ୍ପ କୁଶଳୀ/ଅଣ କୁଶଳୀ ସୁପରଭାଇଜରିଙ୍କ ୫୫୩ ଟଙ୍କା, କୁଶଳୀ/ କିରାଣୀଙ୍କ ୬୬୩ ଟଙ୍କା ଓ ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୭୭୨ ଟଙ୍କା ହୋଇଛି। ସେହିପରି, ଭୂପୃଷ୍ଠ ତଳେ କାର୍ଯ୍ୟ କରୁଥିବା ଅଣକୁଶଳୀ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୫୫୩ ଟଙ୍କା ହୋଇଥିବା ବେଳେ ଅଳ୍ପ କୁଶଳୀ/ଅଣ କୁଶଳୀ ସୁପରଭାଇଜରିଙ୍କ ୬୬୩ ଟଙ୍କା, କୁଶଳୀ/କିରାଣୀଙ୍କ ୭୭୨ ଟଙ୍କା ଓ ଅତି କୁଶଳୀ ଶ୍ରମିକଙ୍କ ମଜୁରି ୮୮୨ ଟଙ୍କା ହୋଇଛି। ସଡ଼କ, ରନ୍‌ୱେ ଓ କୋଠା ପରିଚାଳନା ଆଦିର ନିର୍ମାଣ ଓ ରକ୍ଷାବେକ୍ଷଣ ଆଦି କ୍ଷେତ୍ରରେ ଭୁବନେଶ୍ବର, କଟକ ଓ ରାଉରକେଲାରେ କାର୍ଯ୍ୟ କରୁଥିବା ଅଣକୁଶଳୀ ଶ୍ରମିକଙ୍କ ମଜୁରି ୫୫୩ ଟଙ୍କା, ଅଳ୍ପ କୁଶଳୀ/ଅଣକୁଶଳୀ ସୁପରଭାଇଜରିଙ୍କ ୬୨୫ ଟଙ୍କା, କୁଶଳୀ/କିରାଣୀଙ୍କ ୭୩୪ ଟଙ୍କା ଓ ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୮୦୬ ଟଙ୍କା ହୋଇଛି। ‌ଭୁବନେଶ୍ବର, କଟକ ଓ ରାଉରକେଲା ବାହାରେ କାର୍ଯ୍ୟ କରୁଥିବା ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୪୪୩ ଟଙ୍କା ହୋଇଥିବା ବେଳେ ଅଳ୍ପ କୁଶଳୀ/ ଅଣ କୁଶଳୀ ସୁପରଭାଇଜରିଙ୍କ ୫୧୯ ଟଙ୍କା, କୁଶଳୀ/କିରାଣୀଙ୍କ ୬୨୫ ଟଙ୍କା ଓ ଅତି କୁଶଳୀଙ୍କ ସର୍ବନିମ୍ନ ମଜୁରି ୭୩୪ ଟଙ୍କା ହୋଇଛି। ସେମାନଙ୍କ ମହଙ୍ଗା ଭତ୍ତା ୯୩ ଟଙ୍କାରୁ ୧୫୫ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି।

କୃଷି କ୍ଷେତ୍ରରେ କଟକ, ଭୁବନେଶ୍ବର ଓ ରାଉରକେଲାରେ କାର୍ଯ୍ୟ କରୁଥିବା ଅଣକୁଶଳୀ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୩୮୫ ଟଙ୍କା, ଅଳ୍ପ କୁଶଳୀ/ ଅଣ କୁଶଳୀ ସୁପରଭାଇଜରିଙ୍କ ୪୨୫ ଟଙ୍କା, କୁଶଳୀ/କିରାଣୀଙ୍କ ୪୬୧ ଟଙ୍କା ଓ ଅତି କୁଶଳୀଙ୍କ ସର୍ବନିମ୍ନ ମଜୁରୀ ୫୧୬ ଟଙ୍କା ହୋଇଛି। ସେହିପରି, ଭୁବନେଶ୍ବର, କଟକ ଓ ରାଉରକେଲା ବାହାରେ କୃଷି ‌କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣକୁଶଳୀ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୩୮୨ ଟଙ୍କା, ଅଳ୍ପ କୁଶଳୀ/ ଅଣ କୁଶଳୀ ସୁପରଭାଇଜରିଙ୍କ ୩୮୯ ଟଙ୍କା, କୁଶଳୀ/କିରାଣୀଙ୍କ ୪୨୪ ଟଙ୍କା ଓ ଅତି କୁଶଳୀଙ୍କ ସର୍ବନିମ୍ନ ମଜୁରି ୪୬୧ ଟଙ୍କା ହୋଇଛି।

