ଅମିତ ଶାହଙ୍କ ଭର୍ଚୁଆଲ ରାଲିକୁ ବିପୁଳ ଜନସମର୍ଥନ ମିଳିଛି : ସମୀର ମହାନ୍ତି

ଭୁବନେଶ୍ବର : କରୋନା ମହାମାରୀ ସମୟରେ ସାଧାରଣ ଜନତା ଏକାଠି ହେବା ଉପରେ ପ୍ରତିବନ୍ଧକ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମୋଦୀ ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ଉପଲକ୍ଷେ ଡିଜିଟାଲ୍‌ ପ୍ଲାଟଫର୍ମର ବ୍ୟବହାର କରି ଦଳ ତରଫରୁ ଭର୍ଚୁଆଲ୍‌ ରାଲି କରାଯାଇଥିଲା। ଗୃହ ମନ୍ତ୍ରୀ ଅମିତ ଶାହ ମୋଦୀ ସରକାରଙ୍କ ବିକାଶର ଗାଥା କହିବା ସହ ଓଡିଶା ପାଇଁ ମୋଦୀ ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇଥିଲେ । ଟେକ୍ନୋଲୋଜିର ବିଭିନ୍ନ ପ୍ଲାଟଫର୍ମରେ ଲକ୍ଷାଧିକ ଓଡିଆ ଯୋଡ଼ି ହୋଇ ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ। ଭର୍ଚୁଆଲ୍‌ ରାଲିକୁ ଓଡ଼ିଶାରେ ବିପୁଳ ଜନସମର୍ଥନ ମିଳିଛି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀ‌େର ଶ୍ରୀ ମହାନ୍ତି କହିଲେ ଯେ ବିଜେପିର ସୋସିଆଲ ମିଡିଆ (ଫେସବୁକ, ଟ୍ୱିଟର, ୟୁଟ୍ୟୁବ), ଆଞ୍ଚଳିକ ବୈଦ୍ୟୁତିକ ଗଣମାଧ୍ୟମର ସୋସିଆଲ ମିଡିଆ ପ୍ଲାଟଫର୍ମ, ଡିଜିଟାଲ ମିଡିଆ ସମେତ ଦଳର ବରିଷ୍ଠ ନେତାମାନଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଲି ଦିନ ରାତି ୯ ଟା ସୁଦ୍ଧା ୨୯ ଲକ୍ଷ ୫୮ ହଜାର ୬୩୫ରୁ ଉର୍ଦ୍ଧ୍ୱ ଲୋକ ଏହାକୁ ଦେଖିଥିଲେ। ପରେ ସାଧାରଣ ଜନତା ଏବଂ ବିଜେପି କାର୍ଯ୍ୟକର୍ତାଙ୍କ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓ ଓଡ଼ିଶାର ୧ କୋଟି ଲୋକଙ୍କ ପାଖରେ ପହଞ୍ଚିଥିଲା। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଓଡିଶାର ବିକାଶ, ବିପର୍ଯ୍ୟୟର ସହାୟତା, ସ୍ୱାର୍ଥ, ସ୍ୱାଭିମାନ ଓ ସଂସ୍କୃତି ଆଦି ମହତ୍ୱପୂର୍ଣ୍ଣ ଉପଲବ୍ଧି ସଂପର୍କିତ ଏକ ଲିଫ୍‌ଲେଟ୍‌ ଉନ୍ମୋଚନ କରାଯାଇଛି । ଏହି ଲିଫ୍‌ଲେଟ୍‌କୁ ବିଜେପିର ୩୭ ହଜାର ବୁଥ୍‌ର କାର୍ଯ୍ୟକର୍ତାମାନେ ପ୍ରତି ବୁଥରେ ୧୦୦ଟି ପରିବାର ପାଖରେ ପହଞ୍ଚାଇବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏବଂ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର