ପୁରୀରେ ବିଜେପି ରାଷ୍ଟ୍ରୀୟ ମହିଳା କାର୍ଯ୍ୟକାରିଣୀ : କ୍ଷମତା ଦଖଲ ସ୍ୱପ୍ନ ଦେଖିଲେ ଶାହ

ଆରମ୍ଭରୁ ନବୀନଙ୍କୁ ସମାଲୋଚନା, ଓଡ଼ିଶାରେ ଚାଲିଛି ଅଫିସରରାଜ, ଚାଟୁକାରିତା ଛାଡ଼ିବାକୁ ଚେତାବନୀ

ପୁରୀ : ବିଜେପି ରାଷ୍ଟ୍ରୀୟ ମହିଳା କାର୍ଯ୍ୟକାରିଣୀ ଅବସରରେ ଆଜି ପୁରୀ ଶରଧାବାଲିଠାରେ ଆୟୋଜିତ ମହିଳା ପ୍ରତିନିଧି ସଭାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟର ବିଜେଡି ସରକାରଙ୍କୁ ଆକ୍ରମଣ କରିଛନ୍ତି। ସଭାରେ ଶାହା ସିଧାସଳଖ ଅମଲାଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି, ଓଡ଼ିଶାରେ ଆଉ ଲୋକତନ୍ତ୍ର ନାହିଁ। ଜନ ପ୍ରତିନିଧି ଏଠାରେ ନିମିତ୍ତ ମାତ୍ର। ଏ ସରକାରକୁ ଆଇଏଏସ୍‌, ଓଏଏସ୍‌, ଆଇପିଏସ୍‌ମାନେ ଚଳାଉଛନ୍ତି। ତେବେ ସବୁଦିନ ଓଡ଼ିଶାରେ ବିଜେଡି ଶାସନ ରହିବନି, ଖୁବଶୀଘ୍ର ଶାସନତନ୍ତ୍ର ବଦଳିବ। ୨୦୧୯ରେ ଓଡ଼ିଶାରେ ବିଜେପି ସରକାର ଗଢିବ ବୋଲି ପ୍ରକାଶ କରି ଶ୍ରୀ ଶାହ ଅଫିସରରାଜର ଅନ୍ତଃ ଘଟିବାକୁ ଯାଉଛି ବୋଲି କହିଛନ୍ତି। ଖାଲି ସେତିକି ନୁହେଁ, ଚାଟୁକାରିତା ଛାଡିବାକୁ ଅଫିସରମାନଙ୍କୁ ସେ ସିଧାସଳଖ ଆହ୍ଵାନ ମଧ୍ୟ ଦେଇଛନ୍ତି।

ଭାଷଣ ଆରମ୍ଭରୁ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଥିଲେ ଶାହ। କହିଥିଲେ, ଓଡ଼ିଶାରେ ଏକ ଅପରାଗ ସରକାର ଚାଲିଛି। ନାରୀ ହିଂସା ଓ ନାରୀଙ୍କ ପ୍ରତି ଦୁର୍ବ୍ୟବହାରରେ ଏ ରାଜ୍ୟ ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶାରେ ଖଣିଜ ସଂପଦ ଭରପୂର ରହିଥିଲା ବେଳେ ଓଡ଼ିଆ ଯୁବକ ବାହାରେ କାମ କରୁଛନ୍ତି।

