ଆରପାରିରେ ଅମିୟ : ଓଲିଉଡ୍‌ରେ ଶୋକର ଛାୟା

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ବର୍ଣ୍ଣିମ ଇତିହାସର ଉଦ୍‌ଗାତା ଅମିୟ ରଂଜନ ପଟ୍ଟନାୟକ ଆଉ ନାହାନ୍ତି। ‌ପେସାଦାର ପ୍ରଯୋଜକ ଭାବେ ନବେ ଦଶକରେ ଦର୍ଶକଙ୍କୁ ଅନେକ ବ୍ଲକ୍‌ବଷ୍ଟର ଚଳଚ୍ଚିତ୍ର ଭେଟି ଦେଇଥିବା ଅମିୟ ବାସ୍ତବ ଦୁନିଆରୁ ନିଜ ଅଭିନୟ ସାରି ବିଜୟାଦଶମୀରେ ବାହୁଡ଼ି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ଯୋଗୁଁ କିଛିଦିନ ହେଲା ଦିଲ୍ଲୀର ମେଦାନ୍ତ ହସ୍ପିଟାଲ୍‌ରେ ରହି ଚିକିତ୍ସିତ ହେଉଥିଲେ। ୧୯ ତାରିଖ ସକାଳ ୭ଟା ୫୯ ମିନିଟ୍‌ରେ ସେ ଦେହତ୍ୟାଗ କରିଥିଲେ। ମୃତ୍ୟୁ ଖବର ପ୍ରଚାର ହେବା ପରେ ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି।

ମୃତ୍ୟୁ ପରେ ତାଙ୍କ ମରଶରୀରକୁ ବିମାନ ଯୋଗେ ଗତକାଲି ଦିଲ୍ଲୀରୁ ଭୁବନେଶ୍ବର ଅଣାଯାଇଥିଲା। ରାତି ସାଢ଼େ ୧୦ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ତାଙ୍କ ମରଶରୀର ପହଞ୍ଚିବା ପରେ ସିନେ ଦୁନିଆର ବହୁ ବ୍ୟକ୍ତିବିଶେଷଙ୍କ ସମେତ ଶୁଭେଚ୍ଛୁ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ସେଠାରୁ ତାଙ୍କ ମରଶରୀରକୁ ଆଇଆର୍‌ସି ଭିଲେଜ୍‌ସ୍ଥିତ ଏନ୍‌୨ ସ୍ଥିତ ବାସଭବନକୁ ନିଆଯାଇଥିଲା। ଆଜି ସକାଳୁ ମଧ୍ୟ ଚଳଚ୍ଚିତ୍ର, ନାଟକ, ଶିଳ୍ପ, ରାଜନୀତି ଦୁନିଆର ବହୁ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ‌ଶେଷ ଦର୍ଶନ କରିଥିଲେ। ମଧ୍ୟାହ୍ନରେ ମରଶରୀରକୁ ‘ସମ୍ବାଦ’ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ନିଆଯାଇଥିଲା।

‌କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଜନ୍ମ ଗ୍ରହଣ କରିଥିବା ଅମିୟ ରାଉରକେଲାର ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ(ବର୍ତ୍ତମାନର ନିଟ୍)ରୁ ମେକାନିକାଲ୍‌ ଇଂଜିନିୟରିଂରେ ଡିଗ୍ରି ହାସଲ କରିଥିଲେ। ବୈଷୟିକ ଡିଗ୍ରିପ୍ରାପ୍ତ ହୋଇଥିଲେ ବି ମନୋରଞ୍ଜନ ଦୁନିଆକୁ ସେ ତାଙ୍କର କର୍ମକ୍ଷେତ୍ର ଭାବେ ବାଛି ‌େନଇଥିଲେ। ନାଟକଠୁ ନେଇ ଚଳଚ୍ଚିତ୍ର, ଅଭିନୟ, ନିର୍ଦେଶନା ଓ ପ୍ରଯୋଜନା ଭଳି ସବୁ କ୍ଷେତ୍ରରେ ସେ ଛାଡ଼ି ଦେଇ ଯାଇଛନ୍ତି ଅଲିଭା ସ୍ବାକ୍ଷର। କେବେ ସେ ନାଟକରେ ‘ନ‌ର୍କରେ ଚହଳ’ ସୃଷ୍ଟି କରିଛନ୍ତି ତ ‌ପୁଣି କେବେ ଚଳଚ୍ଚିତ୍ରରେ ‘ହାକିମ୍‌ ବାବୁ’ ସୃଷ୍ଟି କରି ଜାତୀୟ ସ୍ତର‌ର ସ୍ବୀକୃତି ସାଉଁଟିପାରିଛନ୍ତି।

