ଭୁବନେଶ୍ବର : ଜୁନ୍ ୧ରୁ ୧୭ଦିନ ଧରି ଚାଲିଥିବା ଅମଲା ସଂଘର ଆନ୍ଦୋଳନ ଆଜି ସ୍ଥଗିତ ହୋଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ସଂଘ ତରଫରୁ କୁହାଯାଇଛି।
ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଏକ ପ୍ରତିନିଧି ଦଳ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ଏବଂ ପ୍ରଶାସନିକ ଅଧିକାରୀ ଆଦିତ୍ୟ ମହାପାତ୍ରଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛି।
ସଂଘ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ଦରମାରେ ଗ୍ରେଡ୍ ପେ ଲେଭେଲ୍-୪ରୁ ଲେଭେଲ୍-୯କୁ ବୃଦ୍ଧି କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା। ଏହାସହ ଜିଲ୍ଲାସ୍ତରୀୟ ଅମଲାଙ୍କ ପଦୋନ୍ନତିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ଏଥିନିମନ୍ତେ ଆସନ୍ତା ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ କରିବାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଅମଲାମାନେ ସୋମବାରଠାରୁ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି।