ଅମିତାଭଙ୍କୁ ଜ୍ଞାନପୀଠ

ଭୁବନେଶ୍ବର : ଚଳିତବର୍ଷର ମର୍ଯ୍ୟାଦାଜନକ ଜ୍ଞାନପୀଠ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ପ୍ରସିଦ୍ଧ ଭାରତୀୟ ଔପନ୍ୟାସିକ ଅମିତାଭ ଘୋଷ। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଇଂରାଜୀ ଲେଖକ।

୧୯୫୬ ମସିହା ଜୁଲାଇ ୧୧ ତାରିଖ ଦିନ କୋଲକାତାରେ ଜନ୍ମିତ ଶ୍ରୀ ଘୋଷ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍‌ କଲେଜ ଓ ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରେ ଉଚ୍ଚଶିକ୍ଷା ଗ୍ରହଣ କରିବା ପରେ ଲେଖାଲେଖିରେ ମନୋନିବେଶ କରିଥିଲେ। ତାଙ୍କର ପ୍ରଥମ ଉପନ୍ୟାସ ହେଉଛି ‘ଦି ସର୍କଲ ଅଫ୍ ରିଜନ୍’। ତାଙ୍କର ଏହି ପ୍ରଥମ ପୁସ୍ତକକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏହାପରେ ସେ ଧୀରେଧୀରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଇଂରାଜୀ ଲେଖକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ତାଙ୍କର ଚର୍ଚ୍ଚିତ ପୁସ୍ତକ ମଧ୍ୟରେ ରହିଛି ‘ଦି ସେଡୋ ଲାଇନ୍‌ସ’, ‘ଦି କଲକତା କ୍ରୋମୋଜମ୍’, ‘ଫ୍ଲଡ୍ ଅଫ୍ ଫାୟାର’, ‘ରିଭର ଅଫ୍ ସ୍ମୋକ୍‌ସ’, ‘ସି ଅଫ୍ ପପ୍ପିଜ୍’ ଏବଂ ‘ଦି ଗ୍ରେଟ୍‌ ଡିରେଞ୍ଜମେଣ୍ଟ୍‌, କ୍ଲାଇମେଟ୍‌ ଚେଞ୍ଜ୍ ଏଣ୍ଡ୍ ଦ ଅନଥିଙ୍କେବୁଲ୍‌’ ଇତ୍ୟାଦି।

ତାଙ୍କ ଉପନ୍ୟାସଗୁଡ଼ିକ ଅତୀତର ଇତିହାସ ସହିତ ବର୍ତ୍ତମାନକୁ ଯୋଡ଼ିଥାଏ। ନିଉ ୟର୍କର, ଦି ନିଉ ରିପବ୍ଲିକ୍ ଏବଂ ଦି ନିଉୟର୍କ ଟାଇମ୍ସ ଆଦି ଖ୍ୟାତନାମା ପତ୍ରିକାରେ ତାଙ୍କର ଅନେକ ପ୍ରବନ୍ଧ ପ୍ରକାଶିତ ହୋଇଛି। ସେ ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ରହିବା ସହିତ ଦିଲ୍ଲୀ, କଲମ୍ବିଆ ଏବଂ ହାଭାର୍ଡ ଆଦି ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି।

ଶ୍ରୀ ଘୋଷ ସାହିତ୍ୟ ଅକାଦେମି ପୁରସ୍କାର, ପଦ୍ମଶ୍ରୀ ଉପାଧି, ଫ୍ରାନ୍ସର ପ୍ରିକ୍ସ ମେଡିସିସ୍ ପୁରସ୍କାର, ଅର୍ଥର ସି. କ୍ଲାର୍କ ପ୍ରାଇଜ୍, କ୍ରସ୍ ୱାର୍ଡ ବୁକ୍ ପ୍ରାଇଜ୍ ଆଦି ଅନେକ ଜାତୀୟ ଏବଂ ଅନ୍ତଜାର୍ତୀୟ ପୁରସ୍କାର ପାଇସାରିଛନ୍ତି। ୨୦୦୮ ଏବଂ ୨୦୧୨ରେ ତାଙ୍କ ପୁସ୍ତକ ମ୍ୟାନ୍ ବୁକର ପ୍ରାଇଜ୍ ପାଇଁ ସଂକ୍ଷିପ୍ତ ତାଲିକାରେ ଥିଲା। ତାଙ୍କ ପୁସ୍ତକଗୁଡ଼ିକ ବିଶ୍ବର ତିରିଶରୁ ଊର୍ଦ୍ଧ୍ବ ଭାଷାରେ ଅନୂଦିତ ହୋଇ ଉଚ୍ଚ ପ୍ରଶଂସିତ ହୋଇପାରିଛି। ପୁରସ୍କାର ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଘୋଷ କହିଛନ୍ତି, ‘ଆଜି ହେଉଛି ମୋ ପାଇଁ ଏକ ବିସ୍ମୟକର ଦିନ। ଜ୍ଞାନପୀଠ ପୁରସ୍କାର ପ୍ରାପକଙ୍କ ତାଲିକାରେ ମୋ ନାମ ରହିବ ବୋଲି ମୁଁ କେବେ ଭାବି ନ ଥିଲି, ଯେଉଁଥିରେ ଥିବା କିଛି ଲେଖକଙ୍କୁ ମୁଁ ବହୁତ ସମ୍ମାନ କରିଥାଏ।’

ଏହି ପୁରସ୍କାର ହେଉଛି ଭାରତୀୟ ଭାଷାର ଲେଖକମାନଙ୍କୁ ପ୍ରଦାନ କରାଯାଉଥିବା ଦେଶର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର। ଜ୍ଞାନପୀଠ ପୁରସ୍କାର ଚୟନ କମିଟିର ଅଧ୍ୟକ୍ଷା ଡକ୍ଟର ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା‌ର ଜଣାପଡ଼ିଛି।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ ଅନ୍ୟତମ ଖ୍ୟାତିସମ୍ପନ୍ନ ଲେଖକ ମନୋଜ ଦାସଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ଶେଷରେ, ମନୋନୟନ କମିଟି ‌ଶ୍ରୀ ଘୋଷଙ୍କୁ ୫୪ତମ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ କରିଥିଲେ। ମାତ୍ର, ଏ ସମ୍ପର୍କରେ କାହାରି ମତାମତ ହସ୍ତଗତ ହୋଇପାରିନାହିଁ।

ସମ୍ବନ୍ଧିତ ଖବର