ସର୍ବକ୍ଷମା ବିଜ୍ଞପ୍ତି ପ୍ରକାଶ ପାଇଲା : ବେଆଇନ ନିର୍ମାଣକୁ କ୍ଷମା

ଭୁବନେଶ୍ୱର : ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଯଦି କେହି କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ବା ଅନୁମୋଦନ ଠାରୁ ଅଧିକ ଅଞ୍ଚଳରେ ଆବାସିକ ଘର, ଆପାର୍ଟମେଣ୍ଟ, ହସ୍ପିଟାଲ, ସରକାରୀ କିମ୍ବା ବେସରକାରୀ କାର୍ଯ୍ୟାଳୟ ବା କୌଣସି ପ୍ରକାରର ନିର୍ମାଣ କରିଛନ୍ତି ସେମାନଙ୍କୁ କ୍ଷମା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସର୍ବକ୍ଷମା ଯୋଜନା ଆସିଛି। ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଥିବା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥିରୀକୃତ ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡସ ରେଗୁଲେସନ୍ସ ଅଧୀନରେ ଥିବା ନିୟମାବଳୀ ଅନୁସାରେ ନୂତନ ଭାବେ ପ୍ରଣୟନ କରାଯାଇଥିବା ‘ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା -୨୦୧୮’ରେ ଏହି ବିଜ୍ଞପ୍ତି ଜାରି ହୋଇଛି।

ଉନ୍ନୟନ କର୍ତ୍ତୃପକ୍ଷ ଅଧୀନରେ ଥିବା ଗ୍ରାମାଞ୍ଚଳ, ଏନ୍‌ଏସି, ମ୍ୟୁନିସପାଲଟି, ମହାନଗର ନିଗମ ଅଞ୍ଚଳ ପାଇଁ ଥିବା କମ୍ପାଉଣ୍ଡିଂ ଫି’ର ୧.୧ଗୁଣାରୁ ୧.୪ ଗୁଣା ପର୍ଯ୍ୟନ୍ତ ଜରିମାନା ଦେଇ ସମସ୍ତ ବିନା ଅନୁମୋଦିତ ନିର୍ମାଣକୁ ଆଇନସମ୍ମତ କରିବାକୁ ସୁଯୋଗ ଦିଆଯାଇଛି। ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଯଥା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, କଟକ ଉନ୍ନୟନ କର୍ତ୍ତୃପକ୍ଷ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ, ତାଳଚେର-ଅନୁଗୁଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ଏହି ସର୍ବକ୍ଷମା ଯୋଜନା ଲାଗୁ ହୋଇଛି। ଆସନ୍ତା ୬ମାସ ମଧ୍ୟରେ ଏନେଇ ଆବଦେନ କରିହେବ।

ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ସର୍ବକ୍ଷମା ନେଇ ସବିଶେଷ ଆଲୋଚନା ହେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଭାଗ ପକ୍ଷରୁ କୁହାଯାଇଛି ଯେ, ସାଧାରଣ ଲୋକ ଯେପରି ସେମାନଙ୍କର ବେଆଇନ ନିର୍ମାଣକୁ ଆଇନସମ୍ମତ କରିପାରିବେ ସେଥିପାଇଁ ସର୍ବକ୍ଷମା ଯୋଜନାରେ ଆବଶ୍ୟକୀୟ ବ୍ୟବସ୍ଥା ହୋଇଛି। ଧାର୍ଯ୍ୟ ହୋଇଥିବା ଫି’ ଦାଖଲ କଲେ ସମସ୍ତ ବିନା ପ୍ଲାନ୍‌ରେ ନିର୍ମାଣ ଆଇନସମ୍ମତ ହେବ। ଆବେଦନର ଦୁଇ ମାସ ମଧ୍ୟରେ ନିର୍ମାଣର ପ୍ଲାନ୍‌ ଅନୁମୋଦନ କରାଯିବ।

ଯେଉଁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ଯେତେ କମ୍ପାଉଣ୍ଡିଂ ଫି’ (ପ୍ଲାନ୍‌ ଅନୁମୋଦନ ପାଇଁ ବର୍ଗମିଟର ପିଛା ଦେଉଥିବା ଫି’) ଅଛି ତାହାର ୧.୧ଗୁଣାରୁ ୧.୪ଗୁଣା ପର୍ଯ୍ୟନ୍ତ ଜରିମାନା ଦେଇ ରେଗୁଲାରାଇଜ୍‌ କରିପାରିବେ। ରାଜ୍ୟର ୫ଟି ଯାକ ମହାନଗର ନିଗମ ଅଞ୍ଚଳରେ ଯେତିକି କମ୍ପାଉଣ୍ଡିଂ ଫି’ ଅଛି ତା’ର ୧.୪ଗୁଣ ଫି’ ଦେବାକୁ ପଡ଼ିବ। ସେହିପରି ମ୍ୟୁନିସପାଲଟି ଅଞ୍ଚଳ ପାଇଁ ୧.୩ ଗୁଣା, ଏନ୍‌ଏସି ଅଞ୍ଚଳ ପାଇଁ ୧.୨ଗୁଣା, ଗ୍ରାମାଞ୍ଚଳ ପାଇଁ ୧.୧ଗୁଣା ଫି’ ଦେଇ ନିଜର ଘରକୁ ରେଗୁଲାରାଇଜ୍‌ କରିପାରିବେ।

ସେହିପରି ମହାନଗର ନିଗମ ଅଞ୍ଚଳରେ ଯଦି ନିୟମ ଅନୁଯାୟୀ ପାର୍କିଂ ପାଇଁ ଜାଗା ଛଡ଼ାଯାଇନଥିବ ତେବେ ଆବାସିକ ଘର ପାଇଁ ବର୍ଗମିଟର ପିଛା ୧୦ହଜାର ଟଙ୍କା, ଅଣ ଆବାସିକ ପାଇଁ ୧୭,୫୦୦ଟଙ୍କ ଧାର୍ଯ୍ୟ ହୋଇଛି। ମ୍ୟୁନିସପାଲଟିରେ ଏହା ବର୍ଗମିଟର ପିଛା ଯଥାକ୍ରମେ ୮ହଜାର ଓ ୧୫ହଜାର, ଏନ୍‌ଏସିରେ ୬ହଜାର ଓ ୧୩ହଜାର ଏବଂ ଗ୍ରାମାଞ୍ଚଳରେ ୫ହଜାର ଓ ୧୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି।

ଆଦାୟ ହେବାକୁ ଥିବା ସମସ୍ତ ଫି’ ଉନ୍ନୟନ କର୍ତ୍ତୃପକ୍ଷଙ୍କର ସିଡିପି ଇନଫ୍ରାଷ୍ଟ୍ରକଚର୍‌ ଡେଭଲପମେଣ୍ଟ ଫଣ୍ଡରେ ଜମା ହେବ। ଏହା କେବଳ ପାର୍କିଂ ଭିତ୍ତିଭୂମିରେ ଖର୍ଚ୍ଚ ହେବ।

ନଗର ଉନ୍ନୟନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଟିକିଆ ଘର ପାଇଁ ସର୍ବକ୍ଷମାରେ କୋହଳ ନୀତି ଆପଣାଯାଇଛି। ଯଦି ଘର ନିର୍ମାଣ ସମୟରେ ଚାରିକଡ଼େ କିଛି ସ୍ଥାନ ଛାଡ଼ି ନଥିବେ ତେବେ ତାଙ୍କ ଠାରୁ ସର୍ବକ୍ଷମାରେ ଜରିମାନା ନେଇ ପ୍ଲାନ୍‌ ଦେଇ ଦିଆଯିବ। କିନ୍ତୁ ବହୁତଳ ପ୍ରସାଦ,ଆପାର୍ଟମେଣ୍ଟ,ହସ୍ପିଟାଲ, କ୍ଲିନିକ, ସିନେମା ହଲ୍‌ ଆଦି କ୍ଷେତ୍ରରେ ନିୟମ କୋହଳ କରାଯିବନି। ଏଠାରେ ଚାରି ପାର୍ଶ୍ୱରେ ଯେତିକି ଜାଗା ଛାଡ଼ିବାକୁ ନିୟମ ଅଛି ସେଥିକି ନଥିଲେ ସର୍ବକ୍ଷମାରେ ଏହାକୁ ମଞ୍ଜୁରୀ ମିଳିବନି। ସେହିପରି ଯଦି ସରକାରୀ ଜମିରେ କୌଣସି ନିର୍ମାଣ ହୋଇଥିବ ତେବେ ଏହାକୁ ରେଗୁଲାରାଇଜ୍‌ କରାଯିବନି, ଡ୍ରେନ୍‌, ସରକାରୀ ବା ଘରୋଇ ରାସ୍ତା ଉପରେ କୌଣସି ନିର୍ମାଣ ହୋଇଥିଲେ, ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯେଉଁ ଜୋନ୍‌ରେ ଘର ନିର୍ମାଣ ଉପରେ ରୋକ୍‌ ଲାଗିଥିବ ସେଠାରେ କିଛି ନିର୍ମାଣ ହୋଇଥିଲେ ପ୍ଲାନ୍‌ ରେଗୁଲାରାଇଜ୍‌ କରାଯିବନି।

