କଟକ/ନରସିଂହପୁର : ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୫ ବର୍ଷ ପାଇଁ ସୁଯୋଗ ଦିଅନ୍ତୁ। ଓଡ଼ିଶାକୁ ନମ୍ବର ୱାନ ରାଜ୍ୟରେ ପରିଣତ କରି ଦେବୁ। ଓଡ଼ିଶାର ବିକାଶ ପାଇଁ ଡବଲ ଇଂଜିନ ଦରକାର। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିର ସରକାର ହେଲେ ଯାଇ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେବ। ଏଭଳି ପ୍ରତିଶ୍ରୁତି ଆଉ କଂଗ୍ରେସ ଏବଂ ବିଜେଡିକୁ କଡା ଭାଷାରେ ସମାଲୋଚନା କରି ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କଟକରେ ନିର୍ବାଚନ ପ୍ରଚାର କରିଛନ୍ତି।
ପ୍ରଥମେ କଟକ ଜିଲ୍ଲାର ନରସିଂହପୁର ଅନନ୍ତନାରାୟଣ ହାଇସ୍କୁଲ ପଡିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଶ୍ରୀ ଶାହ ଉଦବୋଧନ ଦେଇଥିଲେ। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଜିଲ୍ଲା ପ୍ରଭାରୀ ରାମ ନାରାୟଣ ମହାନ୍ତି, ବଡମ୍ବା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା, ଆଠଗଡ ପ୍ରାର୍ଥୀ ବ୍ରଜେନ୍ଦ୍ର ରାୟ, ବାଙ୍କୀ ବିଜେପି ପ୍ରାର୍ଥ ଶୁଭ୍ରାଂଶୁ ଶେଖର ପାଢୀ, ଖଣ୍ଡପଡା ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜ ପ୍ରମୁଖ ମଂଚାସୀନ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଞ୍ଚଳର ପାଣି, ଡାକ୍ତରଖାନା, ପାଇଖାନା, ଚିନିକଳ ପ୍ରସଙ୍ଗ ଉଠାଇବା ସହ ଆଗାମୀ ଦିନରେ ଭାରତ ସରକାର ଚିନି କଳକୁ ନିଶ୍ଚିତଭାବେ ଚାଲୁ କରିବେ ବୋଲି କହିଥିଲେ।
ଏହି ଅବସରରେ ବଡମ୍ବା-ନରସିଂହପୁର ନିର୍ବାଚନମଣ୍ଡଳୀର ସରପଂଚ, ସମିତିସଭ୍ୟ/ସଭ୍ୟା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନୟନା ନାଏକ, ପୂବର୍ତନ ବ୍ଲକ୍ ଉପାଧ୍ୟକ୍ଷ ବିଜେପିରେ ସାମିଲ ହୋଇଥିଲେ। ନିର୍ବାଚନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଭୂଦତ୍ତ ପଟ୍ଟନାୟକ, ତ୍ରିପୁରା ଦେହୁରୀ, ସରୋଜ ରଣା, ସଂଗୀତଜ୍ଞ ମନ୍ମଥ ମିଶ୍ର, ସୂର୍ଯ୍ୟ କିଶୋର ମହାନ୍ତି, ଅଜୟ ସ୍ବାଇଁ ସୁବଳ ବେହେରା, ତୁଷାର କାନ୍ତ ଚକ୍ରବର୍ତ୍ତୀ, ଅର୍ଚ୍ଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ। ସଂଗୀତଜ୍ଞ ମନ୍ମଥ ମିଶ୍ରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅମିତ ଶାହ ସେଠାରୁ ହେଲିକପ୍ଟରରେ କଟକ ଆସି ରୋଡ ସୋ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗୌରୀଶଙ୍କର ପାର୍କରୁ ରୋଡ ସୋ ଆରମ୍ଭ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଓଡ଼ିଶା ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର, ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ସମୀର ଦେ, ଚୌଦ୍ବାର-କଟକ ନୟନ ମହାନ୍ତି, ଦିଲ୍ଲୀପ ମଲ୍ଲିକ ଓ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ। ଶାହଙ୍କ ରୋଡ ସୋ’ କଟକର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଚଣ୍ଡୀ ମନ୍ଦିର ନିକଟରେ ଶେଷ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/B.J.P-rastriya-adhakya-amit-saha-nka-road-show-13.jpg)