କେବଳ ବୈଠକରେ ଅଟକି ଯାଅନି: ଶାହ

ଭୁବନେଶ୍ବର : ପ୍ରତି ପଞ୍ଚାୟତରେ ବା ପାଞ୍ଚ କିଲୋମିଟର ବ୍ୟବଧାନରେ ବ୍ୟାଙ୍କ୍ ସେବା ନିଶ୍ଚିତ ରହିବ। ଦକ୍ଷିଣାଞ୍ଚଳ ପରିଷଦ ବୈଠକ ପରେ ଏ ପ୍ରସଙ୍ଗରେ ଅଧିକ ଆଲୋଚନା ସହିତ ଠୋସ୍ ପଦକ୍ଷେପ ନେବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦାବି ଯୁକ୍ତିଯୁକ୍ତ ଓ ବ୍ୟାଙ୍କ୍ ସେବାର ବିସ୍ତାର କେନ୍ଦ୍ର ସରକାରଙ୍କର ମଧ୍ୟ ପ୍ରାଥମିକତା ବୋଲି ଶ୍ରୀ ଶାହ ମନ୍ତବ୍ୟ ରଖି ଏହାର ଦେଶର ବିକାଶକୁ ତ୍ବରାନ୍ବିତ କରିବାରେ ସହାୟକ ହେବ ବୋଲି କହିଛନ୍ତି।

ଆଜି ଭୁବନେଶ୍ବରରେ ଶ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡ଼ିଶା ସରକାର ଟେଲି ଯୋଗାଯୋଗ ବ୍ୟବସ୍ଥାରେ ରାଜ୍ୟର ଦୁର୍ବଳ ସ୍ଥିତି ସଂପର୍କରେ ଅବଗତ କରିଥିଲେ। ଶ୍ରୀ ଶାହ ଏହାକୁ ମଧ୍ୟ ଗୁରୁତ୍ବ ଦେବା ସହିତ ଏନେଇ କେନ୍ଦ୍ର ମନ୍ତ୍ରାଳୟ ତୁରନ୍ତ ପଦକ୍ଷେପ ନେବ େବାଲି ଆଶ୍ବାସନା ଦେଇଥିଲେ।

ଏକଥା ବି ରୋକ୍‌ଠୋକ୍ ଶୁଣାଇଥିଲେ େଯ ଆଜି ଯେଉଁ ୪୯ଟି ପ୍ରସଙ୍ଗ ଉପରେ ରାଜ୍ୟମାନେ ତଥ୍ୟ ରଖିଛନ୍ତି ଓ ଦାବି ଜଣାଇଛନ୍ତି ସେ େନଇ କେବଳ ଆଞ୍ଚଳିକ ପରିଷଦ ବୈଠକରେ ନୁହେଁ ବା ଏଥିପାଇଁ ଦୁଇବର୍ଷ ଅପେକ୍ଷା କରିବାର ଆବଶ୍ୟକତା ନାହିଁ, ବରଂ ନିୟମିତ ଆଲୋଚନା ମାଧ୍ୟମରେ ଦୀର୍ଘଦିନ ଧରି ପଡିରହିଥିବା ଏହି ବିବାଦର ସମାଧାନ ହେବାର ଆବଶ୍ୟକତା ରହିଛି। ରାଜ୍ୟମାନେ ନିୟମିତ ତଥ୍ୟ ଦେବା ଲାଗି ସେ ନିର୍ଦେଶ ଦେଇଥିଲେ।

ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଆଇନଶୃଙ୍ଖଳା, ଆତଙ୍କବାଦ ଓ ପ୍ରଶାସନିକ ସଂସ୍କାର ଉପରେ ଗୁରୁତ୍ବ ଦେଇଥିଲେ। ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କୁ କହିଥିଲେ ଯେ ସମୁଦ୍ରକୁ ଯେତିକି ଧୀବର ମାଛ ମାରିବାକୁ ଯାଉଛନ୍ତି, ସେମାନଙ୍କ ପରିଚୟ ପତ୍ର ସହିତ ଆଧାର ସଂଯୋଗ କରିଦିଆଯାଉ। ଉଭୟ ରାଜ୍ୟ ଏହାକୁ ନିଶ୍ଚିତ କରିବା ଦରକାର। ଓଡ଼ିଶା ପୁଲିସ ମହାନିର୍ଦେଶକ ଅଭୟ ନିଜ ପୂର୍ବ ଅଭିଜ୍ଞତା ବର୍ଣ୍ଣନା କରି ନାର୍‌କୋଟିକ୍ସ ଆଇନ ଆହୁରି କଡ଼ାକଡ଼ି କରିବା ଲାଗି ନିବେଦନ କରିଥିଲେ।

ଶ୍ରୀ ଶାହ କହିଥିଲେ ଯେ ନିକଟରେ େହାଇଥିବା ଦୁଇଟି ଆଞ୍ଚଳିକ ପରିଷଦ ବୈଠକରେ ୭୦ ପ୍ରତିଶତ ସମସ୍ୟାର ସମାଧାନ ହୋଇପାରିଛି। ଅନ୍ୟ ପ୍ରସଙ୍ଗଗୁଡିକ ସମାଧାନ ପ୍ରକ୍ରିୟା ଭିତରେ ରହିଛି। ବିହାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଉପର ମହାନନ୍ଦ ନଦୀ ଉପରେ ଫୁଲବାଡି ନଦୀବନ୍ଧ ନିର୍ମାଣ ଲାଗି ୧୯୭୮ରେ ହୋଇଥିବା ଚୁକ୍ତି ପ୍ରସଙ୍ଗ ଉଠିଥିଲା। ଓଡ଼ିଶାର ନୂଆପଡା-ଗୁଣୁପୁର-ଥେରୁବାଲି ରେଳପଥକୁ ସଂପ୍ରସାରିତ କରିବା, ଖୋର୍ଧା-ବଲାଙ୍ଗୀର ରେଳପଥକୁ ପ୍ରାଥମିକତା ଦେବା, ବିହାର ଓ ଝାଡଖଣ୍ଡ ମଧ୍ୟରେ ଥିବା ପେନସନ୍ ଦେୟ ନିର୍ଧାରଣ, ଭାରତ ସରକାରଙ୍କ କୋଇଲା କଂପାନିଗୁଡିକ ଦ୍ବାରା ରାଜ୍ୟ ସରକାରଙ୍କ ଜମି ଉପଯୋଗ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ବାରା ଜମି ହସ୍ତାନ୍ତର, ମହିଳା ଓ ଶିଶୁଙ୍କ ବିରୋଧରେ ଯୌନ ଶୋଷଣ, ବଳାତ୍କାର ଭଳି ମାମଲାର ଦ୍ରୁତ ତଦନ୍ତ ଉପରେ ପରିଷଦରେ ଆଲୋଚନା ହୋଇଥିଲା।

ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଅନୁଯାୟୀ ପୂର୍ବାଞ୍ଚଳର ବିକାଶକୁ ଆହୁରି ତ୍ବରାନ୍ବିତ କରିବାର ଆବଶ୍ୟକତା ଅଛି। ଦକ୍ଷିଣାଞ୍ଚଳ ପରିଷଦ ବୈଠକ ପରେ ସ୍ବତନ୍ତ୍ର ଆଲୋଚନା ମାଧ୍ୟମରେ ସମସ୍ତ ୪୯ଟି ପ୍ରସଙ୍ଗ ଉପରେ ଦୃଢ ପଦକ୍ଷେପ ନେବା ଲାଗି ସେ ନିର୍ଦେଶ ଦେଇଥିଲେ।

ଅମିତ ଶାହଙ୍କ ଟୁଇଟ୍
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଜଣାଇଛନ୍ତି ଯେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ବାଞ୍ଚଳ ପରିଷଦ ବୈଠକ ଫଳପ୍ରଦ ହୋଇଛି। ଦୀର୍ଘ ଦିନ ଧରି ପଡ଼ି ରହିଥିବା ୪୮ଟି ପ୍ରସଙ୍ଗ ମଧ୍ୟରୁ ୪୦ଟିର ସମାଧାନ ଆପୋସ ଆଲୋଚନା ଦ୍ବାରା ହୋଇପାରିଛି। ବୈଠକ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ହୋଇଥିଲା ବୋଲି ଶ୍ରୀ ଶାହ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର