ଭୁବନେଶ୍ବର: ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭ୍ରୂଣହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭୁବନେଶ୍ବର ମହାନଗର ନିଗମର କର୍ପୋରେଟର୍ ଅମରେଶ ଜେନା ଓରଫ୍ ବାଇଁଆ। ଲକ୍ଷ୍ମୀସାଗର ଥାନା ପୁଲିସ ତାଙ୍କୁ ବାଲେଶ୍ବର ଜିଲ୍ଲା ନୀଳଗିରି ବରହମପୁର ଥାନା ଅଞ୍ଚଳରୁ ଗିରଫ କରିଛି। ତାଙ୍କୁ ଭୁବନେଶ୍ବର ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବିଜେଡି ତାଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରିଛି। ଗତ ୨୪ ତାରିଖରେ ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ଚାପରେ ପଡ଼ିଥିଲା। ପୂର୍ବତନ ଛାତ୍ର କଂଗ୍ରେସ ସଭାପତିଙ୍କୁ ରାତିଅଧିଆ ଗିରଫ କରାଯାଇଥିବାବେଳେ ବାଇଁଆଙ୍କ କ୍ଷେତ୍ରରେ କାହିଁକି ପୁଲିସ ଚୁପ୍ ଥିଲା ସେ ନେଇ ସମାଲୋଚନା ହୋଇଥିଲା। ଚାପ ବଢ଼ିବାରୁ ଶନିବାର ରାତିରେ ବାଇଁଆଙ୍କ ୫ ଜଣ ସହଯୋଗୀ ବିବେକ କୁମାର ସ୍ୱାଇଁ, ବିକ୍ରମ ମହାନ୍ତି, ଦେବେନ୍ଦ୍ର ଭୋଳ, ସୁମନ କୁମାର ସାହୁ ଓ ରାଜୀବ ଚମ୍ପତ୍ତିଙ୍କୁ ଗିରଫ କରାଯାଇଥିବାବେଳେ ରବିବାର ପୁଲିସର ଦୁଇଟି ଟିମ୍ ନୀଳଗିରିରେ ଚଢ଼ଉ କରି ବାଇଁଆଙ୍କୁ ଗିରଫ କରିଥିଲା।
ଗିରଫ ପରେ ବାଇଁଆ ଓ ଅର୍ଚ୍ଚନା ପରସ୍ପର ବିରୋଧରେ ମୁହଁ ଖୋଲିଛନ୍ତି। କୋର୍ଟ ଯିବା ସମୟରେ ବାଇଁଆ କହିଛନ୍ତି ଯେ ସେ ଅଭିଯୋଗକାରୀ ଯୁବତୀଙ୍କୁ ଚିହ୍ନି ନାହାନ୍ତି କି ଜାଣି ନାହାନ୍ତି। ତାଙ୍କୁ ଅର୍ଚ୍ଚନା ନାଗ ଫସାଇଛନ୍ତି। ତାଙ୍କ ବିରୋଧରେ ଷଡ୍ଯନ୍ତ୍ର ରଚାଯାଇଛି। ଏ ଘଟଣା ସମ୍ପର୍କରେ ତାଙ୍କୁ ପଚାରନ୍ତୁ ବୋଲି ସେ ଗଣମାଧ୍ୟମରେ କହିଛନ୍ତି। ଅର୍ଚ୍ଚନା କହିଛନ୍ତି, ମୁଁ ଏହି ଘଟଣାରେ ବିଷୟରେ ଜାଣିନି କି
ପୀଡ଼ିତାଙ୍କୁ ଚିହ୍ନିନାହିଁ। ଏହି ଘଟଣାର ସତ୍ୟାସତ୍ୟ ସିଏ ଜାଣିଥିବେ, ପୀଡ଼ିତା ଜାଣିଥିବେ। ମାତ୍ର ସେ କୁକର୍ମରେ ଜଡ଼ିତ ଥିଲେ ବୋଲି ଓଡ଼ିଶାବାସୀଙ୍କୁ ଜଣାଇ ଦେଇଛନ୍ତି। ମୋ ଘଟଣା ପଛରେ ସେ ମାଷ୍ଟରମାଇଣ୍ଡ ଥିଲେ ବୋଲି ପ୍ରମାଣିତ କରିଛନ୍ତି। ବିଗତ ଦିନରେ କହୁଥିଲେ ଅର୍ଚ୍ଚନା ନାଗ୍ଙ୍କୁ ଜାଣିନାହାନ୍ତି, ଆଜି ଜାଣିଗଲେ। ମୋତେ ଚିହ୍ନିପାରିଥିବାରୁ ଧନ୍ୟବାଦ। ଆପଣ କରିଥିବା କର୍ମର ଫଳ ଭୋଗୁଛନ୍ତି, ସୁଧୁରି ଯାଆନ୍ତୁ, ଅପନିନ୍ଦା ଦିଅନ୍ତୁନି ବୋଲି ଅର୍ଚ୍ଚନା କହିଛନ୍ତି। ବାଇଁଆଙ୍କ ଗିରଫ ଘଟଣା ଜଣାପଡ଼ିବା ପରେ ତାଙ୍କର ଶତାଧିକ ସମର୍ଥକ ଲକ୍ଷ୍ମୀସାଗର ଥାନା ଘେରାଉ କରିଥିଲେ। କେଉଁ ଆଧାରରେ ତାଙ୍କୁ ଗିରଫ କରିଛ ବୋଲି ପ୍ରଶ୍ନ କରିଥିଲେ? ସେମାନେ କହିଥିଲେ ଯେ ଯଦି ଯୁବତୀଜଣଙ୍କ ପ୍ରକୃତରେ ଦୁଷ୍କର୍ମର ଶିକାର ହୋଇଥିଲେ, ୨ ବର୍ଷ ପରେ ତାଙ୍କର କ’ଣ ଘଟଣା ମନେ ପଡ଼ିଲା। ବାଇଁଆଙ୍କୁ ଫସାଯାଇଛି କହି ହୋହଲ୍ଲା କରିଥିଲେ। ସନ୍ଧ୍ୟାରେ ମଧ୍ୟ ଝାରପଡ଼ା ଜେଲ୍ ସମ୍ମୁଖରେ ସମର୍ଥକମାନେ ଭିଡ଼ ଜମାଇଥିଲେ।
ପ୍ରକାଶଥାଉକି, ଗତ ୨୪ ତାରିଖରେ ଯୁବତୀ ଜଣଙ୍କ ଅଭିଯୋଗ ଆଣିଥିଲେ ଯେ ସମ୍ପର୍କ ନିବିଡ଼ ହେବା ପରେ ବାଇଁଆ ପ୍ରଥମେ ତାଙ୍କୁ ପୁରୀକୁ ନେଇ ସେଠାରେ ଜଣେ ସାଙ୍ଗଙ୍କ ଘରେ ଶାରୀରିକ ସମ୍ପର୍କ ରଖିଥିଲେ। ୨୦୨୪ ଫେବ୍ରୁଆରିରେ ସେ ଦୁଇ ମାସର ଗର୍ଭବତୀ ଥିବା ଜଣାଇବା ପରେ ବାଇଁଆ ତାଙ୍କ ଗର୍ଭ ନଷ୍ଟ କରିଥିଲେ। କିଛି ମାସ ମଧ୍ୟରେ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ବିବାହ କରିବେ ବୋଲି କହିଥିଲେ। ଗର୍ଭ ନଷ୍ଟ ପରେ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ସମ୍ପର୍କ ରଖିଥିଲେ। ଗତ ଏପ୍ରିଲ୍ ମାସରେ ବାଇଁଆ ଯୁବତୀଙ୍କୁ ନିଜ କାର୍ରେ ନେଇ ହଠାତ୍ ତାଙ୍କଠାରୁ ମୋବାଇଲ୍ ଛଡ଼ାଇ ନେବା ସହ ଦୂରେଇ ରହିବାକୁ କହିଥିଲେ। ଉଭୟଙ୍କ ଭିତରେ ଥିବା ସମ୍ପର୍କ ଓ ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଏ ନେଇ ଲକ୍ଷ୍ମୀସାଗର ଥାନା କେସ୍ ନଂ ୩୯୪, ବିଏନ୍ଏସ୍ ଦଫା ୬୪ (୨) (ଏମ), ୮୯, ୨୯୬, ୩୫୧ (୨) ଓ ପୋକ୍ସୋ ଆକ୍ଟ-୨୦୧୨ ଧାରା ୬ରେ ମାମଲା ରୁଜୁ ହୋଇଛି।