ଅମିତ ଶାହଙ୍କ ଗସ୍ତର ଏପାଖ ସେପାଖ

ଓଡ଼ିଶା ମୋର ଦ୍ବିତୀୟ ଘର
ଓଡ଼ିଶାକୁ ନିଜର ଦ୍ବିତୀୟ ଘର ବୋଲି କହିଥିଲେ ଅମିତ ଶାହ। ସେ କହିଥିଲେ, ମୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ବେଳେ ଅନେକ ଥର ଓଡ଼ିଶା ଆସିଛି। ପ୍ରତ୍ୟେକ ଜିଲ୍ଲାକୁ ଯାଇଛି। ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଛି। ଗୁଜରାଟ ପରେ ଓଡ଼ିଶା ମୋତେ ଦ୍ୱିତୀୟ ଘର ପରି ଲାଗେ। ଏହି ଦୁଇ ରାଜ୍ୟକୁ ଯୋଡ଼ିଛନ୍ତି ମହାପ୍ରଭୁ ଜଗନ୍ନାଥ। ଗୁଜରାଟ ଓ ଓଡ଼ିଶାକୁ ମହାପ୍ରଭୁ ଜଗନ୍ନାଥ ଆଶୀର୍ବାଦ ଦେଇଛନ୍ତି। ଏହି ଅବସର‌େର ଶ୍ରୀ ଶାହ ଓଡ଼ିଶାର ବରପୁତ୍ର ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, କୃଷ୍ଣଚନ୍ଦ୍ର ଗଜପତି ଓ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମ ନେଇଥିଲେ।

ଶାହଙ୍କ ଉପସ୍ଥିତିରେ ଏକା ଧର୍ମେନ୍ଦ୍ର କହିଲେ
ଅପରାହ୍ନ ୪ଟା ପରେ ଅମିତ ଶାହ ଜନତା ମଇଦାନରେ ପହଞ୍ଚିଲେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଲେ। ସେ ମଞ୍ଚକୁ ଆସିବା ପୂର୍ବରୁ ବରିଷ୍ଠ ନେତାମାନେ ଭାଷଣ ଦେଇଥିଲେ। ଶ୍ରୀ ଶାହଙ୍କ ଉପସ୍ଥିତିରେ ରାଜ୍ୟ ସଭାପତି ସମୀର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। କେବଳ ଧର୍ମେନ୍ଦ୍ର ଉଦ୍‌ବୋଧନ ଦେଇଥିଲେ। ଆଉ କାହାରିକୁ ସୁଯୋଗ ମିଳି ନ ଥିଲା। ଆଜି ବିମାନବନ୍ଦରରେ ଶ୍ରୀ ଶାହ ପହଞ୍ଚିବା ଠାରୁ ଆରମ୍ଭ କରି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ, ଜନତା ମଇଦାନରେ ସମାବେଶ, ମେ ଫେୟାରରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା‌ ଓ ପୁରୀ ଗସ୍ତରେ ଧର୍ମେନ୍ଦ୍ର ତାଙ୍କ ସହ ରହିଥିବା ଦେଖାଯାଇଥିଲା।

ପ୍ରଥମ ପରୀକ୍ଷାରେ ସମୀର ପାସ୍
ରାଜ୍ୟ ସଭାପତି ଭାବେ ଦାୟିତ୍ବ ନେଲା ପରେ ସମୀର ମହାନ୍ତିଙ୍କର ଏହା ଥିଲା ପ୍ରଥମ ବଡ଼ ସମା‌େବଶ। ସିଏଏ ସପକ୍ଷରେ ବିଭିନ୍ନ ଜିଲ୍ଲାରେ ସମାବେଶ ଓ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। କିନ୍ତୁ ବିଜେପିର ଶୀର୍ଷ ନେତୃତ୍ବ ଯୋଗ ଦେବା ଥିଲା ପ୍ରଥମ। ଅମିତ ଶାହଙ୍କ ଉପସ୍ଥିତିରେ ସମାବେଶକୁ ସଫଳ କରିବା ପାଇଁ ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି କରାଯାଇଥିଲା। ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା।

କାହାକୁ ତୀର ମାରିଲେ ଜୁୂଏଲ୍‌
ବରିଷ୍ଠ ନେତା ଜୁଏଲ୍‌ ଓରାମ ତାଙ୍କ ଭାଷଣରେ ବିଜେପିର ଇତିହାସ ସମ୍ପର୍କରେ ସମ୍ୟକ ସୂଚନା ଦେଉଥିଲେ। ୨/୩ ଜଣ ବିଧାୟକରୁ ଆରମ୍ଭ ହୋଇଥିବା ଏହି ଦଳ କିପରି ଓଡ଼ିଶାରେ ଆଗକୁ ଗଲା, ତାହା କହିଥିଲେ। ଆଗକୁ ଖୁବ୍ କମ୍ କାର୍ଯ୍ୟକର୍ତ୍ତା ଓ ବିଧାୟକ ଥିଲେ। ଏବେ କାର୍ଯ୍ୟକର୍ତ୍ତା ସଂଖ୍ୟା ବଢ଼ିଯାଇଛି। କିନ୍ତୁ ଦିଲ୍‌ ଛୋଟ ହୋଇଗଲା ପରି ଲାଗୁଛି। ଯିଏ ଯେଉଁଠି ଟିକେଟ୍‌ ପାଉ କି ବିଧାୟକ, ସାଂସଦ ହେଉ। ଦଳକୁ ସବୁବେଳେ ବଡ଼ ଭାବି ଓ ଦଳ ଶାସନକୁ ଆସିବାର ସଂକଳ୍ପ ନେଇ କାମ କରିବାକୁ ଜୁଏଲ୍‌ କହିଥିଲେ। ଏପରି ମନ୍ତବ୍ୟ ଦେଇ ଜୁଏଲ କାହାକୁ ତୀର ମାରୁଥିଲେ, ତାହା ଚର୍ଚ୍ଚାର ବିଷୟ ହୋଇଥିଲା।

ପ୍ରତାପ ଷଡ଼ଙ୍ଗୀ ଓଡ଼ିଶାର ଗାନ୍ଧୀ
ଅମିତ ଶାହ ଭାଷଣ ଆରମ୍ଭରେ ବରିଷ୍ଠ ନେତାମାନଙ୍କ ନାମ ସମ୍ବୋଧନ କରିଥିଲେ। ସେଥିରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ଗାନ୍ଧୀ ବୋଲି କହିଥିଲେ। ଶାହଙ୍କର ଏହି ସମ୍ବୋଧନ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ମଞ୍ଚ ମଣ୍ଡନ କଲେ ବହୁ ବରିଷ୍ଠ ନେତା
ସମାବେଶର ମଞ୍ଚରେ ଅମିତ ଶାହଙ୍କ ସହ ବହୁ ବରିଷ୍ଠ ନେତା ବସିଥିଲେ। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଅରୁଣ ସିଂହ, ସୁରେଶ ପୂଜାରୀ, ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ଅଶ୍ବିନୀ ବୈଷ୍ଣବ, ସଙ୍ଗୀତା ସିଂହଦେଓ, ନୀତେଶ ଗଙ୍ଗଦେବ, ଗିରିଧର ଗମାଙ୍ଗୋ, କେ ଭି ସିଂହଦେଓ, ବିଜୟ ମହାପାତ୍ରଙ୍କ ସମେତ ସମସ୍ତ ବିଧାୟକ, ରାଜ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଅବଶ୍ୟ ସମସ୍ତଙ୍କୁ ଭାଷଣ ଦେବା ପାଇଁ ସୁଯୋଗ ମିଳି ନ ଥିଲା।

ମେ ଫେୟାରରେ ସାଂଗଠନିକ ମନ୍ତ୍ର
ଜନତା ମଇଦାନ ସମାବେଶ ପରେ ଅମିତ ଶାହ ସିଧାସଳଖ ହୋଟେଲ୍‌ ମେ’ ଫେୟାର ଯାଇଥିଲେ। ସେଠାରେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲା ସଭାପତି ଓ ରାଜ୍ୟ କର୍ମକର୍ତ୍ତାମାନଙ୍କୁ ଡକାଯାଇଥିଲା। ରାଜ୍ୟ ପ୍ରଭାରୀ ଓ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀ ଶାହ ସେମାନଙ୍କୁ ସାଂଗଠନିକ ମନ୍ତ୍ର ଦେଇଥିଲେ। ଦୀର୍ଘ ସମୟ ଧରି ଏହି ବୈଠକ ଚାଲିଥିଲା। ତେବେ ବୈଠକ ସମ୍ପର୍କରେ ଗଣମାଧ୍ୟମ କିମ୍ବା ସୋସିଆଲ୍‌ ମିଡିଆରେ କୌଣସି ସୂଚନା ନ ଦେବା ପାଇଁ ତାଗିଦ୍ କରାଯାଇଥିଲା।

ସମ୍ବନ୍ଧିତ ଖବର