ପୁରୀ : ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍କୁରି ଗୋପାଳ ସୁବ୍ରମଣ୍ୟମଙ୍କ ପ୍ରତିନିଧିମାନେ ଆଜି ଶ୍ରୀମନ୍ଦିର ପରିଦର୍ଶନ କରିବା ସହ ଆଦେଶ କାର୍ଯ୍ୟକାରିତାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦାନଦକ୍ଷିଣାଠାରୁ ଆରମ୍ଭ କରି ଦାନବାକ୍ସ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଟିକିନିଖି ପଚାରି ବୁଝିଛନ୍ତି। ଆସନ୍ତାକାଲି ବି ଏହି ପ୍ରତିନିଧିମାନେ ପୁନର୍ବାର ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିବେ। ତେବେ ଏ ସଂପର୍କରେ ଗଣମାଧ୍ୟମ ଆଗରେ କେହି ମୁହଁ ଖୋଲିନାହାନ୍ତି।
ଶୁଣିବାକୁ ମିଳିଛି ଯେ, ଏହା ଭିତରେ ଆଦେଶର କାର୍ଯ୍ୟକାରିତା ନେଇ ଆମିକସ୍କ୍ୟୁରି ଦେଇଥିବା ୨୧ ଦିନର କଣ୍ଟ ପୂରଣ ହୋଇସାରିଛି। ସେପଟେ ଆମିକସ୍କ୍ୟୁରି ବି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବା ସମୟ ଗଡ଼ିଚାଲିଛି। ଏହି ଦୃଷ୍ଟିରୁ ଆମିକସ୍କ୍ୟୁରି ନିଜ ପ୍ରତିନିଧିଙ୍କ ଜରିଆରେ ଗୁପ୍ତ ଭାବରେ ସ୍ଥିତି ଯାଞ୍ଚ ପରେ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି। ପ୍ରତିନିଧି ଦଳରେ ବିବେକ ରାଜ, ଡ. ସିଦ୍ଧାର୍ଥ ସାହୁ ପ୍ରମୁଖ ଅଛନ୍ତି। ଏ ସଂପର୍କରେ ଛତିଶାନିଯୋଗର କର୍ମକର୍ତା ଆଗରୁ ଅବଗତ ଥିବା ଶୁଣିବାକୁ ମିଳୁଛି। ତେବେ, ଶ୍ରୀମନ୍ଦିର ପ୍ରଶାସନ କିଛି ଜାଣିନଥିବା କହିଛି।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ଯାଇ ୧୨ଟି ଅନ୍ତରୀଣ ଆଦେଶ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନକୁ ଏହି ଅନ୍ତରୀଣ ଆଦେଶର କାର୍ଯ୍ୟକାରିତା ଉପରେ ରିପୋର୍ଟ ଦେବାକୁ ବି କହିଥିଲେ। ଆଦେଶର କାର୍ଯ୍ୟକାରିତା ନେଇ ଅନୁଧ୍ୟାନ କରିବାକୁ ସୁପ୍ରିମକୋର୍ଟ ଆମିକସ୍କ୍ୟୁରି ଭାବେ ଗୋପାଳ ସୁବ୍ରମଣ୍ୟମଙ୍କୁ ନିଯୁକ୍ତ କରିଛନ୍ତି। ଗତ ମାସରେ ଶ୍ରୀ ସୁବ୍ରମଣ୍ୟମ ପୁରୀ ଆସି ଜଗତଗୁରୁ ଶଙ୍କରଚାର୍ଯ୍ୟ, ବିଭିନ୍ନ ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନ ସହ ଏ ଉପରେ ଆଲୋଚନା କରି ଫେରିଥିଲେ।