ଛତିଶା ନିଯୋଗ କର୍ମକର୍ତ୍ତାଙ୍କ ସହ ଆମିକସ୍‌ କ୍ୟୁରିଙ୍କ ଆଲୋଚନା : ସମସ୍ତଙ୍କୁ ମିଳିପାରିବନି ବଂଶଗତ ଅଧିକାର

ପୁରୀ : ଏବେ ମନ୍ଦିରରେ ୨୨ ଶହରୁ ଅଧିକ ସେବକ ରହିଛନ୍ତି। ଏତେ ସେବକଙ୍କର ଏଠି ଆବଶ୍ୟକତା ଅଛି କି? ତେଣୁ ଆବଶ୍ୟକ ଥିବା ସେବକଙ୍କ ବଂଶଗତ ଅଧିକାର ସୁରକ୍ଷା ପାଇଁ ପ୍ରସ୍ତାବ ଦିଆଯିବ। ଅନ୍ୟମାନଙ୍କ ପାଇଁ ଏହି ପ୍ରସ୍ତାବ ରହି ନପାରେ ବୋଲି କହିଛନ୍ତି ଆମିକସ୍‌ କ୍ୟୁରି ରଞ୍ଜିତ କୁମାର। ଆଜି ପ୍ରଶାସନିକ ଅଧିକାରୀଙ୍କ ଅନୁପସ୍ଥିତିରେ ଆମିକସ୍‌ କ୍ୟୁରି ସେବାୟତ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ସେବକମାନେ ସଂସ୍କାର ମାମଲାର ଆବେଦନ ଓ ଆଦେଶ ଉପରେ ଉଠାଇଥିଲେ ଅନେକ ପ୍ରଶ୍ନ।

ସେବାୟତମାନଙ୍କର ଯୁକ୍ତି ଥିଲା, ମାମଲାର ଆବେଦନରେ ବିଶୃଙ୍ଖଳା, ଅବ୍ୟବସ୍ଥା ନେଇ ଦର୍ଶାଯାଇଛି। ଯାହା ମୂଳତଃ ପ୍ରଶାସନିକ ଅପାରଗତା ଆଡ଼କୁ ଆଙ୍ଗୁଳି ଦେଖାଉଛି। ଶୃଙ୍ଖଳା ରକ୍ଷା କରିବା ହେଉଛି ପ୍ରଶାସନର କାର୍ଯ୍ୟ। ମନ୍ଦିର ପରିସର ସ୍ବଚ୍ଛତା ହେଉ ବା ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପ୍ରଶାସନିକ କାର୍ଯ୍ୟ। ରୀତିନୀତି ପରିଚାଳନା ମଧ୍ୟ ପ୍ରଶାସନର ଦାୟିତ୍ବ। ସବୁଥିରେ ପ୍ରଶାସନର ତ୍ରୁଟି ରହିଛି। କୌଣସି ସଂସ୍ଥାର ଶୃଙ୍ଖଳା ପାଇଁ ପ୍ରଶାସନିକସ୍ତରରେ ଶୃଙ୍ଖଳା ଆବଶ୍ୟକ। ମାତ୍ର ସେସବୁ କିଛି ହେଲା ନାହିଁ। ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ୧୨ଟି ନିର୍ଦ୍ଦେଶରେ ପ୍ରଶାସନିକ ସଂସ୍କାର ଉପରେ ‌କୌଣସି ଟିପ୍ପଣୀ ନାହିଁ। କେବଳ ସେବାୟତଙ୍କ ଉପରେ ସମସ୍ତ ନିର୍ଦ୍ଦେଶ ରହିଛି। ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ହୃଦୟଙ୍ଗମ କରି ଆମିକସ କ୍ୟୁରି ଉପଯୁକ୍ତ ପ୍ରଶ୍ନ ବୋଲି ଉଲ୍ଲେଖ କରିଥିଲେ। ଏହାବ୍ୟତୀତ ସଂସ୍କାର ପାଇଁ ମାମଲା ଦାଖଲ ହେବା ପରେ ଏକ୍ସପାର୍ଟି ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ। ଜିଲ୍ଲା ଜଜ୍‌ଙ୍କ ସୁପାରିଶକୁ ବି ଗ୍ରହଣ କରି ନିର୍ଦ୍ଦେଶ ଦେଲେ। ଏଥିରେ ସେବାୟତଙ୍କୁ ପକ୍ଷ ରଖିବାକୁ ସୁଯୋଗ ମିଳୁନାହିଁ। ଅନେକ ସମୟରେ ସେବାୟତମାନେ ପକ୍ଷ ରଖିବାକୁ ଯାଇ ଠକାମୀର ଶିକାର ହେଉଛନ୍ତି। ଆମର ପକ୍ଷ ସୁପ୍ରିମ୍‌କୋର୍ଟଙ୍କ ଆଗରେ ରହିବା ଆବଶ୍ୟକ ବୋଲି ଦର୍ଶାଇଥିଲେ। ବଂଶାନୁକ୍ରମିକ ସେବା ବ୍ୟତୀତ ଅନ୍ନଦାନ ଭୋଗ ପ୍ରସଙ୍ଗରେ ବି ଆମିକସ କ୍ୟୁରିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସେବକମାନେ। ଏ ଦିଗରେ ଯଥା ସମ୍ଭବ ପ୍ରସ୍ତାବ ସୁପ୍ରିମକୋର୍ଟଙ୍କୁ ଦେବେ ବୋଲି ଆମିକସ୍‌ କ୍ୟୁରି କହିଥିଲେ।

ସମ୍ବନ୍ଧିତ ଖବର