ଭର୍ଚୁଆଲ ରାଲି ମାଧ୍ୟମରେ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କଲେ ଅମିତ ଶାହ, ମୟୂରଭଞ୍ଜରୁ ସାମିଲ ହେଲେ ୩୫ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା

ବାରିପଦା : କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଏହି ପରିପ୍ରେକ୍ଷୀରେ ଗତକାଲି ଅପରାହ୍ନ ସାଢ଼େ୩ଟାରେ ଗୃହମନ୍ତ୍ରୀ ଅମିତ ଶାହା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ଭୋଧିତ କରିଥିଲେ। ଭର୍ଚୁଆଲ୍ ରାଲି କୁହାଯାଉଥିବା ଏହି ସମ୍ଭାଷଣରେ ମୟୂରଭଞ୍ଜର କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଛନ୍ତି ଶ୍ରୀ ଶାହା। ଓଡ଼ିଶା ବିଜେପିର ଗଡ଼ ହେବାକୁ ଶ୍ରୀ ଶାହା ଦମ୍ଭୋକ୍ତି ପ୍ରକାଶ କରିଥିବାବେଳେ ମୟୂରଭଞ୍ଜବାସୀ ସବୁବେଳେ ବିଜେପି ସାଥୀରେ ରହିବେ ବୋଲି ଦଳୀୟ ନେତାମାନେ ଏହି ରାଲି ପରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ରାଲିରେ ମୟୂରଭଞ୍ଜ ଜିଲ୍ଲାରୁ ୩୫ହଜାର ୮ଶହ ୫୦ଜଣ ସାମିଲ ହୋଇଥିଲେ। ପୂର୍ବ ସାଂଗଠନିକ ଜିଲ୍ଲା ବାରିପଦାରୁ ୧୪୦୬ ବୁଥ୍‌ରୁ ୟୁଟ୍ୟୁବ୍, ଟ୍ବିଟର୍, ଫେସ୍‌ବୁକ ଏବଂ ବିଭିନ୍ନ ସୋସିଆଲ୍ ମିଡିଆ ମାଧ୍ୟମରେ ଜିଲ୍ଲାରୁ ନିର୍ବାଚିତ ସମସ୍ତ ଜନପ୍ରତିନିଧି ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

ବାରିପଦା ନିର୍ବାଚନମଣ୍ଡଳୀରୁ ୪ହଜାର, ବଡ଼ସାହିରୁ ୭ହଜାର ୬ଶହ, ମୋରଡ଼ାରୁ ୧୦ହଜାର ୫ଶହ, ଉଦଳାରୁ ୬ହଜାର, ବାଙ୍ଗିରିପୋଷିରୁ ୭ହଜାର ୪ଶହ ଏବଂ ସାରସକଣା ନିର୍ବାଚନମଣ୍ଡଳୀରୁ ୩୫୦ଜଣ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଏହି ରାଲିରେ ବିଭିନ୍ନ ସ୍ଥାନରୁ ସାଂସଦ ବିଶ୍ବେଶ୍ବର ଟୁଡୁ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍, ପୂର୍ବତନ ଜିଲ୍ଲାସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ବୁଢ଼ାନ୍ ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କ ସମେତ ଜିଲ୍ଲା ବିଜେପିର ବିଭିନ୍ନ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିବା ଦଳୀୟ ଗଣମାଧ୍ୟମ ସଂଯୋଜକ ଦୀନେଶ ଦାଶ ପ୍ରକାଶ କରିଛନ୍ତି। ଅମିତ ଶାହାଙ୍କ ଭର୍ଚୁଆଲ୍ ରାଲିରେ ଅଧିକରୁ ଅଧିକ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କୁ ଯୋଡ଼ିବାକୁ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ଲକ୍‌ଡାଉନ କାରଣରୁ ପ୍ରଥମଥର ପାଇଁ ଜଣେ ରାଷ୍ଟ୍ରୀୟସ୍ତରର ନେତା ବୁଥ୍ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ସମ୍ଭାଷଣ କରିଥିବାରୁ ଦଳରେ ଉତ୍ସାହ ଦେଖାଯାଇଛି।

ସମ୍ବନ୍ଧିତ ଖବର