ମମିତା ହତ୍ୟାକାଣ୍ଡ: ମନ୍ତ୍ରୀଙ୍କ ମୁଣ୍ଡରେ ଦିବ୍ୟ ବୋଝ

ପଶ୍ଚିମ ଓଡ଼ିଶାରେ ଆଉ ସୀମିତ ନାହିଁ ମମିତା ପ୍ରସଙ୍ଗ

୨୧ବର୍ଷରେ ପ୍ରଥମ: ସାରା ରାଜ୍ୟକୁ ବ୍ୟାପିଲାଣି
ପଞ୍ଚାୟତ ନିର୍ବାଚନ ପାଇଁ ବିରୋଧୀଙ୍କ ଅସ୍ତ୍ର
ବିଧାନସଭାର ଶୀତ ଅଧିବେଶନକୁ ବି ଉଷ୍ଣ କରିବ

ଭୁବନେଶ୍ୱର : ଏକଦା କଂଗ୍ରେସ ନେତା ଲୁଲୁ ମହାପାତ୍ର ଘୋଷଣା କରିଥିଲେ ଯେ ମୁଖ୍ୟମନ୍ତ୍ରୀ ଯୁଆଡେ ଯିବେ ଅଣ୍ଡାମାଡ଼ ହେବ। ସେବେ ପୁଲିସ ଦଫା ୩୦୭ ଲଗାଇ ମକଦ୍ଦମା କଲା; କିଛି ଦିନ ପରେ ଏହି ପ୍ରସଙ୍ଗଟି ଥମିଗଲା।

ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଓ ତାଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ଯେଉଁ ଅଣ୍ଡାମାଡ଼ ଚାଲିଛି, କଳାପତାକା ପ୍ରଦର୍ଶନ କରାଯାଉଛି; ସେଥିରେ ପୁଲିସ ଧରପଗଡ କରୁଛି, ମକଦ୍ଦମା ରୁଜୁ କରୁଛି। କେତୋଟି ସ୍ଥାନରେ ଆଗୁଆ ଗିରଫଦାରି କରାଯାଉଛି ଓ ଆଉ କିଛି ସ୍ଥାନରେ ଶାସକ-ବିରୋଧୀ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଯାଏ କଥା ଗଲାଣି। ହେଲେ ଅଣ୍ଡାମାଡ଼ ଥମୁନି କି ମନ୍ତ୍ରୀମାନଙ୍କୁ ବିରୋଧ ଅବା କଳାପତାକା ପ୍ରଦର୍ଶନ। ବରଂ ପରିସ୍ଥିତି ଧୀରେ ଧୀରେ ରାଜନୈତିକ ଆନ୍ଦୋଳନ ଆଡ଼କୁ ମୁହାଁଇଲାଣି। ପ୍ରସଙ୍ଗଟି ଏବେ ଆଉ ପଶ୍ଚିମ ଓଡ଼ିଶା ଭିତରେ ସୀମିତ ନାହିଁ। ବରଂ ରାଜଧାନୀ ରାଜରାସ୍ତାରେ ବିକ୍ଷୋଭକାରୀ କେବେ ନବୀନ ନିବାସ ଘେରାଉ କରୁଛନ୍ତି, କେବେ କମିସନରେଟ୍ ପୁଲିସରେ ଥିବା ଡିଜି କ୍ୟାମ୍ପ ଅଫିସ୍ ସାମ୍ନାରେ ଗର୍ଜୁଛନ୍ତି। ମମିତା ଘଟଣା ପଶ୍ଚିମ ଓଡ଼ିଶାରୁ ଉତ୍ତର ଓଡ଼ିଶା ଦେଇ ଉପକୂଳ ଓଡ଼ିଶାରେ ବି ପହଞ୍ଚିଲାଣି।

ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦୀର୍ଘ ଚାରି ଘଣ୍ଟାକାଳ ତାଲା ପକାଇଦେଇଥିଲେ କଂଗ୍ରେସ ଓ ବିଜେପି ନେତା ଏବଂ କର୍ମୀ। କେଉଁଠି ତାଙ୍କ ଗାଡିକୁ ଅଣ୍ଡା ମାଡ଼ ହେଲା ତ ଆଉ କେଉଁଠି କଳପତାକା ପ୍ରଦର୍ଶନ କରିଥିଲେ ବିକ୍ଷୋଭକାରୀ। ଟାଣୁଆ ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ସମଦଶା ଭୋଗିଛନ୍ତି। ସରକାରଙ୍କ ଏହି ପ୍ରଭାବଶାଳୀ ମନ୍ତ୍ରୀମାନଙ୍କ ଗଡରେ ବିରୋଧୀଙ୍କ ଏଭଳି କାରନାମା ଚିନ୍ତାଜନକ। ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କୁ ନିଜ ଅଞ୍ଚଳରେ ବିରୋଧୀ କଳାପତାକା ଦେଖାଇବାର ଦୁଃସାହସ କରିଛନ୍ତି।

