ଭୁବନେଶ୍ୱରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ରାତିରେ ଏଠାରେ ପହଞ୍ଚିଛନ୍ତି। ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିଛନ୍ତି।

ଶ୍ରୀ ଶାହ ସୋମବାର ସକାଳ ୮ଟାରେ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ମିଳିଥିବା ସୂଚନା ଅନୁଯାୟୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଭୁବନେଶ୍ବରରୁ କଟକ ସଡ଼କ ପଥରେ ଯିବେ। ଏଥିପାଇଁ ଦୁଇ ସହରରେ ଏବଂ ଜାତୀୟ ରାଜପଥ-୧୬ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରଯାଇଛି। ଶ୍ରୀ ଶାହ କଟକର ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମପୀଠ ପରିଦର୍ଶନରେ ଯିବେ। ପୂର୍ବାହ୍ନ ୧୧ଟାରେ ଇନଡୋର୍‌ ଷ୍ଟାଡିୟମରେ ‘ପ୍ରଜାତନ୍ତ୍ର’ର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ‌ ଦେବାର କାର୍ଯ୍ୟକ୍ରମ ରହିଛି।

ଅପରାହ୍ନ ୧ଟାରେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜିତ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ୪ଟା ୩୦ରେ ମେ’ଫେୟାର କନଭେନସନ୍‌ରେ ‘ମୋଦି@୨୦: ଡ୍ରିମ୍‌ସ ମିଟ୍‌ ଡେଲିଭରି’ର ଓଡ଼ିଶା ଚାପ୍ଟରର ଲୋକାର୍ପଣ କରି ସଂଧ୍ୟା ୬ଟାରେ ଦିଲ୍ଲୀ ଫେରିଯିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଜାତନ୍ତ୍ରର ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ କଟକ ଇନଡୋର ଷ୍ଟାଡିୟମ ଯିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଭୁବନେଶ୍ବରରୁ ଯିବେ। କଟକ ବାଲିଯାତ୍ରା ପଡ଼ିଆରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ବାଇକ୍‌ ରାଲିରେ ନେବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର