ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ଭଳି ଜଣେ ମାନବ ଏ ଧରାପୃଷ୍ଠରେ ଚଳପ୍ରଚଳ କରୁଥିଲେ ବୋଲି ହୁଏତ ଆମ ଉତ୍ତରପିଢ଼ି ଭରସା କରିବେ ନାହିଁ। ପୁଣି ଏମିତି କମ୍‌ ଦେଶ ଥିବ ଯେଉଁଠାରେ ମହାତ୍ମାଙ୍କର ଗୋଟିଏ ପ୍ରତିମୂର୍ତି ନଥିବ। ଏବେକା ସମୟରେ କୁହାଯାଉଥିବା ଏହି ଦୁଇଟି କଥାରୁ ଗାନ୍ଧୀ କିଭଳି ଜଣେ ପ୍ରେରଣାଦାୟୀ ମଣିଷ ଥିଲେ, ତାହା ସହଜରେ ଅନୁମେୟ। କିନ୍ତୁ ଆଜିକା ସମୟରେ ଇତିହାସର ପୁନର୍ଲିଖନ ହେଉଛି, ଆମ ବିଚାରଧାରାକୁ ଆ‌ଉଥରେ ବଦଳାଇବାକୁ ଉଦ୍ୟମ ଚାଲିଛି। ଏଭଳି ସମୟରେ ମହାତ୍ମାଙ୍କୁ ନେଇ, ତାଙ୍କ ଆଦର୍ଶ ଓ ଜୀବନୀକୁ ନେଇ ଲିଖିତ କବିତାଗୁଡ଼ିକୁ ନେଇ ସମ୍ପାଦିତ ପୁସ୍ତକ ‘ଅମୃତ ଆହ୍ବାନ: ବାପୁ’ ନିଶ୍ଚିତ ଭାବେ ଗାନ୍ଧୀ ବିଚାରଧାରାକୁ ସୁରକ୍ଷିତ ରଖିବା ଦିଗରେ ସହାୟ ହେବ। ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ ଡାକ୍ତର ଅନୀତା ପଣ୍ଡାଙ୍କ ସମ୍ପାଦିତ ଏହି ପୁସ୍ତକକୁ ଉନ୍ମୋଚନ କରି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗାନ୍ଧୀଙ୍କୁ ଭଲ ପାଉଥିବା ଲୋକଙ୍କ ଅପେକ୍ଷା ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଦେବତା ଭଳି ପୂଜା କରିବାକୁ ଉଦ୍ୟମ କରୁଥିବା ଲୋକମାନଙ୍କୁ ଏଭଳି ପୁସ୍ତକ ପଢ଼ିବାର ଆବଶ୍ୟକତା ରହିଛି।

Advertisment

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ହିମାଂଶୁ ଖଟୁଆ ମୁଖ୍ୟ ଅତିଥି ଭାବେ ଭାବେ ଯୋଗ ଦେଇ କହିଲେ, ଆମ ଭିତରେ ଅନେକ କଥା ସୁପ୍ତ ଅବସ୍ଥାରେ ଅଛି। ଯେମିତି ଅହିଂସା ଆମ ଭିତରେ ହିଁ ଥିଲା। କିନ୍ତୁ ଏହାକୁ ଏକ ମହା ଅସ୍ତ୍ର କରାଯାଇପାରେ, ତାହା ମହାତ୍ମା ଶିଖାଇଥିଲେ। ମୁକ୍ତ ଚିନ୍ତନର କଥା କହୁଥିଲେ ଗାନ୍ଧୀ। ଏଣୁ ସମସ୍ତେ ମୁକ୍ତ ଭାବେ ଚିନ୍ତା କରିବା ସହ ନିଜ କଥାକୁ ବିନା ଦ୍ବିଧାରେ ପ୍ରକାଶ କରିବା ଉଚିତ।

‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ବିଶିଷ୍ଟ କଥାକାର ଗୌରହରି ଦାସ, ସ୍ତମ୍ଭକାର ଅସିତ ମହାନ୍ତି, ଲେଖକ ରମେଶ ଦାସ, ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ସଙ୍ଗୀତ ପ୍ରଧ୍ୟାପକ ଚିତ୍ତରଞ୍ଜନ ପାଣି, ଗୀତିକବି ଗୀତାଞ୍ଜଳି ପାଣି, କମଳ କୁମାରୀ ଦାସ, ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ତ୍ରିପାଠୀ, ଗୁରୁକଲ୍ୟାଣ ମହାପାତ୍ର ଓ ପୁସ୍ତକର ପ୍ରକାଶକ ବିଭୁପ୍ରସୂନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଲେଖକ ରମେଶ ଦାସଙ୍କ ପୁସ୍ତକ ‘ଉପଲବ୍ଧିର ଉଦ୍‌ଭାସ’ ଉନ୍ମୋଚିତ ହୋଇଥିଲା। ଯୁବ ସାହିତ୍ୟିକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଦେଇଥିଲେ।