ଶ୍ରୀମନ୍ଦିର ସଂସ୍କାର ଉପରେ ଆମିକସ୍ କ୍ୟୁରିଙ୍କ ଆଲୋଚନା : ମାର୍ଜିତ ହୁଅ, ସ୍ବତ୍ବ ରହିବ

ରୋଷଘର, ଆନନ୍ଦବଜାର ପରିଚ୍ଛନ୍ନତା ଉପରେ କ୍ଷୋଭ, ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅନୁପାଳନ ନେଇ ତାଗିଦ୍

ପୁରୀ : ଆଗ ମାର୍ଜିତ ହୁଅ, ତା’ପରେ ବଂଶାନୁକ୍ରମିକ ସେବା ରଖିବାକୁ ପ୍ରସ୍ତାବ ଦିଆଯିବ। ଶ୍ରୀମନ୍ଦିର ସେବାୟତମାନଙ୍କୁ ଆଜି ଏମିତି କଥା ଶୁଣାଇଛନ୍ତି ଆମିକସ୍‌ କ୍ୟୁରି ରଞ୍ଜିତ କୁମାର। ଶ୍ରୀନ୍ଦିର ସଂସ୍କାର ପ୍ରସଙ୍ଗରେ ଅନୁଧ୍ୟାନ କରିବାକୁ ଆସିଥିବା ଆମିକସ୍‌ କ୍ୟୁରି ସେବାୟତମାନଙ୍କ ସହ ଆଲୋଚନା ବେଳେ କହିଥିଲେ, ଯୋଗ୍ୟମାନେ ହିଁ ମହାପ୍ରଭୁଙ୍କ ସେବା କାର୍ଯ୍ୟ ତୁଲାନ୍ତୁ। ଯାହାଦ୍ବାରା ଶ୍ରୀମନ୍ଦିରରେ ଶୃଙ୍ଖଳା ଆସିବ ଓ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରି ଫେରିବେ। କେବଳ ସେବକ ନୁହନ୍ତି, ଶ୍ରୀମନ୍ଦିର ପ୍ରଶାସନକୁ ବି ସେ ତାଗିଦ୍‌ କରିଥିଲେ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା ‌କମିଟି ବୈଠକରେ ଶ୍ରୀ କୁମାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରା ଦିଆଯାଇଥିବା ୧୨ଟି ପ୍ରସ୍ତାବର କାର୍ଯ୍ୟକାରିତା ଉପରେ କୈଫିୟତ ମାଗିଥିଲେ। ସେହି ସବୁ ପ୍ରସ୍ତାବ କାର୍ଯ୍ୟକାରୀ ଦିଗରେ କି କି ଅଗ୍ରଗତି ହୋଇଛି ତାହା ପଚାରି ବୁଝିଥିଲେ। ଏହାର ଉତ୍ତର ଦେବାକୁ ଯାଇ ଶ୍ରୀମନ୍ଦିର ପ୍ରଶାସନ କହିଥିଲା, ଧାଡ଼ି ଦର୍ଶନ, ଦାନଦକ୍ଷିଣା ବନ୍ଦ ପାଇଁ ପଦକ୍ଷେପ ନିଆଯାଇଛି। ଅନ୍ନଦାନ ଭୋଗ କମିଟି ଉପରେ କୈଫିୟତ ମଗାଯାଇଛି। ରୋଷଘର ଚୁଲା ଅଧିଗ୍ରହଣ ନେଇ ପଦକ୍ଷେପ ନିଆଯାଉଛି। ତେବେ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ପୂର୍ଣ୍ଣ ଭାବେ ନ ମିଳିବାରୁ ଏହାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ ଆମିକସ୍‌ କ୍ୟୁରି। ଶେଷରେ ସେବାୟତମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ‌ଦେବାକୁ ଶିକ୍ଷାନୁଷ୍ଠାନ ସ୍ଥାପନ ପାଇଁ ପରାମର୍ଶ ‌ଦେଇଥିଲେ।

ଶ୍ରୀମନ୍ଦିର ଆଇନ୍‌ ସଂଶୋଧନ ପ୍ରସଙ୍ଗରେ ଆମିକସ୍‌ କ୍ୟୁରିଙ୍କ ପ୍ରଶ୍ନର ଉତ୍ତରରେ ମନ୍ଦିର ପ୍ରଶାସନ ପକ୍ଷରୁ ସବ୍‌କମିଟି ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ସବ୍‌କମିଟି ରିପୋର୍ଟ ପ୍ରସ୍ତୁତ କରି ହସ୍ତାନ୍ତର କରିବାକୁ ଶ୍ରୀ କୁମାର ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ସମସ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଅତିରିକ୍ତ ସମୟ ମାଗିଥିଲା ଶ୍ରୀମନ୍ଦିର ପ୍ରଶାସନ। ବୈଠକରେ ଶ୍ରୀ କୁମାର ଶ୍ରୀମନ୍ଦିର ରୋଷଘର ଏବଂ ଆନନ୍ଦବଜାର ପରିଚ୍ଛନତା ଉପରେ ଉଦ୍‌ବେଗ ପ୍ରକାଶ କରିଥିଲେ। ମହାପ୍ରସାଦ ଭକ୍ତଙ୍କ ଭାବାବେଗ ସହ ଜଡ଼ିତ। ତେଣୁ ଏହାର ପ୍ରସ୍ତୁତି ଓ ପରିବେଷଣ ଅତ୍ୟନ୍ତ ସ୍ବଚ୍ଛ ଓ ଭକ୍ତିପୂର୍ଣ୍ଣ ସ୍ଥିତିରେ ହେବା କଥା। ଏଥି ପାଇଁ ଅଧିକ ଧ୍ୟାନ ଦିଆଯିବା ସହ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ କୁମାର ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୮ଟାରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ସହ ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। ମନ୍ଦିରକୁ ପାଖରୁ ପରଖିଥିଲେ ତ ଆଉ କେଉଁଠି ଦୂରରୁ ଅନୁଧ୍ୟାନ କରିଥିଲେ। ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା, ସେବାୟତଙ୍କ ଆଚାର ବ୍ୟବହାର ସବୁ କିଛି ଅନୁଧ୍ୟାନ କରିଥିଲେ। ପରେ ସେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ପୁରୀ ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ, ଏସ୍‌ପି ଉମାଶଙ୍କର ଦାଶ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ଛତିଶା ନିଯୋଗ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଶେ‌ଷରେ ମାମଲାର ଆବେଦନକାରିଣୀ ମୃଣାଳିନୀ ପାଢ଼ୀଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର