୧୫ରେ ସମ୍ବଲପୁର ଆସିବେ ଅମିତ ଶାହ

ଆଜି ଆସୁଛନ୍ତି ଗଡ଼କରୀ

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁଣି ଓଡ଼ିଶା ଗସ୍ତରେ ଆସିବେ। ଚଳିତବର୍ଷର ପ୍ରଥମ ଦୁଇଟି ଗସ୍ତ ଉପକୂଳକୁ ଥିଲା ବେଳେ ଏଥର ପଶ୍ଚିମ ଓଡ଼ିଶା ପାଳି। ଆସନ୍ତା ୧୫ ତାରିଖରେ ସମ୍ବଲପୁର‌େର ବିଜେପି ପକ୍ଷରୁ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ଶ୍ରୀ ଶାହ ବୁଥ୍ ସଭାପତି, ସମ୍ପାଦକ, ପ୍ରଭା‌ରୀ, ସହ-ପ୍ରଭାରୀଙ୍କ ସହ ସାଙ୍ଗଠନିକ ରଣନୀତି ସମ୍ପର୍କରେ ଆଲୋଚନା କରିବେ। ଏହି ସମ୍ମିଳନୀରେ ଢେଙ୍କାନାଳ, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୬୦ ହଜାର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଦଳ ଏକାଠି କରିବ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଜି ଏହି ସୂଚନା ଦେଇଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି, ମୋଦୀ ସରକାର ଓଡ଼ିଶାକୁ ସର୍ବାଧିକ କେନ୍ଦ୍ରୀୟ ଅନୁଦାନ ଦେଇଥିଲେ ବି ରାଜ୍ୟ ସରକାର ରାଜ୍ୟର ବିକାଶ କରିପାରିଲେ ନାହିଁ। ରାଜ୍ୟରେ ଏପରି ଏକ ଅଗଣତାନ୍ତ୍ରିକ ସରକାରକୁ ଓଡ଼ିଶାବାସୀ ଏଥର ଠିକଣା ଜବାବ ଦେବେ। ଶ୍ରୀ ଶାହ ଯେଉଁ ମିସନ୍ ୧୨୦+ ଲକ୍ଷ୍ୟ ଦେଇଛନ୍ତି, ତାହା ନିଶ୍ଚିତ ପୂରଣ ହେବ। ବିଜେପିର ଆଉ ଜଣେ ହେଭିୱେଟ୍‌ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି। ସେ କାମାକ୍ଷାନଗର ଓ ପାରାଦୀପରେ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ତାହା ପରେ ଅପରାହ୍ନ ୨ଟାରେ ଭୁବନେଶ୍ବରେ ବିଜେପି ପକ୍ଷରୁ ହୋଟେଲ୍ ମେ’ ଫେୟାରରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ। ଏଥିରେ ସେ ‘ଭାରତ କେ ମନ୍ କି ବାତ୍, ମୋଦୀ କେ ସାଥ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସମ୍ମିଳନୀକୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର