ଗର୍ଭଗୃହରେ ଆମିକସ୍‌କ୍ୟୁରି

ମନ୍ଦିର ପ୍ରଶାସନ ମନା କରିଥିଲା, ଭିଡ଼ି ନେଲେ ସେବାୟତ

ପୁରୀ : ସେବାୟତଙ୍କୁ ଘାରିଛି ଦାନଦକ୍ଷିଣା ଓ ବଂଶାନୁକ୍ରମିକ ପରମ୍ପରା ଉଚ୍ଛେଦର ଭୟ। ସେବାୟତକୁଳ ଏତେ ଭୟଭୀତ ଯେ, ଆଇନକୁ ମଧ୍ୟ ଜଳାଞ୍ଜଳି ଦେବାକୁ ପଛାଇନାହାନ୍ତି। ନିଜେ ବଞ୍ଚିବାକୁ ଯାଇ ସେବାୟତମାନେ ଆଜି ଏକ ମସ୍ତବଡ ଭୁଲ କରି ବସିଛନ୍ତି। ଆମିକସ୍‌କ୍ୟୁରିଙ୍କ ରିପୋର୍ଟ ଉପରେ ସେବକଙ୍କ ଭାଗ୍ୟ ନିର୍ଭର କରୁଥିବାରୁ ସେମାନେ ସବୁ କଟକଣାକୁ ଆଖି ବୁଜି ଆଜି ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ ଗର୍ଭ ଗୃହରେ ପୁରାଇ ଦେଇଛନ୍ତି। ନିଜେ ଶ୍ରୀ ସୁବ୍ରମଣ୍ୟମ୍‌ ଏ ନେଇ ଅନିଚ୍ଛା ପ୍ରକାଶ କରିଥିଲେ ହେଁ କିଛି ସେବାୟତ ସ୍ୱାର୍ଥ ପାଇଁ ଏପ୍ରକାର ଭୁଲ କରିବାକୁ ପଛାଇନାହାନ୍ତି। ଏମିତିକି ମନ୍ଦିର ପ୍ରଶାସନର ଅଧିକାରୀ ବାରଣ କରିଥିଲେ ବି ସେବାୟତମାନେ ଏହାକୁ ମାନିବାକୁ ପ୍ରସ୍ତୁତ ନଥିଲେ। କେବଳ ଆମିକସ୍‌କ୍ୟୁରିଙ୍କୁ ଖୁସି କରିବା ପାଇଁ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇଥିବା କୁହାଯାଉଛି।

ଆମିକସ୍‌କ୍ୟୁରି ଶ୍ରୀ ସୁବ୍ରମଣ୍ୟମ ଆଜି ସକାଳେ ଧୋତି ଲୁଗା ପିନ୍ଧି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ମଙ୍ଗଳ ଆଳତି ଦର୍ଶନ ପରେ ଆମିିକସ୍‌କ୍ୟୁରିଙ୍କୁ ଗର୍ଭଗୃହ ଭିତରକୁ ପାଛୋଟି ନିଆଯାଇଥିଲାା। ତେବେ ସେଠାରେ ଉପସ୍ଥିତ ଥିବା ଶ୍ରୀମନ୍ଦିର ପ୍ରଶାସନର କିଛି ଅଧିକାରୀ ଏହାକୁ ବାରଣ କରିଥିଲେ। ଏହା ଆଇନ୍‌ ବିରୋଧୀ ଓ ଜଷ୍ଟିସ ବିପି ଦାସ କମିସନ୍‌ଙ୍କ ରିପୋର୍ଟର ବିରୁଦ୍ଧାଚରଣ କରୁଛି ବୋଲି କହିଥିଲେ। ନିଜେ ଆମିକସ୍‌କ୍ୟୁରି ମଧ୍ୟ ଯିବାକୁ ଚାହୁଁନଥିଲେ। କିନ୍ତୁ ଉପସ୍ଥିତ କିଛି ସେବାୟତ ତାଙ୍କୁ ଅନୁରୋଧ କରି ଗର୍ଭଗୃହ ଭିତରକୁ ନେଇ ଯାଇଥିଲେ। ସୂଚନାଯୋଗ୍ୟ, ଜଷ୍ଟିସ ବିପି ଦାସ କମିସନଙ୍କ ରିପୋର୍ଟ ଆଧାରରେ ଗର୍ଭଗୃହ ପ୍ରବେଶ ଉପରେ କଟକଣା ରହିଛି। ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ନେପାଳ ରାଜାଙ୍କ ବ୍ୟତୀତ ଆଉ କାହାରିକୁ ଗର୍ଭଗୃହ ପ୍ରବେଶ ଅନୁମତି ନାହିଁ। ସୁପ୍ରିମକୋର୍ଟ, ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଗର୍ଭଗୃହରେ ପ୍ରବେଶ କରିନାହାନ୍ତି। କିଛି ଦିନ ତଳେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଶ୍ରୀମନ୍ଦିର ଆସିଥିବା ବେଳେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ତେବେ କେଉଁ ପରିସ୍ଥିତିରେ ଆମିକସ୍‌କ୍ୟୁରି ଗର୍ଭଗୃହ ଭିତରକୁ ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନ ଉଠିଛି। ଏ ସଂପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାଶଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଆମିକସ୍‌କ୍ୟୁରିଙ୍କୁ ଗର୍ଭଗୃହକୁ ନ ନେବା ପାଇଁ ମନ୍ଦିର ପକ୍ଷରୁ ଦାୟିତ୍ୱରେ ଥିବା ଅଧିକାରୀ କହିଥିଲେ। ଏ ସଂପର୍କରେ ଆମିକସକ୍ୟୁରିଙ୍କୁ ଅବଗତ କରାଯିବା ପରେ ସେ ବୁଝି ଯାଇଥିଲେ। ମାତ୍ର କିଛି ସେବାୟତ ଆମିକସ୍‌କ୍ୟୁରିଙ୍କୁ ଭିତରକୁ ନେଇଥିଲେ ବୋଲି ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର