ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନରେ ୧୨୦ରୁ ଅଧିକ ଆସନରେ ଜିତି ସରକାର ଗଢ଼ିବୁ ବୋଲି ଅମିତ ଶାହ କହିଥିଲେ। ହେଲେ ୨୩ଜଣ ବିଧାୟକ ଜିତିଲେ। ତଥାପି ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବ ବୋଲି ଶାହ ଆଶା ବାନ୍ଧିଛନ୍ତି।

Advertisment

ଆଜି ଏକ କାର୍ଯ୍ୟକ୍ରମରେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବ ବୋଲି ଶାହ କହିଥିଲେ ହେଁ କେବେ ସୁଦ୍ଧା ହାସଲ ହେବ, ସେ କଣ୍ଟ ଦେଇନଥିଲେ। ହେଲେ ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ରୁଦ୍ଧଦ୍ବାର ବୈଠକରେ ଦଳର ପଦାଧିକାରୀଙ୍କୁ ଓଡ଼ିଶା ଦଖଲ ନେଇ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ ମନ୍ତ୍ରଣା ଦେଇଥିଲେ। ସିଧା ସିଧା ପଚାରିଥିଲେ ଯେ ସାରା ଦେଶରେ ବିଜେପି ରଣନୀତି ସଫଳ ହେଉଥିବା ବେଳେ ଓଡ଼ିଶାରେ କାହିଁକି ଶାସନକୁ ଆସିପାରୁନି?ଏହାସହ ଆଗାମୀ ଦିନରେ ବିଜେପି କିପରି ସରକାର ଗଢ଼ିବ , ସେ ନେଇ କ’ଣ ସବୁ କରିବାକୁ ହେବ ସେ ସଂକ୍ରାନ୍ତ ବିଜୟ ମନ୍ତ୍ର ଦେଇଥିଲେ। ୨୦୨୪ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବା ସହ କ’ଣ କ’ଣ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ସେନେଇ ବୁଝାଇ କହିଥିଲେ।

ଶ୍ରୀ ଶାହ ଆହୁରି କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ସଫଳତାକୁ ପ୍ରତି ଘରେ ପହଞ୍ଚାଇବାକୁ ହେବ। ଓଡ଼ିଶାର କେତେ ବିଶିଷ୍ଟ ବ୍ୟକ୍ତି ବିଜେପି ସରକାରଙ୍କ ଦ୍ବାରା ଉପକୃତ ହୋଇଛନ୍ତି, ବୁଥ୍‌ ଓ ତୃଣମୂଳ ସ୍ତରରେ ସଙ୍ଗଠନକୁ ଅଧିକ ମଜଭୁତ୍‌ କରିବା, ଘରେ ଘରେ ପଦ୍ମଫୁଲ ଆଙ୍କିବା ସହ ପ୍ରତି ଘରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବା, କେଉଁ କେଉଁ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଛନ୍ତି ତା’ର ତାଲିକା ପ୍ରସ୍ତୁତ କରି ଲୋକଙ୍କୁ ଜଣାଇବା, ବିଶେଷକରି ଓଡ଼ିଶାରେ ଗୋଟିଏ ସରକାର ୨୦ବର୍ଷରୁ ଅଧିକ ସମୟ ଥିବାରୁ ଏଠାରେ ସରକାର ବିରୋଧୀ ହାୱା ସୃଷ୍ଟି କରିବାକୁ ଶାହ ପରାମର୍ଶ ଦେଇଥିଲେ। ଏହି ରୁଦ୍ଧଦ୍ବାର ବୈଠକରେ ଦଳୀୟ ପଦାଧିକାରୀ, ସାଂସଦ ଓ ବିଧାୟକଙ୍କୁ ମିଶାଇ ୫୩ଜଣ ଉପସ୍ଥିତ ଥିଲେ।