ନବେ ଦଶକରେ ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସକୁ ନେଇ ସେ ପ୍ରଯୋଜନା କରିଥିଲେ ‘ହାକିମ୍‌ ବାବୁ’। ୧୯୮୫ରେ ଏହି ଚଳଚ୍ଚିତ୍ର କେବଳ ‌ସୁପରହିଟ୍‌ ହୋଇନଥିଲା, ବରଂ ଏହାକୁ ମିଳିଥିଲା ରାଜ୍ୟ ଓ ଜାତୀୟ ପୁରସ୍କାର। ସେହି ବର୍ଷ ସେ ପ୍ରଯୋଜନା ସହ ନିର୍ଦେଶନା କ୍ଷେତ୍ରକୁ ଓହ୍ଲାଇଥିଲେ। ‘ମମତା ମାଗେ ମୂଲ’ ଚଳଚ୍ଚିତ୍ରରେ ନିର୍ଦେଶନା ଦେଇ ଆଉ ଏକ ହିଟ୍‌ ଫିଲ୍ମ ଭେଟି ଦେଇଥିଲେ। ପରେ ତାଙ୍କ ପ୍ରଯୋଜନାରେ ପୁଅ ମୋର କଳାଠାକୁର (୧୯୮୮), ଆସୁଛି ମୋ କାଳିଆ ସୁନା (୧୯୮୯), ଚକା ଆଖି ସବୁ ଦେଖୁଛି (୧୯୮୯), ଚକାଡୋଳା କରୁଛି ଲୀଳା (୧୯୯୦), ବଙ୍ଗଳା ଚଳଚ୍ଚିତ୍ର ଖୋଲା ଚୋଖ୍‌ (୧୯୯୦) ଦର୍ଶକଙ୍କ ଦ୍ବାରା ବେଶ୍ ଆଦୃତି ଲାଭ କରିଥିଲା। ପ୍ରଥମ ଥର ପାଇଁ ତ୍ରିଭାଷୀ ଚଳଚ୍ଚିତ୍ର ପ୍ରଯୋଜନାରେ ପାଦ ଥାପିଥିଲେ ଅମିୟ। ସେ ତିନିଟି ତ୍ରିଭାଷୀ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିଲେ। ସେଗୁଡ଼ିକ ହେଲା ପରଦେଶୀ ବାବୁ (୧୯୯୮), ରାଜାରାଣୀ (୧୯୯୯) ଓ ପରୀମହଲ (୨୦୦୬)। କିଛି ଦିନର ନିରବତା ପରେ ୨୦୧୫ ମସିହାରେ ପ୍ରଥମ ଓଡ଼ିଆ ବାୟୋପିକ୍‌ ‘ତୁଳସୀ ଅପା’ର ସେ ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରଟି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବହୁ ସମ୍ମାନ ହାସଲ କରିଥିଲା। ଏହି ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କ ପୁଅ ଅନୁପମ ପଟ୍ଟନାୟକ ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିଲେ।

