ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଳାଣ୍ଟ୍‌ରେ ଅଘଟଣ: ପାରାଦୀପରେ ଆମୋନିଆ ଗ୍ୟାସ୍‌ ଲିକ୍‌: ୩ ଗୁରୁତର

ଫ୍ୟାକ୍ଟ୍ରି ବନ୍ଦ କଲା ଜିଲ୍ଲା ପ୍ରଶାସନ

ଜଗତସିଂହପୁର : ପାରାଦୀପ ଲକ୍ ଥାନା ଅଧୀନ ଗଡ଼ ନିକଟରେ ଥିବା ଏକ ଚିଙ୍ଗୁଡ଼ି ‌ପ୍ରୋସେସିଂ କମ୍ପାନି ଲକ୍ଷ୍ମୀନାରାୟଣ ଏକ୍ସପୋର୍ଟସରୁ ଗ୍ୟାସ୍ ଲିକ୍ ହୋଇ ପରିସ୍ଥିତି ସଙ୍ଗିନ ହୋଇଛି। ପାରାଦୀପରେ ‘ୟାସ୍‌’ ବାତ୍ୟା ତାଣ୍ଡବ ଆଶଙ୍କାରେ ପ୍ରଶାସନର ପ୍ରସ୍ତୁତି ଚାଲିଥିବା ବେଳେ ଏହି ଘଟଣା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। କାରଖାନାରୁ ନିର୍ଗତ ଆମୋନିଆ ଗ୍ୟାସ୍‌ ପ୍ରଭାବରେ ଦୁଇଜଣ ମହିଳା ଓ ଜଣେ ୮ ବର୍ଷର ଶିଶୁ ଅସୁସ୍ଥ ହୋଇ ପଡ଼ିବାରୁ ସେମାନଙ୍କୁ ତୁରନ୍ତ ଅଠରବାଙ୍କୀସ୍ଥିତ ବିଜୁ ମେମୋରିଆଲ ହସ୍‌ପିଟାଲ‌୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତେବେ ଆଶ୍ବସ୍ତିର କଥା ହେଲା ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ଖବର ମିଳିଛି।

ମିଳିଥିବା ସୂଚନା ମୁତାବକ, ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରି ଗୁଡ଼ିକରେ ଆମୋନିଆ ଗ୍ୟାସ୍ ଗଚ୍ଛିତ ରୁହେ। ଆଜି କୌଣସି କାରଣରୁ ସେଠାରେ ଦିନ ୧୨ଟାରେ ଗ୍ୟାସ୍ ଲିକ୍ ‌ଆରମ୍ଭ ହୋଇଥି‌ଲା। ଫଳରେ ଏହା ମଧ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ତୁରନ୍ତ ସମସ୍ତ କବାଟ ଝରକା ଖୋଲି ଦେଇଥିଲେ। କିନ୍ତୁ ସେହି କମ୍ପାନି ନିକଟରେ ଭଡ଼ାରେ ରହୁଥିବା ଲୋକମାନେ ହଠାତ୍ ଏହି ଗ୍ୟାସ୍ ସଂସ୍ପର୍ଶରେ ଆସିଥିବା  ତିନିଜଣ ଅଚେତ ହୋଇପଡ଼ିଥିବା ବେଳେ ଅନ୍ୟମାନଙ୍କ ଆଖି ପୋଡ଼ିବା ସହ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଏହି ସମୟରେ କମ୍ପାନି ପକ୍ଷରୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁଚରଣ ଧୀରଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ଏମରଜେନ୍ସି ରେସପନ୍ସ ସେଣ୍ଟରକୁ କମ୍ପାନିର କେହି ଜଣେ ଫୋନ୍ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଡ. ଧୀର ତୁରନ୍ତ ଇଫ୍‌କୋ ଓ ପିପିଏଲ୍‌କୁ ସହ ‌ଯୋଗାଯୋଗ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ପ୍ରଥମେ ଇଫ୍‌କୋର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି କମ୍ପାନିର ଗ୍ୟାସ୍ ଲିକ୍ ହେଉଥିବା ହୋସ୍‌ ପାଇପ୍‌କୁ  ତୁରନ୍ତ ବନ୍ଦ କରିଥିଲେ। ପରେ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧୀର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ସେଠୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପରବର୍ତୀ ଅଘଟଣକୁ ଏଡ଼ାଇବା ପାଇଁ କମ୍ପାନିକୁ ବନ୍ଦ କରି ଦିଆଯାଇଥିଲା। ଖବର ଲେଖା ହେବାବେଳକୁ ଫ୍ୟାକ୍ଟ୍ରି ଆଣ୍ଡ୍ ବୟଲର ବିଭାଗର ସହକାରୀ-ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳେଇ ଏ ନେଇ ଅଧିକ ତଦନ୍ତ ଚଳାଇଛନ୍ତି। କମ୍ପାନିର ସମସ୍ତ କାଗଜପତ୍ର ଓ ଗ୍ୟାସ୍ ଲିକ୍ କାରଣ ସମ୍ପର୍କରେ ତଦନ୍ତ ଚାଲିଛି। ଆବଶ୍ୟକ ପଡ଼ିଲେ କମ୍ପାନିକୁ ସିଲ୍ କରାଯିବ ବୋଲି ଶ୍ରୀ ଦଳେଇ କହିଛନ୍ତି।

ସମ୍ବନ୍ଧିତ ଖବର