ଶାସକ ବିଜୁ ଜନତା ଦଳର ଅନେକ ବରିଷ୍ଠ ନେତା ଚିନ୍ତିତ। ନିଜ ନାମ ଗୋପନ ସର୍ତ୍ତରେ କିଛି ନେତା କହିବା ଆରମ୍ଭ କଲେଣି, ପ୍ରସଙ୍ଗଟିକୁ ଯେଉଁଭଳି ଭାବେ ନିଆଯାଉଛି, ଦଳର ମୁଖପାତ୍ର ଯେଉଁ ଯୁକ୍ତି ରଖୁଛନ୍ତି, ସେଥିରେ ପ୍ରସଙ୍ଗ ଥମୁନି, ବରଂ ଭୋଟବ୍ୟାଙ୍କ ଦୋହଲାଇବା ଆରମ୍ଭ କଲାଣି।

ରାଜନୈତିକ ମହଲ କିନ୍ତୁ ଅନ୍ୟ ଗୋଟିଏ ଦିଗ ସଂପର୍କରେ ଠାରୁଛନ୍ତି। ତାହା ହେଲା, ଗୃହ ବିଭାଗ ମନ୍ତ୍ରୀ ହୋଇଥିବା କାରଣରୁ ଦିବ୍ୟଶଙ୍କରଙ୍କୁ ନେଇ ଆଲୋଚନା। ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ; ନିଜ ମନ୍ତ୍ରୀଙ୍କ ସଂପର୍କରେ ପୁଲିସ କେମିତି ନିରପେକ୍ଷ ତଦନ୍ତ କରିବ? ଦ୍ବିତୀୟଟି ହେଲା, ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ବିଜେଡି ସରକାର ଏଡ଼ାଇଯିବା ପର୍ଯ୍ୟନ୍ତ ପ୍ରସଙ୍ଗଟି ସବୁ ମହଲକୁ ଛୁଉଁନଥିଲା। କାରଣ ସମସ୍ତେ ଅପେକ୍ଷା କରିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ କିଛି ପଦକ୍ଷେପ ନେବେ। ହେଲେ କଳାହାଣ୍ଡି ସଭାମଞ୍ଚରେ ନବୀନଙ୍କ ପାଖରେ ଦିବ୍ୟଶଙ୍କର ବସିବା ଘଟଣାକୁ ବିରୋଧୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବିରୋଧୀମ‌ାନେ ଏହାର ସୁଯୋଗ ନେଇ ମାମଲାଟାକୁ ମମିତା ମେହେରଙ୍କ ପାଖରୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ରାଜ୍ୟ ସରକାରଙ୍କ ମହିଳା ସୁରକ୍ଷା ସ୍ଲୋଗାନ ପାଖରେ ପହଞ୍ଚାଇଲେଣି। ସୁତରାଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବୋଝ ଏବେ ମନ୍ତ୍ରୀ, ସରକାର ଓ ଦଳ ଉପରେ ପଡ଼ିଲାଣି।