ବୃହତ୍ତ ନିର୍ମାଣ କ୍ଷେତ୍ରରେ ପୌରସଂସ୍ଥାରୁ ପାରିପାର୍ଶ୍ୱିକ ଭିତ୍ତିଭୂମି ଉନ୍ନତିକରଣ ଅନ୍ତର୍ଗତ ଏନ୍‌ଓସି ଆଣିବା ପାଇଁ କୁହାଯାଇଛି। ଯଦି କେହି ନିଜ ଘରକୁ ଜିରୋ ସେଟବ୍ୟାକ୍‌ରେ ଅନୁମୋଦନ କରିବାକୁ ଚାହୁଁଥିବେ ତେବେ ପଡ଼ୋଶୀଙ୍କ ଠାରୁ ଏନ୍‌ଓସି ଆଣିବାକୁ ହେବ। ୩୦୦ବର୍ଗମିଟର ପର୍ଯ୍ୟନ୍ତ ଜମିର ନିୟମିତିକରଣ ପାଇଁ କାହାର ଏନ୍‌ଓସି ଆବଶ୍ୟକ ନାହିଁ। ୩୦୦ ବର୍ଗମିଟରରୁ ଅଧିକ ପ୍ଲଟରେ ଅନୁମୋଦିତ ପ୍ଲାନ୍‌ ଉଲ୍ଲଂଘନ ଏବଂ ପାର୍କିଂ ଉଲ୍ଲଂଘନ ନିୟମକୁ କୋହଳ କରି ନିୟମିତ କରାଯାଇପାରିବ। ଆବାସିକ ଆପାର୍ଟମେଣ୍ଟ କ୍ଷେତ୍ରରେ ୫୦% ପାର୍କିଂ ବ୍ୟବସ୍ଥା ରହିଥିଲେ ଏବଂ େଓ୍ଵଲଫେୟାର ଆସୋସିଏସନର ସହମତି ରହିଥିଲେ ପ୍ଲାନ୍‌ ଉଲ୍ଲଂଘନକୁ ନିୟମିତ କରାଯାଇପାରିବ। ଅଗ୍ନିଶମ ସମ୍ପର୍କିତ ସ୍ଥାପନା ଯଥା ଭୂତଳ ପାଣି ଟାଙ୍କି ଏବଂ ଛାତ ଉପରେ ଟାଙ୍କି ରଖିବା ବାଧ୍ୟତାମୂଳକ କରାଯାଇଛି। ଉଚ୍ଚ ଅଟ୍ଟାଳିକା କ୍ଷେତ୍ରରେ ସେଟ୍‌ ବ୍ୟାକ୍‌ କୋହଳ ହୋଇଥିବାବେଳେ ପାର୍କିଂ କ୍ଷେତ୍ରରେ ୨୫% କୋହଳ କରାଯାଇଛି।

ସେହିପରି ସମସ୍ତ ହସ୍ପିଟାଲ ଏବଂ କ୍ଲିନିକ୍‌ ପାଇଁ ୨୦୦ ବର୍ଗମିଟରରୁ ହଜାରେ ବର୍ଗମିଟର ଜମିରେ ଥିବା ଅନୁଷ୍ଠାନ ପାଇଁ ଆପ୍ରୋଚ୍‌ ରୋଡ୍‌ ୬ମିଟର ଚଉଡ଼ା ରଖିବା ବାଧ୍ୟତାମୂଳକ କରାଯାଇଛି। ଯେଉଁଠି ରାସ୍ତା ୩ମିଟର ଚଉଡ଼ା ଥିବ କିମ୍ବା ୬ମିଟର ଚଉଡାର ରାସ୍ତା ପ୍ଲଟ୍‌ର ପଛ ପାର୍ଶ୍ୱରେ ଥିବ ସେଠାରେ ନିୟମ କୋହଳ କରାଯିବ। ୧୮ମିଟର ଉଚ୍ଚା କୋଠା ପାଇଁ ରାସ୍ତା ୯ମିଟର ଚଉଡ଼ା ଏବଂ ୧୮ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ କୋଠା ପାଇଁ ରାସ୍ତା ୧୨ମିଟର ଚଉଡ଼ା ହେବ। ଏଥିରେ ନିୟମ କୋହଳ ହେବନି। ଉଚ୍ଚ ଅଟ୍ଟାଳିକା ହୋଇନଥିବା ସ୍ୱାସ୍ଥ୍ୟ ସଂସ୍ଥା ପାଇଁ ପାର୍କିଂ ସ୍ଥାନ କୋହଳ କରାଯିବ। କିନ୍ତୁ ୭୫% ପାର୍କିଂ ଆବଶ୍ୟକତା ପୂରଣ ହେଉଥିବା ଦରକାର।