ରବି ଓ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ କେନ୍ଦ୍ର ସରକାର ଦେଢ ଗୁଣା ବୃଦ୍ଧି କରିଛନ୍ତି। କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ଜାଣିଶୁଣି ଓଡ଼ିଶା ସରକାର ଲାଗୁ କରୁନାହାନ୍ତି। ମୋଦୀଙ୍କ ଲୋକପ୍ରିୟତା ଭୟରେ ରାଜ୍ୟ ସରକାର ଲୋକଙ୍କ ଅଧିକାରକୁ ଛଡାଇ ନେଉଛନ୍ତି। ଦେଶର ପ୍ରାୟ ୫୦ କୋଟି ଲୋକ ଆୟୁଷ୍ମାନ ଯୋଜନାରେ ଉପକୃତ ହେଉଥିବା ବେଳେ ଓଡ଼ିଶାବାସୀ ଏ ସୁବିଧାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ବିଜେପି ସରକାର ଆସିଲେ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ। ଗୋଟିଏ ପଟେ ରାଜ୍ୟରେ ମହିଳାମାନଙ୍କ ପ୍ରତି ହିଂସା ବଢୁଥିବା ବେଳେ ଅନ୍ୟପଟେ ମୋଦୀ ସରକାର ବିଭିନ୍ନ ମହିଳା କଲ୍ୟାଣ ଯୋଜନା ହାତକୁ ନେଇଥିବା ଶାହ କହିଥିଲେ।

ବିଜେପି ଅଧ୍ୟକ୍ଷ କହିଥିଲେ, ଓଡ଼ିଶାରେ ଗତ ୪ ବର୍ଷର୍ରେ ୧୪ ଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ବିଜେପି ଏଥିରେ ଭୟଭୀତ ନୁହେଁ। ନବୀନ ବାବୁ ଯେତେ କାଦୁଅ ବିଛାଇବେ ପଦ୍କ ସେତେ ଭଲ ଫୁଟିବ। ଏହି ଅବସରରେ ବିରୋଧୀ ମେଣ୍ଟକୁ ମଧ୍ୟ ଶାହ ସମାଲୋଚନା କରି କହିଥିଲେ, ମୋଦୀ ମେକ୍‌ ଇନ୍‌ ଇଣ୍ଡିଆ ନାରା ଦେଉଥିବା ବେଳେ ବିରୋଧୀମାନେ ମେଳି ହୋଇ ଏହାକୁ ଭାଙ୍ଗିବାକୁ ଚାହୁଁଛନ୍ତି। ମୋଦୀ ଗରିବୀ ହଟାଓ କହୁଥିବା ବେଳେ ବିରୋଧୀ ମୋଦୀ ହଟାଓ ନାରା ଦେଉଛନ୍ତି। ବିଜେପି ସରକାର ଆସିଲେ ଓଡ଼ିଶା ୧ ନମ୍ବର ରାଜ୍ୟ ହେବ ବୋଲି ଶାହ କହିଥିଲେ।

ସଭାରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେଡ଼ି ସରକାରଙ୍କୁ କଟାକ୍ଷ କରିିଥିଲେ। ପରିବର୍ତ୍ତନର ଆଭାସ ଯୋଗୁ ନବୀନ ସରକାର ଏବେ ଭୟଭୀତ ହୋଇ ପଡିଛନ୍ତି। ନାରୀ ଶକ୍ତି ଜାଗ୍ରତ ହେଲେ ସବୁ କିଛି ସମ୍ଭବ ହେବ ବୋଲି ଦୁଇ କେନ୍ଦ୍ର ମନ୍ତ୍ରୀ କହିଥିଲେ।

ସଭାରେ ରାଷ୍ଟ୍ରୀୟ ମହିଳା ସଭାନେତ୍ରୀ ବିଜୟା ରାହେତକର, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ନେତା କନକବର୍ଦ୍ଧନ ସିଂହଦେଓ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ପୂର୍ବତନ ସାଂସଦ ସଂଗୀତା ସିଂହଦେଓ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ସୁରମା ପାଢୀ, ଅପରାଜିତା ମହାନ୍ତି, ଅନୁ ଚୌଧୁରୀ, ପିଙ୍କି ପ୍ରଧାନଙ୍କ ସମେତ ଜାତୀୟ ଓ ରାଜ୍ୟସ୍ତରର ବହୁ ମହିଳା ନେତ୍ରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର