ଭୁବନେଶ୍ବର: ସୋନପୁର ସଭାରେ ଯୋଗଦେବା ପରେ ରାଜଧାନୀରେ ଗୃହମନ୍ତ୍ରୀ ଅମିତ ଶାହ ଦଳୀୟ କର୍ମୀଙ୍କ ସହିତ ବୈଠକ କରିଛନ୍ତି। ଭୁବନେଶ୍ୱରର ଏକ ହୋଟେଲର ଦକ୍ଷିଣ ଓଡିଶା, ଉପକୂଳ ଓଡିଶା ଏବଂ ଉତ୍ତର ଓଡିଶାର ନେତାଙ୍କ ସହ ଆଲୋଚନା କରିଛନ୍ତି। ୧୩ଟି ସଂସଦୀୟ କ୍ଷେତ୍ରର ନେତାଙ୍କ ସହ ବୈଠକ ବେଳେ ଦଳ କିଭଳି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ଏବଂ ରାଜ୍ୟରେ ସରକାର ଗଢ଼ିବ ସେ ଦିଗରେ କାମ କରିବାକୁ ନେତାଙ୍କୁ କହିଛନ୍ତି। ଦେଶରେ କେମିତି ମୋଦୀ ୪୦୦ ପାର୍ ଆସନ ଛୁଇଁବେ ସେ ନେଇ କେନ୍ଦ୍ରୀୟ ନେତୃତ୍ୱ ବିଚାର କରୁଥିବା ବେଳେ ଓଡିଶାରେ କିଭଳି ସରକାର ଗଠନ ହେବ ସେ ନେଇ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଏ ଦିଗରେ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିଛନ୍ତି।
ଶ୍ରୀ ଶାହ ସୋନପୁର ରାମେଶ୍ବର ଷ୍ଟାଡିୟମ୍ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶାହ କହିଥିଲେ, ଓଡ଼ିଶାରେ ଖଣିଜ ସଂପଦ ପ୍ରଚରୁ ରହିଛି। ସବୁଠାରୁ ଅଧିକ ପାଣି ରହିଛି। ତଥାପି ଓଡ଼ିଶାର ବିକାଶ ହୋଇପାରୁ ନାହିଁ। ଓଡ଼ିଶାର ଜନତା ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଉଛନ୍ତି। ଭାରତୀୟ ଜନତା ପାର୍ଟିର ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ। ଲୋକଙ୍କୁ ଏଠାରେ ରୋଜଗାର ମିଳିବ।
ଶ୍ରୀ ଶାହ କହିଥିଲେ, କେନ୍ଦ୍ର ସରକାର ଯେତିକି ଟଙ୍କା ଦେଉଛନ୍ତି, ରାଜ୍ୟ ସରକାର ତାହା ବିନିଯୋଗ କରିପାରୁ ନାହିଁ। ଭାରତୀୟ ଜନତା ପାର୍ଟିର ସରକାର ପ୍ରତ୍ୟେକ ଘରକୁ ପାଣି ଯୋଗାଇବ। ନବୀନ ସରକାରଙ୍କୁ ଡର ଯେ, ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁହେଲେ ରାଜ୍ୟ ସରକାରଙ୍କ ଲୋକପ୍ରିୟତା କମି ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ିଯିବ। ଓଡ଼ିଶାର ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ ବିଜେପି ସରକାର ଆସିବାର ଅଛି। ବିଜେପି ମାତ୍ର ୫ ବର୍ଷ ମଧ୍ୟରେ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିପାରିବ। ଆମେ ଲୁଗା କାରଖାନା କରି କପାଚାଷୀଙ୍କ ବିକାଶ କରିବୁ। କେନ୍ଦ୍ରର ଅନୁଦାନକୁ ରାଜ୍ୟ ସରକାର ନିଜର ଫଟୋ ଦେଇ ଲୋକପ୍ରିୟତା ହାସଲ କରିବାକୁ ଉଦ୍ୟମ କରୁଛନ୍ତି।