ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଥିଲା ବେଳେ ସୋମବାର ଦିନ ପୌର ନିର୍ବାଚନ ପାଇଁ ବାଟ ଫିଟିଛି। ପୌର ଆଇନରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳ ଅନୁମୋଦନ ଦେଲା ପରେ ସୋମବାର ଆଇନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ଏହି ସଂଶୋଧିତ ଆଇନ ଅନୁଯାୟୀ ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ସଂରକ୍ଷଣକୁ ସର୍ବାଧିକ ୫୦% ଭିତରେ ସୀମିତ ରଖାଯିବ।
ଗେଜେଟ୍ ବିଜ୍ଞପ୍ତି ଜାରି ହେଲା ପରେ ଏବେ ନଗର ଉନ୍ନୟନ ବିଭାଗ ଉପରେ ରାଜନୈତିକ ମହଲର ନଜର ରହିଛି। ବିଭାଗ ପକ୍ଷରୁ ଯେ କୌଣସି ଦିନ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ। ଏଥର ପୌର ନିର୍ବାଚନରେ ୱାର୍ଡ ପୁନର୍ଗଠନ ସହ ସଂରକ୍ଷଣ କରାଯିବ। ତେଣୁ ଏଥି ପାଇଁ ସର୍ବନିମ୍ନ ଦୁଇରୁ ତିନି ମାସ ସମୟ ଲାଗିପାରେ। ବର୍ତ୍ତମାନ ସରକାର ପଞ୍ଚାୟତ ନିର୍ବାଚନ ଉପରେ ଧ୍ୟାନ ରଖିଥିବାରୁ ସେହି ସମୟରେ ପୌର ନିର୍ବାଚନ ହେବାର ସମ୍ଭାବନା କମ୍। ଆସନ୍ତା ବର୍ଷ ଦ୍ବିତୀୟାର୍ଦ୍ଧରେ ପୌର ନିର୍ବାଚନ ହୋଇପାରେ।
ସୂଚନାଯୋଗ୍ୟ ଯେ ୨୦୧୮ ମସିହାରୁ ପର୍ଯ୍ୟାୟକ୍ରମେ ରାଜ୍ୟର ପୌରାଞ୍ଚଳରେ ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ ହୋଇଛି। କିନ୍ତୁ ନିର୍ବାଚନ ହେଉ ନ ଥିବାରୁ ସବୁଠି ପ୍ରଶାସକ ନିଯୁକ୍ତି ଦିଆଯାଇଛି। ସେମାନଙ୍କର ସାଧାରଣ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ନ ଥିବାରୁ ତୃଣମୂଳ ସ୍ତରରେ ବହୁ ସମସ୍ୟା ସମାଧାନ ହୋଇପାରୁନି। ବ୍ୟକ୍ତିଗତ ଭାବେ ମଧ୍ୟ ଲୋକମାନେ ସେମାନଙ୍କ କାମ ପାଇଁ ହଇରାଣ ହେଉଛନ୍ତି। ତେଣୁ ସହରାଞ୍ଚଳ ଲୋକଙ୍କୁ ତାଙ୍କ ଗଣତାନ୍ତ୍ରିକ ଅଧିକାରୁ ବହୁ ଦିନ ଧରି ବଞ୍ଚିତ ରଖାଯିବାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।