ଗୁଡ୍‌ସ ସେଡ୍‌, ରେଳବାଇର ପାର୍ସଲ ଅଫିସ, ଗୋଦାମ ଏବଂ ଡକ୍‌ ଓ ବନ୍ଦର ଆଦିରେ ଭୁବନେଶ୍ବର, କଟକ ଓ ରାଉରକେଲାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୫୫୩ ଟଙ୍କା ହୋଇଥିବା ବେଳେ ଏହି ସହରଗୁଡ଼ିକ ବାହାରେ କାମ କରୁଥିବା ଶ୍ରମିକମାନଙ୍କ ମଜୁରି ୪୪୩ ଟଙ୍କା ହୋଇଛି। ଝାଡ଼ୁ ଓ ସଫେଇ ଆଦି କ୍ଷେତ୍ରରେ ଭୁବନେଶ୍ବର, କଟକ ଓ ରାଉରକେଲାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ମଜୁରି ୫୫୩ ଟଙ୍କା ଓ ବାହାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରି ୪୪୩ ଟଙ୍କା ହୋଇଛି। ନିରୀକ୍ଷଣ ଓ ୱାର୍ଡ ଆଦିରେ ଭୁବନେଶ୍ବର, କଟକ ଓ ରାଉରକେଲାରେ ଅସ୍ତ୍ର ବିନା କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୭୩୪ ଟଙ୍କା ହୋଇଥିବା ବେଳେ ଅସ୍ତ୍ର ଧରି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରି ୮୦୬ ଟଙ୍କା ହୋଇଛି। ଏହି ସହରଗୁଡ଼ିକ ବାହାରେ ବିନା ଅସ୍ତ୍ରରେ କାମ କରୁଥିବା ଶ୍ରମିକଙ୍କ ମଜୁରି ୬୨୫ ଟଙ୍କା ଓ ଅସ୍ତ୍ର ସହ କାମ କରୁଥିବା ଶ୍ରମିକଙ୍କ ମଜୁରି ୭୩୪ ଟଙ୍କା ହୋଇଛି।

ପଥର ଭାଙ୍ଗିବା ଓ କ୍ରସିଂ କାର୍ଯ୍ୟରେ ନିୟୋଜିତ ଥିବା ବିଭିନ୍ନ ପ୍ରକାର ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ମଧ୍ୟ ନିର୍ଧାରଣ କରାଯାଇଛି। କୋମଳ ମାଟି ଖୋଳିବା ଓ ବାହାର କରିବା ପାଇଁ କାମ କରୁଥିବା ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୪୪୭ ଟଙ୍କା, କୋମଳ ମାଟି ସହିତ ପଥର କାମ କରୁଥିବା ଶ୍ରମିକଙ୍କ ମଜୁରି ୬୭୨ ଟଙ୍କା, ପଥର ସହ କାମ କରୁଥିବା ଶ୍ରମିକଙ୍କ ମଜୁରି ୮୯୦ ଟଙ୍କା ହୋଇଛି। ପଥର ବାହାର କରିବା ଏବଂ ଗଦା କରିବା କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୩୫୯ ଟଙ୍କା ହୋଇଛି। ପଥର ଭାଙ୍ଗିବା ଓ ପଥର କ୍ରସିଂ କରିବା କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ମଧ୍ୟ ଧାର୍ଯ୍ୟ କରାଯାଇଛି। ୧ ଇଞ୍ଚରୁ ୧.୫ ଇଞ୍ଚ୍‌ ପଥର ପାଇଁ କାମ କରୁଥିବା ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୨୭୩୬ ଟଙ୍କା‌; ୧.୫-୩ ଇଞ୍ଚର ପଥର ପାଇଁ ୨୩୪୦ ଟଙ୍କା, ୩-୫ ଇଞ୍ଚର ପଥର ପାଇଁ ୧୩୭୪ ଟଙ୍କା ଓ ୫ ଇଞ୍ଚରୁ ବଡ଼ ପଥର ପାଇଁ ସର୍ବନିମ୍ନ ମଜୁରି ୧୧୨୯ ଟଙ୍କା ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର