ଭୁବନେଶ୍ବର : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତା ୧୫ତାରିଖରେ ଗୁଜୁରାଟ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବେ ପାଣିପାଗ ବିଭାଗ, ଏନ୍ଡିଆର୍ଏଫ୍ ସହ ପ୍ରତି ମୁହୂର୍ତ୍ତର ସ୍ଥିତି ସମୀକ୍ଷା କରୁଛନ୍ତି। ଏହାକୁ ନଜରରେ ରଖି ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଶ୍ରୀ ଶାହ ଜୁନ୍ ୧୭ରେ ଓଡ଼ିଶା ଗସ୍ତରେ ଆସି ଢେଙ୍କାନାଳରେ ହେବାକୁ ଥିବା ସାଧାରଣ ସଭା ଏବଂ କେନ୍ଦ୍ରାପଡ଼ା ଓ କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ। ଖୁବ୍ ଶୀଘ୍ର ଶାହଙ୍କ ଓଡ଼ିଶା ଗସ୍ତ ନେଇ କାର୍ଯ୍ୟକ୍ରମ ସ୍ଥିର ହେବ।
ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବଦଳିନି। ଶ୍ରୀ ନଡ୍ଡା ଜୁନ୍ ୨୨ରେ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡିରେ ଏକ ସାଧାରଣ ସଭାରେ ଯୋଗଦେବେ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।