୧୯୭୪ ମସିହାରେ ଆହ୍ଲାବାଦରେ ଅନୁଷ୍ଠିତ ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ପୁରସ୍କାର ଜିତିବା ସହ ୧୯୭୮ ମସିହାରେ ଲୋକନାଟକ ମହୋତ୍ସବରେ ଶ୍ରେଷ୍ଠ ନିର୍ଦେଶକ ପୁରସ୍କାର ଜିତିବା ପରେ ରାଉରକେଲାରେ ଗଢ଼ିଥିଲେ ‘ଟେକ୍‌ନୋ ଆର୍ଟ‌୍ସ’ ନାଟ୍ୟ ଦଳ। ଏହା ଜରିଆରେ ସେ ପୃଥକ ପୃଥିବୀ, ପଳାତକ, ଏକଲବ୍ୟ, ବରବଧୂ, ନିଶିପଦ୍ମା, ମୃଗନାଭି, ରୁଧିର କାବ୍ୟ, ବ୍ୟଭିଚାର, ନର୍କରେ ଚହଳ ଭଳି ନାଟକ କରି ଅଶି ଓ ନବେ ଦଶକରେ ନାଟ୍ୟ ଜଗତରେ ପତିଆରା ଜାହିର୍‌ କରିଥିଲେ।

ନାଟକ ଓ ଫିଲ୍ମ ସହ‌ ଛୋଟ ପଦରାରେ ମଧ୍ୟ ‌େଢର୍‌ ଅବଦାନ ଥିଲା। ଗୋଟିଏ ମନର କୋଟିଏ ସ୍ବପ୍ନ, ମାୟାର ସଂସାର, ଶାସ୍ତି, ବିତର୍କିତ ଅପରାହ୍‌ଣ, ମଲାଜହ୍ନ, ହରର୍‌ ଜୋନ୍‌ ଭଳି ଧାରାବାହିକ ଓ ଡକ୍ୟୁଡ୍ରମା ପ୍ରସ୍ତୁତ କରିବା ସହ ହିନ୍ଦୀ ଧାରାବାହିକ ଜାଗ୍‌ତେ ରହୋ ଓ ଆନିର ମଧ୍ୟ ପ୍ରଯୋଜନା କରିଥିଲେ।

ମୃତ୍ୟୁଶଯ୍ୟା ନିକଟରେ ଭାଇ ନିରଂଜନ ପଟ୍ଟନାୟକ, ବିଶ୍ବରଂଜନ ପଟ୍ଟନାୟକ, ଦୀପ୍ତିରଂଜନ ପଟ୍ଟନାୟକ, ସୌମ୍ୟରଂଜନ ପଟ୍ଟନାୟକ, ପତ୍ନୀ ସୀମା ପଟ୍ଟନାୟକ, ପୁତ୍ର ଅନୁପମ ପଟ୍ଟନାୟକ ଏବଂ ପୁତ୍ରବଧୂ ବର୍ଷା ପଟ୍ଟନାୟକଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଆଜି ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁତ୍ର ଅନୁପମ ମୁଖାଗ୍ନି ଦେଇଥିଲେ।

ଶେଷ ଦର୍ଶନ ପାଇଁ ଭିଡ଼

ଅମିୟ ପଟ୍ଟନାୟକଙ୍କ ବିୟୋଗ ସମସ୍ତଙ୍କୁ ଯେମିତି ସ୍ତବ୍ଧ କରି ଦେଇଥିଲା। ଖବର ପ୍ରସାର ହେବା ପରେ ଏବଂ ଭୁବନେଶ୍ବରରେ ତାଙ୍କର ମରଶରୀର ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚିଥିଲେ। ଚଳଚ୍ଚିତ୍ର, ନାଟକ, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ପ୍ରଶାସନ, ଶିଳ୍ପ ଦୁନିଆର ବହୁ ବ୍ୟକ୍ତିବିଶେଷଙ୍କ ସୁଅ ଛୁଟିଥିଲା ନିଜର ପ୍ରିୟ ମଣିଷକୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା, ଜଣେ ଭଲ ମଣିଷ ଚାଲିଗଲେ। ଚଳଚ୍ଚିତ୍ର ଜଗତର ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହାପାତ୍ର, ରାଜୁ ମିଶ୍ର, ପ୍ରଣବ ଦାସ, ତ୍ରିପୁରା ମିଶ୍ର, ଅଜିତ ଦାସ, ଦେବୁ ବ୍ରହ୍ମା, କୁନା ତ୍ରିପାଠୀ, ପ୍ରଦ୍ୟୁମ୍ନ ଲେଙ୍କା, ଚୌଧୁରୀ ବିକାଶ ଦାସ, ଅର୍ଜୁନ ଚରଣ ସାମଲ (କଣ୍ଠଶିଳ୍ପୀ), ମଳୟ ମିଶ୍ର (ସଂଗୀତ ନିର୍ଦେଶକ), ଶ୍ରୀତମ, ଶ୍ରୀକାନ୍ତ ଗୌତମ, ବିଭୂତି ତ୍ରିପାଠୀ, ଅରବିନ୍ଦ, ସଂଜୟ ନାୟକ (ପ୍ରଯୋଜକ), ସୋଫିଆ ଆଲାମ, ମନୋଜ ପଟ୍ଟନାୟକ, ସୁବୋଧ ପଟ୍ଟନାୟକ, ପ୍ରକାଶ ମହାରଣା, ଲାଲା ବୀରେନ୍ ରାୟ ଓ ହରେନ୍ ସାହୁ(ନାଟ୍ୟ ନିର୍ଦ୍ଦେଶକ) ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିରୋଧୀ ଦଳ ଉପନେତା ଚିରଂଜୀବୀ ବିଶ୍ବାଳ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅଂଶୁମାନ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ସୁର ରାଉତରାୟ, ସେକ୍‌ ମତଲୁବ୍‌ ଅଲ୍ଲୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍‌, ବାପି ସର୍ଖେଲ୍‌, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଯୁଧିଷ୍ଠିର ସାମନ୍ତରାୟ, ମିଲି ପଣ୍ଡା, କବି ହରପ୍ରସାଦ ଦାସ, ସାହିତ୍ୟିକ ଦାଶ ବେନହୁର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ଆଇପିଏସ୍ ଅଧିକାରୀ ଦୀପ୍ତେଶ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକ, ଟି ରାମଚନ୍ଦ୍ରୁ, କର୍ପୋରେଟର ମାନସିରାଣୀ ସୁନ୍ଦରାୟ, ସମୀର ପ୍ରଧାନ, ଅଶ୍ବିନୀ ସୁନ୍ଦରାୟ, ଶ୍ରୀୟା କମ୍ପ୍ଲେକ୍ସ ଏମ୍‌ଡି ବିଜେନ୍ଦ୍ର କୁମାର ମହାନ୍ତି, ସ୍ବସ୍ତି ଗ୍ରୁପ୍‌ ସିଏମ୍‌ଡି ଜିତେନ୍ଦ୍ର ମହାନ୍ତି, କ୍ରାଉନ୍ ହୋଟେଲ୍‌ର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦୟାନିଧି ଦାଶ, ସୌମ୍ୟଜିତ ପଟ୍ଟନାୟକ ଓ ସୂର୍ଯ୍ୟ ଦେଓଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

ସମ୍ବାଦ ଭବନରେ ଶୋକସଭା

ଭୁବନେଶ୍ବର : ଅମିୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକରେ ‘ସମ୍ବାଦ ଭବନ’ରେ ଏକ ଶୋକସଭା ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଓ କନକ ଟିଭିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ‘ସମ୍ବାଦ’ର ସମ୍ପାଦକ(ଫିଚର୍) ଗୌରହରି ଦାସ, ସିଓଓ କମଳାକାନ୍ତ ମହାପାତ୍ର, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର, ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ, ଉପ ମହାପ୍ରବନ୍ଧକ(ମାନବ ସମ୍ବଳ) ବୈଜୟନ୍ତୀ କର, ସମ୍ବାଦ ପୋର୍ଟାଲ୍‌ର ମୁଖ୍ୟ ଧ୍ରୁତିକାମ ମହାନ୍ତି ଓ କନକ ନ୍ୟୁଜ୍‌ର ମୁଖ୍ୟ ମନୋରଞ୍ଜନ ମିଶ୍ର ପ୍ରମୁଖ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ଅପରାହ୍ନରେ ସ୍ବର୍ଗତ ପଟ୍ଟନାୟକ ମରଶରୀର ସମ୍ବାଦ ଭବନ ପରିସରକୁ ଆସିଥିଲା ଓ କର୍ମଚାରୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର