କୋଣାର୍କ ସମ୍ପର୍କରେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ : ମନ୍ଦିର ସ୍ଥିତି ଠିକ୍‌ ନାହିଁ

ସଂରକ୍ଷଣ କାର୍ଯ୍ୟ ସନ୍ତୋଷଜନକ ନୁହେଁ, ଏଏସ୍‌ଆଇକୁ ହାଇକୋର୍ଟଙ୍କ ଜବାବ ତଲବ

କଟକ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିତି ଠିକ୍‌ ନାହିଁ। ଏହାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ମଧ୍ୟ ସନ୍ତୋଷଜନକ ନୁହେଁ। ସଂରକ୍ଷଣ ଓ ମରାମତି ପ୍ରସଂଗକୁ ନେଇ ଆଜି ହାଇକୋର୍ଟରେ ଆମିକସ୍ କ୍ୟୁରି ରିପୋର୍ଟ ଦାଖଲ କରିବା ପରେ ଏଭଳି ତଥ୍ୟ ସ୍ପଷ୍ଟ ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ଜବାବ ରଖିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬କୁ ଧାର୍ଯ୍ୟ କରାଯାଇଛି।

ହାଇକୋର୍ଟଙ୍କ ୨୦୧୯ ଜୁଲାଇ ୨୨ ନି‌ର୍ଦ୍ଦେଶ ଅନୁସାରେ ନିଯୁକ୍ତ ଆମିକସ୍ କ୍ୟୁରି ଇଂଜିନିୟର ଏନ.କେ.ମହାନ୍ତି ଆଜି ଦାଖଲ କରିଥିବା ରିପୋର୍ଟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉଲ୍ଲେଖ କରିଛନ୍ତି। ୨୦୧୯ ଅଗଷ୍ଟ ୧୨ ଓ ସେପ୍ଟେମ୍ବର ୧୩ରେ ସେ କୋଣାର୍କ ମନ୍ଦିର ପରିଦର୍ଶନ କରିବା ସହିତ ସ୍ଥିତି ଅନୁଧ୍ୟାନ କରି ଏହି ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କୋଣାର୍କ ମନ୍ଦିରର ମାଟିର ସ୍ବଭାବ, ରେଖାଗଣିତ ଓ ମୂଳଦୁଆକୁ ଅଧିକ ଅନୁଧ୍ୟାନ କରାଯିବା ଆବଶ୍ୟକ। ମନ୍ଦିର କାନ୍ଥର ଆଭ୍ୟନ୍ତରୀଣ ଅଂଶର ଗୁଣବତ୍ତା ଆକଳନ କରାଯିବା ଉଚିତ। ଏଥିପାଇଁ ବିଭିନ୍ନ ସ୍ଥାନର ପଥରକୁ ପରୀକ୍ଷା କରାଯିବା ଆବଶ୍ୟକ। ଜଗମୋହନ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରାଯିବା ଉଚିତ। ୨୦୧୪, ନଭେମ୍ବର ୨୯ରେ ଅନୁଷ୍ଠିତ ଷ୍ଟିୟରିଂ କମିଟି ବୈଠକରେ ମଧ୍ୟ ଏଭଳି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇନାହିଁ। ସୂର୍ଯ୍ୟ ମନ୍ଦିରର ରାସାୟନିକ ସଫେଇ ଓ ସଂରକ୍ଷଣ ନିୟମିତ ବ୍ୟବଧାନରେ କରାଯିବା ଉଚିତ। ଦକ୍ଷିଣ ପଟେ ସମର୍ଥନ ପାଇଁ ଥିବା ନିର୍ଦ୍ଦିଷ୍ଟ କାନ୍ଥକୁ ହଟାଯାଇ ପ୍ରତ୍ନତତ୍ତ୍ବ ନିୟମ ଅନୁସାରେ ସଂରକ୍ଷଣ କାର୍ଯ୍ୟ କରାଯିବା ଆବଶ୍ୟକ। ମନ୍ଦିରର ଢାଞ୍ଚାକୁ ସଂପୂର୍ଣ୍ଣ ଭାବେ ୱାଟର ଟାଇଟ କରିବା ପାଇଁ ଫାଟ ସ୍ଥାନ ଗୁଡିକରେ ଓ ଯୋଡାଯାଇଥିବା ସ୍ଥାନକୁ ସିଲ୍ କରାଯିବା ଉଚିତ। ଜଗ‌େମାହନ ଭିତରେ ବାଲି ଭରିବା ପ୍ରସଂଗର ପୁନର୍ବିଚାର ପାଇଁ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। ୧୯୮୭ରେ ସାର୍ ବି.ଏମ.ଫିଏଲଡେଡ୍ ଓ ପି.ବେକମ୍ୟାନ ଦେଇଥିବା ରିପୋର୍ଟରେ ବାଲି ଭରିବା ପ୍ରସଂଗକୁ ମନା କରାଯାଇଥିଲା। ତେଣୁ ୟୁନେସ୍କୋ ବିଶେଷଜ୍ଞ, ରୁରକି ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆରଆଇ), ଏଏସଆଇ କର୍ତ୍ତୃପକ୍ଷଙ୍କ ସହିତ ୱାର୍କିଂ ଗ୍ରୁପ୍-୧ ଓ ୨ ଏହି ପ୍ରସଂଗରେ ଆଲୋଚନା କରି ଚୂଡାନ୍ତ ନିଷ୍ପତ୍ତି ନେବାକୁ ଆମିକସ୍ କ୍ୟୁରି ପରାମର୍ଶ ଦେଇଛନ୍ତି। ଅସ୍ଥାୟୀ ଫ୍ରେମ୍ ବା ଛାଞ୍ଚ ଗୁଡିକ ୩/୪ ମାସ ମଧ୍ୟରେ ହଟାଇବା ପାଇଁ ଏଏସଆଇ ସର୍କଲ ମୁଖ୍ୟ ଆଲୋଚନା ସମୟରେ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ମନ୍ଦିର ଚାରିକଡେ ସବୁଜ ବଳୟ ଉପରେ ମଧ୍ୟ ରିପୋର୍ଟରେ ଗୁରୁତ୍ବାରୋପ କରାଯାଇଛି। ନିମୟିତ ବ୍ୟବଧାନରେ କୋଣାର୍କ ସଂରକ୍ଷଣ ପ୍ରସଂଗରେ ବିଭିନ୍ନ ବିଭାଗ ବୈଠକ ଡାକି ତ୍ବରିତ ପଦକ୍ଷେପ ଗ୍ରହଣ ପାଇଁ ଆମିକସ୍ କ୍ୟୁରି ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ୨୦୧୬ରେ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା ଓ ମରାମତି ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ‘ସମ୍ବାଦର ୨୦୧୮, ନଭେମ୍ବର ୧୫ ଓ ୨୫ ତାରିଖ ସଂସ୍କରଣରେ କୋଣାର୍କ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ସଂପର୍କରେ ଖବର ପ୍ରକାଶ ପାଇଥିଲା। କୋଣାର୍କର ସୁରକ୍ଷା ପ୍ରସଂଗକୁ ନେଇ ବିଧାନସଭାରେ ଆଲୋଚନା ହୋଇଥିବା ବେଳେ ବିଧାୟକମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାପରେ ଆବେଦନକାରୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ଅବସ୍ଥା ଏବେ ଚିନ୍ତାଜନକ ପରିସ୍ଥିତିରେ ରହିଛି ଦର୍ଶାଇ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡି ସାନି ପିଟିସନ୍ ଦାଖଲ କରିଥିଲେ। ମାମଲାର ଶୁଣାଣି କରି କୋଣାର୍କ ମରାମତି ପ୍ରସଂଗରେ ସତ୍ୟପାଠ ଦାଖଲ ପାଇଁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏଏସଆଇ ମହାନିର୍ଦ୍ଦେଶକ କୋଣାର୍କ ମରାମତି ପ୍ରସଂଗରେ ରହିଥିବା ବିଭିନ୍ନ ପ୍ରସ୍ତାବ ଓ କାର୍ଯ୍ୟକାରୀ କରାଯାଇଥିବା ଯୋଜନା ସଂପର୍କରେ ସତ୍ୟପାଠ ଦାଖଲ କରିଥିଲେ।

ଏଏସ୍‌ଆଇ ପକ୍ଷରୁ କୋଣାର୍କ ସଂରକ୍ଷଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କୋର୍ଟରେ ତଥ୍ୟ ରଖାଯାଇଥିଲା। ଏଏସଆଇ ଗୋଟିଏ ପଟେ କୋଣାର୍କ ମନ୍ଦିର ପରିସରରେ ଡ୍ରେନେଜ୍ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଥିବା କହିଥିବା ବେଳେ ଏବେ ବି ପରିସରରେ ପାଣି ଜମି ରହୁଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏପରି ପରିସ୍ଥିତିରେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଖଣ୍ଡପୀଠ ଆମିକସ୍ କ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆବେଦନକାରୀ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ଓ ଏଏସଆଇ ତରଫରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର