ଭୁବନେଶ୍ବର: ବିଜେଡି-ବିଜେପି ମେଣ୍ଟ ହେବ ତ? ଯଦି ହେବ, ତେବେ ଏମିତି କି ଅଡ଼ୁଆ ରହିଛି ଯେ ତୁଟିପାରୁନି?
ଏଭଳି କିଛି ପ୍ରଶ୍ନ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କଲାଣି। କାହା ପାଖରେ ଏହାର ଉତ୍ତର ନାହିଁ। ସେପଟେ ଆସନ୍ତାକାଲି ସାଧାରଣ ନିର୍ବାଚନ ପାଇଁ ଆୟୋଗ ତାରିଖ ଘୋଷଣା କରୁଥିବା ପରିପ୍ରେକ୍ଷୀରେ ଶେଷ ମୁହୂର୍ତ୍ତରେ ଉଭୟ ଦଳ କିଛି ଚକ୍ମା ଦେଖାଇପାରନ୍ତି ବୋଲି ରାଜନୈତିକ ମହଲ ବିଶ୍ବାସ କରୁଛନ୍ତି। ଏମିତି ସ୍ଥିତିରେ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟଙ୍କର ସଙ୍କେତ ମେଣ୍ଟ ଚର୍ଚ୍ଚାକୁ ବଳ ଦେଇଛି। ଜାତୀୟ ଗଣମାଧ୍ୟମରେ ଶ୍ରୀ ଶାହ ବିଜେଡି ସହ ସମ୍ଭାବ୍ୟ ମେଣ୍ଟକୁ ଅସ୍ବୀକାର କରିନାହାନ୍ତି। ବରଂ ବେଶ୍ ମାପିଚୁପି ଉତ୍ତର ରଖିବା ସହ ରାଷ୍ଟ୍ରୀୟ ସଭାପତି ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି କହି ଏ ସଂକ୍ରାନ୍ତ ପ୍ରଶ୍ନକୁ ଟାଳି ଦେଇଛନ୍ତି। ଆଜି ‘ଇଣ୍ଡିଆ ଟୁଡେ’ର ଏକ କନ୍କ୍ଲେଭ୍ରେ ଶ୍ରୀ ଶାହଙ୍କୁ ବିଜେଡି ସହ ମେଣ୍ଟ ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନକର୍ତ୍ତା ପଚାରିଥିଲେ, ସାଧାରଣତଃ ଏକ ନମ୍ବର ଓ ଦୁଇ ନମ୍ବର ଦଳ ଭିତରେ ମେଣ୍ଟ ସମ୍ଭବ ନୁହେଁ ବୋଲି ଏକ ଧାରଣା ରହିଛି। କିନ୍ତୁ ଓଡ଼ିଶାରେ ବିଜେଡି ସହ ବିଜେପିର ମେଣ୍ଟ ଚୂଡ଼ାନ୍ତ ହୋଇଛି ଏବଂ ଯେ କୌଣସି ସମୟରେ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ଏହାକୁ ଆପଣ ଆଦର୍ଶଗତ ଭାବେ କେମିତି ଠିକ୍ ବୋଲି କହିବେ? ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କ ସହ ମେଣ୍ଟ କିପରି ସମ୍ଭବ? ଉତ୍ତରରେ ଶ୍ରୀ ଶାହ କହିଛନ୍ତି, ଏହି ପ୍ରସଙ୍ଗରେ ମୁଁ ଅଧିକ ଏଠାରେ କହିପାରିବି ନାହିଁ। ରାଷ୍ଟ୍ରୀୟ ସଭାପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ନେଇ ନିଷ୍ପତ୍ତି ନେବେ। ଓଡ଼ିଶାରେ ଦଳର ରଣନୀତି କିପରି ହେବ, ସେ ସମ୍ପର୍କରେ ଉଭୟ ଏ ଯାଏ କିଛି କହିନାହାନ୍ତି। କିନ୍ତୁ ଦଳ ଓଡ଼ିଶାରେ ଯେମିତି ବି ଆଗକୁ ବଢ଼ିବ, ସେଥିରେ ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ଭଲ ପ୍ରଦର୍ଶନ କରିବ। ଆମ ସ୍ଥିତିରେ ବହୁତ ସୁଧାର ଆସିବ।
ବିଜେଡି, ବିଜେପି କର୍ମୀଙ୍କ ଅସନ୍ତୋଷ ବଢ଼ୁଛି
ଉଭୟ ଦଳ ଚିନ୍ତାରେ, ବୟାନବାଜି ବନ୍ଦ
ଶ୍ରୀ ଶାହଙ୍କ ମନ୍ତବ୍ୟ ପରେ ଶୀର୍ଷ ସ୍ତରରେ ମେଣ୍ଟକୁ ନେଇ ଏବେ ବି ଗୋଟିଏ ସକାରାତ୍ମକ ଆଲୋଚନା ଚାଲିଛି, ଏକଥା ସ୍ପଷ୍ଟ ହୋଇଛି। ଯେହେତୁ ଉଭୟ ଦଳର ଶୀର୍ଷ ନେତୃତ୍ବ ନିଷ୍ପତ୍ତିରେ ଅଛନ୍ତି, ଏଣୁ ରାଜ୍ୟ ନେତୃତ୍ବର ଭୂମିକା ଗୌଣ ହୋଇଯାଇଛି। ଆହୁରି ସରଳ ଭାବେ କହିଲେ ଏବେ ମେଣ୍ଟ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ହିଁ ଚୂଡ଼ାନ୍ତ ହେବ। ଏଣୁ ରାଜ୍ୟ ନେତାଙ୍କ ମତ ନେଇ ସେମାନଙ୍କୁ ବିଜେପିର କେନ୍ଦ୍ରୀୟ ନେତା ଓଡ଼ିଶା ଫେରାଇ ଦେଇଛନ୍ତି।
ବର୍ତ୍ତମାନ କେନ୍ଦ୍ରୀୟ ନେତୃତ୍ବ ହିଁ ମେଣ୍ଟ ସଂପର୍କରେ ଶେଷ ନିଷ୍ପତ୍ତି ଶୁଣାଇବେ। ଆସନ୍ତାକାଲି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସୁଛି। ଏଥିରେ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି। ହେଲେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉଭୟ ଦଳର ନେତା ଓ କର୍ମୀ ଦ୍ବନ୍ଦ୍ବରେ ରହିଛନ୍ତି। ବିଜେପି ଦ୍ବନ୍ଦ୍ବରେ ଅଛି ଯେ ଶାସକ ଦଳ ବିପକ୍ଷରେ ଲଢ଼ିବେ ନା ସହଯୋଗୀ ଭୂମିକା ନିଭାଇବ। ବିଜେ଼ଡି ନେତାଙ୍କୁ ବି ଅନୁରୂପ ଚିନ୍ତା ଘାରିଛି। ଗତକାଲି ବିଜେଡିର ପର୍ଯ୍ୟବେକ୍ଷକଙ୍କ ବୈଠକରେ ମେଣ୍ଟ ସମ୍ପର୍କରେ କିଛି ସ୍ପଷ୍ଟ କରାଗଲା ନାହିଁ। ସାଧାରଣ କର୍ମୀମାନେ ଯେମିତି ଅନ୍ଧାରରେ ଅଛନ୍ତି, କାଲି ନବୀନ ନିବାସ ଯାଇଥିବା ନେତାମାନଙ୍କ ସ୍ଥିତି ବି ସେଇୟା। ସେମାନେ କର୍ମୀମାନଙ୍କୁ କ’ଣ କହିବେ ଜାଣିପାରୁ ନାହାନ୍ତି। ମେଣ୍ଟକୁ ନେଇ ଏମିତି ଛକାପଞ୍ଝା ଭିତରେ ବିଜେଡି ଓ ବିଜେପିର ହାବାଭବ ବି ପୂରା ବଦଳିଯାଇଛି। ଉଭୟ ଦଳର ବରିଷ୍ଠ ନେତାମାନେ ପରସ୍ପର ବିରୋଧରେ ମନ୍ତବ୍ୟ ଦେବା ଏକପ୍ରକାର ବନ୍ଦ କରିଦେଇଛନ୍ତି। ସାଧାରଣତଃ ନିର୍ବାଚନ ପୂର୍ବରୁ ପ୍ରତିଦିନ ଉଭୟ ଦଳ ପରସ୍ପର ବିରୋଧରେ ବୟାନବାଜି କରି ସାମ୍ବାଦିକ ସମ୍ମିଳନୀ କରୁଥିବା ନଜିର ରହିଛି। ପୁଣି କେନ୍ଦ୍ର ବିରୋଧରେ ବିଜେଡି ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ରଣହୁଙ୍କାର କରି ରାସ୍ତାକୁ ମଧ୍ୟ ଓହ୍ଲାନ୍ତି। କିନ୍ତୁ ଏଥର ସେମିତି କିଛି ଦେଖିବାକୁ ମିଳୁ ନାହିଁ। କେବଳ କିଛି ମିଶ୍ରଣ ପର୍ବ ବ୍ୟତୀତ ଉଭୟ ଦଳର ରାଜନୈତିକ କାର୍ଯ୍ୟକ୍ରମ ଏକପ୍ରକାର ଠପ୍ ହୋଇଯାଇଛି।