ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ସାରା ଦେଶ ଆନନ୍ଦିତ, ଜୟ ଜଗନ୍ନାଥ ! : ଅମିତ ଶାହା

ନୂଆଦିଲ୍ଲୀ : କରୋନା କଟକଣା ପାଳନ କରି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ ଲାଗି ଆଜି ସୁପ୍ରିମକୋର୍ଟ ଅନୁମତି ଦେବାପରେ ସବୁଆଡ଼େ ଆନନ୍ଦ ପ୍ରକାଶ ପାଇଛି । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହା ।
ଟ୍ଵିଟ କରି ଶାହା ଲେଖିଛନ୍ତି ଯେ ଆଜି ଆମ ସମସ୍ତଙ୍କ ପାଇଁ ବିଶେଷକରି ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସିରଦିନ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ସବୁଆଡ଼େ ଆନନ୍ଦ ପ୍ରକାଶ ପାଇଛି । ଜୟ ଜଗନ୍ନାଥ !

 

ସେ ଲେଖିଛନ୍ତି “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଟି କୋଟି ଶ୍ରଦ୍ଧାଳୁଙ୍କ ମନକଥା ବୁଝି ଶହ ଶହ ବର୍ଷର ପରମ୍ପରା ଯେପରି ରକ୍ଷା ହୋଇପାରିବ ସେଥିଲାଗି ଉଦ୍ୟମ କରିଥିଲେ । ତାଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ସଂଧ୍ୟାରେ ମୁଁ ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରି ରଥଯାତ୍ରା ସଂପର୍କରେ ସେମାନଙ୍କ ମତ ନେଇଥିଲି । ସେହିପରି ଆଜି ସକାଳେ ମଧ୍ୟ ସୋଲିସିଟର ଜେନେରାଲଙ୍କ ସହ କଥା ହୋଇଥିଲି । ”
ମାମଲାର ଗୁରୁତ୍ୱକୁ ଉପଲବ୍ଧି କରି ଏହାକୁ ସୁପ୍ରିମକୋର୍ଟଙ୍କ ଅବସରକାଳୀନ ବେଞ୍ଚ ସମ୍ମୁଖରେ ରଖାଗଲା ଯାହାକି ରଥଯାତ୍ରା ପାଇଁ ପଥ ଉନ୍ମୁକ୍ତ କରିଥିଲା ।
ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସ୍ୱାଗତ କରିଛନ୍ତି । ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ, ଓଡ଼ିଆ ଭାବାବେଗର ଏକ ଅବିଚ୍ଛେଦ୍ୟ ଅଂଗ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର