ସାକ୍ଷୀଗୋପାଳ : ଆଜି ପବିତ୍ର ଅଁଳା ନବମୀ। ସରକାରଙ୍କ କୋଭିଡ୍ କଟକଣା ଯୋଗୁ ମନ୍ଦିରର ୨୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯିବ। ଶୁକ୍ରବାର ଭୋର ୪ଟାରୁ ରାତି ୧୧ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ।
ପ୍ରଶାସନିକ କଟକଣା ଫଳରେ ପ୍ରାୟ ଲକ୍ଷାଧିକ ଭକ୍ତ ଚଳିତ ବର୍ଷ ପ୍ରସିଦ୍ଧ ବୈଷ୍ଣବ ପୀଠ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ।ର ଦୁର୍ଲ୍ଲଭ ସୁଯୋଗ ପାଇପାରିବେ ନାହିଁ l ବର୍ଷକରେ କେବଳ ଅଁଳା ନବମୀ ତିଥିରେ ମାତ୍ର ଗୋଟିଏ ଦିନ ନିମନ୍ତେ ମା’ଙ୍କର ପାଦ ଦର୍ଶନର ସୁଯୋଗ ଭକ୍ତମାନେ ପାଇଥା’ନ୍ତି। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ସାକ୍ଷୀଗୋପାଳରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ସରକାରଙ୍କର କୋଭିଡ୍ କଟକଣା ଓ ପ୍ରଶାସନ ତରଫରୁ ମନ୍ଦିରର ୨୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ୧୪୪ ଧାରା ଜାରି ହୋଇଛି। ଫଳରେ ଭକ୍ତମାନଙ୍କ ସମାଗମ ବନ୍ଦ ରହିବ।
/sambad/media/post_attachments/wp-content/uploads/2021/11/Radha-Pada-Darshan-at-Sakhigopal-on-Anla-Nabami-620x330-1.jpg)
ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତ ଅଞ୍ଚଳରୁ ଆସିଥିବାରୁ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି। ଫଳରେ ବର୍ଷସାରା ଠାକୁରାଣୀଙ୍କ ପାଦ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ। ଆଜି ଗୋଟିଏ ଦିନ ନିମନ୍ତେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଓଡ଼ିଆଣୀ ବେଶ ହୋଇଥା’ନ୍ତି। ଫଳରେ ଠାକୁରାଣୀଙ୍କ ପିନ୍ଧା ବସନ ପାଦପଦ୍ମ ଉପରକୁ ଉଠି ରହିଥାଏ ଓ ଭକ୍ତମାନଙ୍କୁ ଠାକୁରାଣୀଙ୍କ ପାଦପଦ୍ମ ଦେଖିବାର ସୁଯୋଗ ମିଳିଥାଏ। ଆଜି ପୂର୍ବ ରାତ୍ରରୁ ଦେବନୀତି ସମ୍ପନ୍ନ କରାଯାଇ ଠାକୁରାଣୀଙ୍କୁ ଓଡ଼ିଆଣୀ ବେଶ କରାଯିବ। ସେହିପରି ଠାକୁର ଶ୍ରୀଶ୍ରୀ ଗୋପାଳ ଜିଉଙ୍କର ମନୋରମ ନଟବର ବେଶ ହେବ। ତେବେ କରୋନା ପାଇଁ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ବଦଳରେ କେବଳ ସେବାୟତ, ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଓ ପୁଲିସ ଫୋର୍ସ ଉପସ୍ଥିତ ରହିବେ। ଉପଜିଲ୍ଲାପାଳ ଭବତାରଣ ସାହୁ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ, ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରା,ଏସ୍ଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଦେବୀ ପ୍ରସାଦ ପାତ୍ର ପ୍ରମୁଖ ସମସ୍ତ ବ୍ୟବସ୍ଥାର ତଦାରଖ କରିବେ ବୋଲି ଜଣାପଡିଛି।