ପୁରୀ/ପୁରୁଣା ଭୁବନେଶ୍ୱର : ଓଡ଼ିଶା ଗସ୍ତର ଦ୍ବିତୀୟ ଦିବସରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସେହିଭଳି, ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।
ଗତକାଲି ରାତି ପ୍ରାୟ ୯ଟା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ପୁରୀରେ ପହଞ୍ଚି ହୋଟେଲ ମେ’ ଫେୟାର୍ରେ ରାତ୍ରିଯାପନ କରିଥିଲେ। ଆଜି ସକାଳ ୮ଟା ବେଳେ ବିଜେପି ଦଳୀୟ ନେତାଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସୂଚନା ଅନୁସାରେ, ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କ ସହ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଓ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।
ସେହିଭଳି, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ପୂର୍ବାହ୍ନ ୧୧ଟାରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀ ଶାହ ଲିଙ୍ଗରାଜ ମନ୍ଦିରକୁ ଆସିଥିଲେ। ମନ୍ଦିରରେ ପ୍ରବେଶ କରି ସେ ପ୍ରଥମେ ସିଦ୍ଧି ବିନାୟକଙ୍କ ଦର୍ଶନ କରିଥିଲେ। ଏହାପରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ଭୁବନେଶ୍ୱରୀଙ୍କୁ ପୂଜାର୍ଚନା କରିଥିଲେ। ଶ୍ରୀଲିଙ୍ଗରାଜଙ୍କ ନିକଟରେ ପ୍ରାୟ ୨୦ମିନିଟ୍ ଧରି ପୂଜାର୍ଚ୍ଚନା କରିଥିଲେ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ କ୍ଷୀର, ପଇଡ଼, ରାଶି ଓ ଗଙ୍ଗା ଜଳ ଢାଳିବା ସହ ୧୦୮ ପଦ୍ମ ଫୁଲ ଚଢ଼ାଇ ଆଶିଷ ଭିକ୍ଷା କରିଥିଲେ। ସେହିପରି ମା’ ଭୁବନେଶ୍ବରୀଙ୍କ ନିକଟରେ ଦୀପ ଜାଳିବା ସହ ୧୦୮ ପଦ୍ମଫୁଲ ମାଳ ଚଢ଼ାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡା, ମୁଖପାତ୍ର ସମ୍ବିତ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ମିଶ୍ର, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ବିଭିନ୍ନ ନିଯୋଗର ସେବାୟତ, ବିଜେପି ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ବାବୁ ସିଂ, ମଦନ ମୋହନ ପ୍ରଧାନ, ଶିବ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଦର୍ଶନ ସାରି ଫେରିବା ସମୟରେ ଶ୍ରୀ ଶାହଙ୍କୁ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଫଟୋ ଓ ଶୁଖିଲା ଭୋଗ ଦିଆଯାଇଥିଲା।