ଏହି ପ୍ରସଙ୍ଗ ଯେଭଳି ସରକାରଙ୍କୁ କାଠଗଡାକୁ ଟାଣିଛି, ତାହା ବିରୋଧୀଙ୍କୁ ମଧ୍ୟ ସକ୍ରିୟ କରିଦେଇଛି। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଆସନ୍ତା ବିଧାନସଭାରେ ପୂରାଇ ଦିଆଯିବ ନାହିଁ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଚେତାବନୀରୁ ଏକଥା ସ୍ପଷ୍ଟ ହୋଇଯାଇଛି ଯେ ଶୀତ ଅଧିବେଶନକୁ ମଧ୍ୟ ଏହି ପ୍ରସଙ୍ଗ ଆହୁରି ଉଷ୍ଣ କରିବ।
ରାଜନୈତିକ ମହଲରେ ଆଲୋଚନା ଚାଲିଛି ଯେ ବିଜେଡି ସରକାରରେ ନାରୀ ସୁରକ୍ଷା ଜନିତ ଏହା ହେଉଛି ପ୍ରଥମ ପ୍ରସଙ୍ଗ, ଯାହା ସାରା ରାଜ୍ୟକୁ ଛୁଇଁଲାଣି। ପଶ୍ଚିମ ଓଡ଼ିଶାରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗାଡି ଉପରକୁ ଅଣ୍ଡାମାଡ ହେଲା। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜ୍ୟୋତି ପାଣିଗ୍ରାହୀ, ଜଗନ୍ନାଥ ସାରକା, ତୁଷାରକାନ୍ତି ବେହେର ପ୍ରମୁଖ ଲୋକଙ୍କ ରୋଷର ସାମ୍ନା କଲେ। ପୂର୍ବରୁ କୁନ୍ଦୁଲି, ଇତିଶ୍ରୀ, ମାଧବୀଲତା ଅବା ବେବିନା ପ୍ରସଙ୍ଗ ସରକାରଙ୍କୁ ଅକଳରେ ପକାଇଥିଲେ ବି ଏମଧ୍ୟରୁ କୌଣସି ଗୋଟିଏ ବି ପୂରା ରାଜ୍ୟକୁ ସ୍ପର୍ଶ କରିପାରିନଥିଲା। ଏହି ମହଲ ଆହୁରି କହୁଛନ୍ତି ଯେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିରୋଧୀ ଏହି ପ୍ରସଙ୍ଗକୁ ହାତଛଡା କରିବାକୁ ଚାହୁଁନାହାନ୍ତି। ବିରୋଧୀମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରି ଓଲଟା ପ୍ରଶ୍ନ କଲେଣି ଯେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବାକୁ ଯାଇ ବିଜେଡି ଯେମିତି ପ୍ରମାଣ ମାଗୁଛି ବା ଅଦାଲତରେ ଅଭିଯୋଗ କରିବାକୁ ପରାମର୍ଶ ଦେଉଛି, ସେହି ମାନଦଣ୍ଡ ଅନ୍ୟମନ୍ତ୍ରୀଙ୍କୁ ବିଦା କରିବା ବେଳେ ଆପଣାଇନଥିଲା କାହିଁକି?

ବେବିନା ମୃତ୍ୟୁ ମାମଲାରେ ତତ୍କାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀ କଣ ଅଭିଯୁକ୍ତ ଥିଲେ? ବ୍ରାହ୍ମଣଙ୍କ ସଂପର୍କରେ ମନ୍ତବ୍ୟ ଦେଇ ଡାକ୍ତର ଦାମୋଦର ରାଉତ ଯେବେ ବିଦା ହୋଇଥିଲେ, ସେବେ…? ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଭୂମିକାର ପ୍ରମାଣ କିଏ ସଂଗ୍ରହ କରିଥିଲେ? ଡାଲି ଦୁର୍ନୀତି ମାମଲାରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ସଂପୃକ୍ତିର ପ୍ରମାଣ ସରକାରଙ୍କ ପାଖରେ ଅଛି କି? ଯଦି ହଁ, ତାହାହେଲେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା କାହିଁକି ରୁଜୁ କରିନାହାନ୍ତି?

କେବଳ ସେତିକି ନୁହେଁ, ରାଜନୈତିକ ମହଲ ଆହୁରି କହୁଛନ୍ତି ଯେ ପରୀ ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଏବଂ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବିଜେଡି ସରକାର ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଇସ୍ତଫା ଦେବାକୁ କହିନାହାନ୍ତି ସତ; ହେଲେ ସେମାନଙ୍କ ପାଇଁ ଦଳ ଏମିତି ଓକିଲାତି କରିନି, ଯେମିତି ଦିବ୍ୟଶଙ୍କରଙ୍କ ପାଇଁ ସାମ୍ନାକୁ ଆସିଛି। ସୁତରାଂ ଏହା ହିଁ ବିରୋଧୀଙ୍କ ପାଇଁ ବଳ ହୋଇଛି ଏବଂ ସାଧାରଣ ଲୋକଙ୍କ ମନ ଭିତରେ ସନ୍ଦେହ ଭର୍ତି ହୋଇଯାଇଛି।

ସମ୍ବନ୍ଧିତ ଖବର