ଶ୍ରୀମନ୍ଦିର ସଂସ୍କାର ନେଇ ଆମିକସ୍‌ କ୍ୟୁରିଙ୍କ ଆଲୋଚନା : ‘ସଂସ୍କାର ହେଉ; ପରମ୍ପରା ବି ରହୁ’

ଗଜପତି, ଏଜି, ପରିଚାଳନା କମିଟି ଓ ଛତିଶା ନିଯୋଗ ସହ ଆଲୋଚନା ଆଜି

ପୁରୀ : ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଆଜିଠାରୁ ତାଙ୍କର ଶୁଣାଣି ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ମନ୍ଦିର ପ୍ରଶାସନଠାରୁ ଶ୍ରୀମନ୍ଦିର ପ୍ରଥା ଓ ପରମ୍ପରା ସଂପର୍କରେ ଅବଗତ ହେବା ପରେ ଆମିକସ୍‌ କ୍ୟୁରି ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ବିଚାରବିମର୍ଶ କରି ଆବଶ୍ୟକ ପରାମର୍ଶ ନେଇଛନ୍ତି। ଏଥି ସହ ଶ୍ରୀମନ୍ଦିର ପରିଚାଳନାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ତିନିଜଣିଆ କମିଟି, ଜିଲ୍ଲା ଜଜ୍‌, ଆଇନ ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛନ୍ତି। ତେବେ ଆଲୋଚନା ସମୟରେ ଶ୍ରୀ ସୁବ୍ରମଣ୍ୟମ ଗୋଟିଏ କଥା ଦୋହରାଇଛନ୍ତି-ଶ୍ରୀମନ୍ଦିରରେ ସଂସ୍କାର ହେଉ, ଏହାସହ ପ୍ରଥା ଓ ପରମ୍ପରା ବି ବଜାୟ ରହୁ। ଆସନ୍ତାକାଲି ଗଜପତି ମହାରାଜ ଓ ଅନ୍ୟମାନଙ୍କ ସହ ତାଙ୍କର ଆଲୋଚନା କାର୍ଯ୍ୟକ୍ରମ ରହିଛି।

ଶୁଣାଣି ଆରମ୍ଭ ପୂର୍ବରୁ ଆଜି ସକାଳେ ଆମିକସ୍‌ କ୍ୟୁରି ଶ୍ରୀ ସୁବ୍ରମଣ୍ୟମ୍‌ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପୂର୍ବାହ୍ଣ ୧୦ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ ଆଲୋଚନା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ନୀତି ପ୍ରଶାସକଙ୍କ ସହ ଶ୍ରୀମନ୍ଦିର ପ୍ରଥା, ପରମ୍ପରା, ଇତିହାସ ସଂପର୍କରେ ବୁଝିଥିଲେ। ଏହି ସମୟରେ ଶ୍ରୀମନ୍ଦିର ସଂସ୍କାର ଉପରେ ସୁପ୍ରିମ୍‌କୋର୍ଟଙ୍କ ୧୨ଟି ପ୍ରସ୍ତାବରୁ ୩ଟି ପ୍ରସ୍ତାବରେ ସେବାୟତମାନେ ସହମତ ନଥିବା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆମିକସ୍‌ କ୍ୟୁରିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବଂଶାନୁକ୍ରମିକ ସେବା ଉଚ୍ଛେଦ, ଅନ୍ନଦାନ ଆଟିକା, ଥାଳି ପ୍ରଥା ବନ୍ଦ ଓ ଶ୍ରୀମନ୍ଦିର ଆଇନରେ ସଂଶୋଧନ ଉପରେ ତିନିଟି କମିଟି ଗଠନ କରାଯାଇ ବିଚାରବିମର୍ଶ ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ଫେବ୍ରୁଆରିରୁ ଅନ୍‌ଲାଇନ୍‌ ଆକାଉଣ୍ଟ୍‌ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି। କର୍ମଚାରୀ ସଂଖ୍ୟା କମାଇବା ପାଇଁ କମିଟି ଗଠନ କରାଯାଇଛି ଓ ଏହା ଉପରେ ତର୍ଜମା ଚାଲିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଆମିକସ୍‌ କ୍ୟୁରିଙ୍କୁ ଅବଗତ କରିଥିଲେ। ସେହିଭଳି ରୋଷଘର ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ପାଇଁ କମିଟି ଗଠନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦିଆଯାଇଥିଲା।

ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଶ୍ରୀ ସୁବ୍ରମଣ୍ୟମ୍‌ ପୂର୍ବାହ୍ଣ ସାଢ଼େ ୧୧ଟାରେ ଗୋବର୍ଦ୍ଧନ ପୀଠକୁ ଯାଇ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଥିଲେ। ସେଠାରେ ଶଙ୍କରାଚାର୍ଯ୍ୟଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା କରିବା ପରେ ପୁନର୍ବାର ସର୍କିଟ୍‌ ହାଉସ୍‌କୁ ଫେରି ଯାଇଥିଲେ। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ଶ୍ରୀମନ୍ଦିରକୁ ସଂସ୍କାରଯୁକ୍ତ, ଶିକ୍ଷାଯୁକ୍ତ କରିବାକୁ ମତ ଦେଇଛି। ଶ୍ରୀମନ୍ଦିର ଯେପରି ଶୋଷଣମୁକ୍ତ ହୋଇପାରିବ ଏବଂ ଭକ୍ତମାନେ ଭଲରେ ଦର୍ଶନ କରି ଫେରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ମତ ରଖିଛି। ଏ ସଂପର୍କରେ ଶ୍ରୀ ସୁବ୍ରମଣ୍ୟମ୍‌ କହିଛନ୍ତି, ଶ୍ରୀମନ୍ଦିରରେ କ’ଣ ସଂସ୍କାର ଆବଶ୍ୟକ ରହିଛି ତା ଉପରେ ଶଙ୍କରଚାର୍ଯ୍ୟ ନିଜର ଭାବନା ଓ ପରାମର୍ଶ ଦେଇଛନ୍ତି। ଏହି ପରାମର୍ଶ ଓ ଭାବନାକୁ ନେଇ ମୁଁ ଆଗକୁ ବଢ଼ିବି।

ଅପରାହ୍ଣ ୪ଟାରେ ସର୍କିଟ୍‌ ହାଉସ୍‌ରେ ଶ୍ରୀ ସୁବ୍ରମଣ୍ୟମ୍‌ ତିନିଜଣିଆ କମିଟି ଏବଂ ଆଇନ ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ କମିଟିର ଅଧ୍ୟକ୍ଷ ସୁରେଶ ମହାପାତ୍ର କହିଥିଲେ, ଯାତ୍ରୀମାନେ କିଭଳି ଠିକ୍‌ରେ ଦର୍ଶନ କରିପାରିବେ, ଶ୍ରୀମନ୍ଦିରରେ କେଉଁ ପ୍ରକାର ସଂସ୍କାର ଆବଶ୍ୟକ, କ’ଣ କଲେ ଶ୍ରୀମନ୍ଦିରର ପ୍ରଥା, ପରମ୍ପରା ବଜାୟ ରହିବ ସେ ନେଇ କମିଟି ମତ ରଖିଛି। ଆଗରୁ ଯେଉଁ ରିପୋର୍ଟ ସୁପ୍ରିମ୍‌କୋର୍ଟଙ୍କୁ ଦିଆଯାଇଛି ତା’ ଉପରେ ବି ବିସ୍ତତ ଆଲୋଚନା ହୋଇଥିଲା। ସଂଧ୍ୟାରେ ପୁରୀ ଜିଲ୍ଲା ଦୌରାଜଜ୍‌ ଅମ୍ବୁଜ ମୋହନ ଦାସଙ୍କ ସହ ଆମିକସ୍‌ କ୍ୟୁରି ଶ୍ରୀ ସୁବ୍ରମଣ୍ୟମ୍‌ ଶ୍ରୀମନ୍ଦିର ସଂସ୍କାର ଉପରେ ଆଲୋଚନା କରିଥିଲେ।

ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ଆମିକସ୍‌ କ୍ୟୁରି ଶ୍ରୀ ସୁବ୍ରମଣ୍ୟମ୍‌ ରାଜନଅରକୁ ଯାଇ ଗଜପତି ମହାରାଜଙ୍କ ସହ ଶ୍ରୀମନ୍ଦିର ସଂସ୍କାର ଉପରେ ଆଲୋଚନା କରିବେ। ପୂର୍ବାହ୍ଣ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହାପରେ ସର୍କିଟ୍‌ ହାଉସ୍‌ରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୁରୀ ସାଂସଦ ପିନାକୀ ମିଶ୍ର, ଆଡଭୋକେଟ୍‌ ଜେନେରାଲ୍‌ ପ୍ରମୁଖ ଶ୍ରୀ ସୁବ୍ରମଣ୍ୟମ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣ ୪ଟାରେ ଛତିଶା ନିଯୋଗ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଆଲୋଚନା କାର୍ଯ୍ୟକ୍ରମ ରହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି। ଏହା ଭିତରେ ଯଦି ଶ୍ରୀ ସୁବ୍ରମଣ୍ୟମ୍‌ ଆଉ କାହାରି ସହିତ ଆଲୋଚନା କରିବାକୁ ଚାହିଁବେ ସେହି ଅନୁସାରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ସମ୍ବନ୍ଧିତ ଖବର