୨୪ରେ ଆସିବେ ଅମିତ ଶାହ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ୨୪ ତାରିଖରେ ଓଡ଼ିଶା ଆସିବେ। ୨୩, ୨୪ ଓ ୨୫ ତିନି ଦିନ ଧରି ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିବସରେ ସେ ଯୋଗ ଦେବେ। ସେହିଦିନ ଏକ ବଡ଼ ଧରଣର ମହିଳା ସମାବେଶ କରିବାକୁ ଦଳ ପକ୍ଷରୁ ଯୋଜନା ହୋଇଛି। ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ତାଳଚେର ଓ ଝାରସୁଗୁଡ଼ାରେ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ମୋଦୀଙ୍କ ଗସ୍ତର ଦିନକ ପରେ ଅମିତ ଶାହ ଆସିବେ। ବିଜେପିର ଦୁଇ ଦୁଇ ଜଣ ସର୍ବୋଚ୍ଚ ନେତା ଏଇ ମାସରେ ଓଡ଼ିଶା ଗସ୍ତରେ ଆସୁଥିବାରୁ ଦଳୀୟ ଶିବିର ବେଶ୍‌ ଚଳଚଞ୍ଚଳ ହୋଇଯାଇଛି। ଆଗକୁ ନିର୍ବାଚନ ଥିବାରୁ ଉଭୟଙ୍କ କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କରିବା ପାଇଁ ଦଳ ପକ୍ଷରୁ କସରତ୍‌ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଅମିତଙ୍କ ଏହା ତୃତୀୟ ଓଡ଼ିଶା ଗସ୍ତ।

ଅମିତଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ଆଜି କହିଛନ୍ତି, ୨୩ ତାରିଖରେ ହେବାକୁ ଥିବା ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକରେ କେନ୍ଦ୍ର ଓ ରାଜ୍ୟ ମହିଳା ମୋର୍ଚ୍ଚାରେ ସମସ୍ତ ପଦାଧିକାରୀ, ମହିଳା କେନ୍ଦ୍ର ମନ୍ତ୍ରୀ ଓ ସାଂସଦଙ୍କ ସମେତ ସମସ୍ତ ରାଜ୍ୟର ମହିଳା ସଭାନେତ୍ରୀ ଓ ସାଧାରଣ ସମ୍ପାଦିକାମାନେ ଯୋଗ ଦେବେ। ସେହିପରି ଆସନ୍ତା ୨୪ ତାରିଖରେ ହେବାକୁ ଥିବା ବିଶାଳ ମହିଳା ସମାବେଶରେ ଅଧ୍ୟକ୍ଷ ଅମିତ ଶାହ ଓ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର ଯୋଗ ଦେବେ। ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ବୃଦ୍ଧି ପାଉଛି। ଶାସକ ବିଜେଡି ମହିଳାଙ୍କୁ ସମ୍ମାନ ଦେବାର ନାରା ଦେଇ ସବୁ ସମୟରେ ଅପମାନିତ କରି ଚାଲିଛି। ରାଜ୍ୟ ସରକାର ଗାଁରେ ଗାଁରେ ମଦ ଦୋକାନ ଖୋଲି ମଦର ବନ୍ୟା କରୁଥିବାରୁ ଘରୋଇ ମହିଳା ହିଂସା ବଢ଼ିବାରେ ଲାଗିଛି। ମହିଳା ସୁରକ୍ଷା ଯାତ୍ରା ସମୟରେ ରାଜ୍ୟ ମହିଳା ମୋର୍ଚ୍ଚାର ନେତ୍ରୀମାନେ ରାଜ୍ୟରେ ଥିବା ଲକ୍ଷ ଲକ୍ଷ ମହିଳାଙ୍କ ଦୁଃଖରେ ସାମିଲ ହେବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ରାଜ୍ୟରେ ମହିଳା ବିରୋଧୀ ସରକାରର ମୂଳୋତ୍ପାଟନ ପାଇଁ ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଦିଶା ଦେଖାଇବ ବୋଲି ସେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ସଙ୍ଗୀତା ସିଂହଦେଓ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ ଓ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁଷମା ବିଶ୍ୱାଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର