ବିଜେଡି ସରକାର ସବୁଠାରୁ ନିକୃଷ୍ଟ: ଅମିତ ଶାହ

ପୋଲସରା ଓ ବରଗଡ଼ରେ ନିର୍ବାଚନୀ ସଭାରେ ବର୍ଷିଲେ

ଭୁବନେଶ୍ବର/ପୋଲସରା/ବରଗଡ଼ : ଓଡ଼ିଶାରେ ବିଜେଡି ସରକାର ସବୁଠାରୁ ନିକୃଷ୍ଟ। କଂଗ୍ରେସ ଶାସନ ଠାରୁ ବି ଆହୁରି ନିକୃଷ୍ଟ। ଲୋକଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବାରେ ଏହି ସରକାର ଅକ୍ଷମ। ଦୂରଦୃଷ୍ଟିର ଅଭାବ, ଆଳସ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଯେପରି ସରକାରଙ୍କ ସବୁ ଅଙ୍ଗକୁ ମାଡ଼ିଯାଇଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ରାଜ୍ୟ ସରକାରଙ୍କୁ ଏମିତି କଠୋର ସମାଲୋଚନା କରିଛନ୍ତି। ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ସେ ଭୁବନେଶ୍ବରରେ ଦଳର ଇସ୍ତାହାର ଉନ୍ମୋଚନ କରି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଥିଲେ। ତାହା ପରେ ପୋଲସରା ଓ ବରଗଡ଼ରେ ଦଳୀୟ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସ ଓ ବିଜେଡିକୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ।

ଭୁବନେଶ୍ବରରେ ଶ୍ରୀ ଶାହ କହିଥିଲେ, ଏଠାରେ ଲୋକ ପ୍ରତିନିଧିଙ୍କ ଅଧିକାର ଛଡ଼ାଇ ନିଆଯାଇ ବାବୁଙ୍କୁ ଶାସନ ଡୋରି ଧରାଇ ଦିଆଯାଇଛି। ସେମାନେ ଭ୍ରଷ୍ଟାଚାରରେ ମାତିଛନ୍ତି। ଏହି ରାଜ୍ୟରେ ସବୁ ପ୍ରକାର ସମ୍ଭାବନା ଥିଲେ ବି ତାହାର ବ୍ୟବହାର କରାଯାଉ ନାହିଁ। ଏଠାରେ ଏକ ବିଚିତ୍ର ରାଜନୈତିକ ସଂସ୍କୃତି ସୃଷ୍ଟି ହୋଇଛି। ସାଥୀଙ୍କୁ ସମ୍ମାନ ନ ଦେବା, ପଛରୁ ଛୁରୀ ଭୁଷିବା ଓ ବିକଳ୍ପ ଭାବେ ମୁଣ୍ଡ ଟେକିଲେ ଦଳରୁ ବିଦା କରିଦେବା ଆଦି ବିରଳ ଘଟଣା ଓଡ଼ିଶା ରାଜନୀତିରେ ଅନୁଭବ କରି ହେଉଛି।

ଲୋକଙ୍କୁ ଆହ୍ବାନ ଦେଇ ବିଜେପି ଅଧ୍ୟକ୍ଷ କହିଲେ, ଓଡ଼ିଆରେ ଠିକ୍ ଭାବେ ଲେଖି ପଢ଼ି ପାରୁ ନ ଥିବା ମୁଖ୍ୟମନ୍ତ୍ରୀ ଏଠାରେ ଦରକାର ନାହିଁ। ଏମିତି ଲୋକଙ୍କ ହାତ‌େର ଶାସନ ଭାର ଦେବା, ଯିଏ କି ଓଡ଼ିଆରେ ଶାସନ କରିବ, ନିଜ ନିଷ୍ପତ୍ତି ନିଜେ ନେଇପାରୁଥିବ, ବାବୁଙ୍କ ଉପରେ ନିର୍ଭର କରୁ ନ ଥିବ। ନୂଆ ଓଡ଼ିଶାର ଭିଜନ୍ ଦେଇ ବିଜେପି କାମ କରୁଛି।

ପୋଲସରା ସଭାରେ ଶ୍ରୀ ଶାହ କହିଲେ, କେନ୍ଦ୍ର ଓଡ଼ିଶାକୁ କୋଟି କୋଟି ଟଙ୍କାର ଅନୁଦାନ ଦେଇଥିଲେ ମଧ୍ୟ ଏଠାରେ ବିକାଶର ନାଁ ଗନ୍ଧ ନାହିଁ। କେନ୍ଦ୍ରର ଟଙ୍କା ଲୋକଙ୍କ ପାଖରେ ପହଞ୍ଚୁ ନାହିଁ। କାମଧନ୍ଦା ନ ପାଇ ଲକ୍ଷ ଲକ୍ଷ ଓଡ଼ିଆ ଗୁଜୁରାଟର ସୁରତ ଯାଇ ଖଟୁଛନ୍ତି। ସରକାର ଯୁବକ ମାନଙ୍କୁ ସେମାନଙ୍କ ବାପାମା’ଙ୍କଠୁ ଅଲଗା କରିଛନ୍ତି। ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡ଼ିଆ ଯୁବକଙ୍କୁ ଆଉ ଗୁଜୁରାଟ ଯିବାକୁ ପଡ଼ିବନି। ଏଠାରେ ବୃହତ୍‌ ଶିଳ୍ପ ପ୍ରତିଷ୍ଠା ହେବ। ଓଡ଼ିଆ ମାନେ ପରିବାର ନେଇ ନିଜ ରାଜ୍ୟରେ ରହି ବାପାମା’ଙ୍କ ସେବା କରିପାରିବେ।

ବରଗଡ଼ ସଭାରେ ଶ୍ରୀ ଶାହ କଂଗ୍ରେସକୁ ଟାର୍ଗେଟ କରି କହିଲେ, ରାହୁଲ ବାବା ଯେଉଁ ମହା‌ମେଣ୍ଟ ପାଇଁ ସ୍ବପ୍ନ ଦେଖୁଛନ୍ତି, ତାହା ପୂରଣ ହେବ ନାହିଁ। ଏହି ମେଣ୍ଟରେ ସାମିଲ ଥିବା ନେତାଗଣ ଗୋଟିଏ ଗୋଟିଏ ଦିନ ପାଳି କରି ପ୍ରଧାନମନ୍ତ୍ରୀ ହେବେ କି ବୋଲି ଶ୍ରୀ ଶାହ ତାଚ୍ଛଲ୍ୟ କରିଥିଲେ। ଏହା ବାଦ ଓଡ଼ିଶାରେ ବିଜେଡି ଏବେ କଂଗ୍ରେସର ‘ବି’ ଟିମ୍‌ ସାଜିଛି ବୋଲି ସେ କହିଥିଲେ। ଉଭୟ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ଧରାଇଥିଲେ। ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୋଲସରା ସଭାରେ ଆସିକା ସାଂସଦ ପ୍ରାର୍ଥିନୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ। ବରଗଡ଼ରେ ବି‌ଜେପି ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରଗଡ଼ ସାଂସଦ ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ସମେତ ବିଭିନ୍ନ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର