କିଟ୍‍ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଆମେରିକାର ଆବେଟ୍‍ ସ୍ୱୀକୃତି

୬ଟି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ସ୍ୱୀକୃତି ମିଳିବାରେ ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ

ଚନ୍ଦ୍ରଶେଖରପୁର : କିଟ୍‍ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂର ୬ଟି ପାଠ୍ୟକ୍ରମକୁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେସନ୍‍ ବୋର୍ଡ ଫର୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‍)ର ସ୍ୱୀକୃତି ମିଳିଛି। ଗୋଟିଏ ଅନୁଷ୍ଠାନର ୬ଟି ପାଠ୍ୟକ୍ରମକୁ ଆବେଟ୍‌ ମାନ୍ୟତା ମିଳିବାରେ କିଟ୍‍ ବିଶ୍ୱବିଦ୍ୟାଳୟ ଦେଶର ପ୍ରଥମ ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିଛି। ଏହି ମାନ୍ୟତା ପାଇବା ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ମାନ୍ୟତା ପାଇବା ଦ୍ୱାରା କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ତର୍ଜାତୀୟସ୍ତରରେ ନିଜ ଭବିଷ୍ୟତ ତିଆରି କରିବାରେ ଆଉ ଏକ ସୁଯୋଗ ସୃଷ୍ଟି ହୋଇଛି। ଆବେଟ୍‍ ମାନ୍ୟତା ପାଇଁ ଯେ କୌଣସି ବୈଷୟିକ ବିଶ୍ୱବିଦ୍ୟାଳୟ ପାଇଁ ଅତ୍ୟନ୍ତ ସମ୍ମାନର ବିଷୟ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆବେଟ୍‍ ହେଉଛି ଇଞ୍ଜିନିୟରିଂ ଓ ଇଞ୍ଜିନିୟରିଂ ଟେକ୍ନୋଲୋଜି ଶିକ୍ଷାକୁ ମାନ୍ୟତା ପ୍ରଦାନ କରୁଥିବା ବିଶ୍ୱର ପ୍ରମୁଖ ସଂଗଠନ। ଇଞ୍ଜିନିୟରିଂ ଶିକ୍ଷା ପାଇଁ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ’ ଭାବେ ବିବେଚିତ ହେଉଥିବା ଆବେଟ୍‍ ଗୁଣାତ୍ମକ ମାନ ଥିବା ପାଠ୍ୟକ୍ରମ ସହ ଉତ୍ତୀର୍ଣ୍ଣ ହେଉଥିବା ସ୍ନାତକମାନଙ୍କୁ ଅନ୍ତର୍ଜାତୀୟସ୍ତରର କର୍ମକ୍ଷେତ୍ରରେ ପ୍ରବେଶ କରିବାର ସୁଯୋଗ ଦେଇଥାଏ। ଗୁଣାତ୍ମକ ଶିକ୍ଷା ସହ ଅନ୍ୟାନ୍ୟ ବିଷୟରେ ସମାନୁପାତିକ ଉନ୍ନତ ମାନ ପାଇଁ ଆମେରିକାର ଆବେଟ୍‍ କିଟ୍‍ର ୬ଟି ପାଠ୍ୟକ୍ରମକୁ ଏକାଥରକେ ସ୍ୱୀକୃତି ପ୍ରଦାନ କରିଛି। ବିଶ୍ୱସ୍ତରରେ ସମ୍ମାନିତ ବେଞ୍ଚମାର୍କ ପ୍ରଦାନ କରୁଥିବା ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ସଂଗଠନ ଆଇଇଟି (ଇଂଲଣ୍ଡ) ଦ୍ୱାରା ଏହି ଉଚ୍ଚ ଗୁଣବତ୍ତା-ଭିତ୍ତିକ ପାଠ୍ୟକ୍ରମ ମଧ୍ୟ ସ୍ୱୀକୃତିପ୍ରାପ୍ତ। ଏହା ପୂର୍ବରୁ କିଟ୍‍ ବିଶ୍ୱବିଦ୍ୟାଳୟ ଭାରତ ସରକାରଙ୍କ ବିଭିନ୍ନ ବୈଧାନିକମଣ୍ଡଳ ଦ୍ବାରା ସର୍ବଭାରତୀୟସ୍ତରରେ ସର୍ବୋଚ୍ଚ ମାନ୍ୟତା ପାଇବାର ଗୌରବ ଅର୍ଜନ କରିଛି।

ସମ୍ବନ୍ଧିତ ଖବର