ସୂଚନାଯାଗ୍ୟ ଯେ, ୨୦୦୭-୦୮ରେ ବିଡିଏ ସର୍ବକ୍ଷମା ଯୋଜନା ଆଣିଥିବାବେଳେ ଏହା ବିଶେଷ ଫଳପ୍ରଦ ହୋଇନଥିଲା। ତେଣୁ ଏବେ ଆସିଥିବା ସର୍ବକ୍ଷମା ସଫଳ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

କେମିତି କରିବେ ଆବେଦନ ସର୍ବକ୍ଷମା ଯୋଜନାରେ ଆବଦେନ କରିବା ପାଇଁ ନିର୍ମାଣ ହୋଇଥିବା ବିଲଡିଂର ୪ ସେଟ୍‌ ପ୍ଲାନ୍‌ କପି, ଲେ ଆଉଟ୍‌ ପ୍ଲାନ୍‌, ଫ୍ଲୋର୍‌ ପ୍ଲାନ୍‌, ଚାରି ପଟେ କ’ଣ ଅଛି, କେତେ ଜମି ଛଡ଼ା ଯାଇଛି, ଡ୍ରେନେଜ୍‌ ଓ ସ୍ୱେରେଜ୍‌ ପ୍ଲାନ୍‌, ଜମି ମାଲିକ/ଡେଭଲପର ଏବଂ ଆର୍କିଟେକ୍ଟଙ୍କ ଦସ୍ତଖତ, ଜମି ମାଲିକନାର କପି, ଯଦି ପୂର୍ବରୁ ଘର ନିର୍ମାଣ ପାଇଁ କର୍ତ୍ତୃପକ୍ଷଙ୍କର ପ୍ଲାନ୍‌ ନେଇଥିବେ ତାହାର କପି, ଘର ନିର୍ମାଣ ହୋଇଥିଲେ ଏହାର ଦୁଇଟି ଦିଗରୁ ଉଠା ଯାଇଥିବା ଫଟୋ (ଫଟୋକୁ ଆର୍କିଟେକ୍ଟଙ୍କ ଦ୍ୱାରା ଆଟେଷ୍ଟେଡ୍‌ କରିବାକୁ ପଡ଼ିବ), କାଉନସିଲ୍‌ ଅଫ୍‌ ଆର୍କିଟେକଚର୍‌ ଦ୍ୱାରା ପଞ୍ଜୀକୃତ ହୋଇଥିବା ଆର୍କିଟେକ୍ଟ କ୍ଷେତ୍ର ପରିଦର୍ଶନ କରିଥିବାର ସାର୍ଟିଫିକେଟ (ତାରିଖ ସହ), ଯେଉଁଠି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ଥିବ ସେହି କ୍ଷେତ୍ରରେ ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍‌, ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଷ୍ଟ୍ରକଚରାଲ୍‌ ସେଫ୍‌ଟି ସାର୍ଟିଫିକେଟ୍‌, ଯଦି ପାରିପାର୍ଶ୍ୱିକ ଉନ୍ନତୀକରଣ ପାଇଁ ଯୋଜନା ଥିବ ତେବେ ପୌର ସଂସ୍ଥା କର୍ତ୍ତୃପକ୍ଷଙ୍କ ଠାରୁ ଏନ୍‌ଓସି, ପଡ଼ୋଶୀଙ୍କ ଠାରୁ ଏନ୍‌ଓସି ଆଦି ଆଣିବାକୁ ପଡ଼ିବ। ଏହାସହ ଏଏସ୍‌ଆଇ, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିୟମକୁ ଉଲ୍ଲଂଘନ କରୁଥିଲେ ସେମାନଙ୍କ ଠାରୁ ଏନ୍‌ଓସି ଆଣିବାକୁ ହେବ। ଏହି ସମସ୍ତ ଡକୁମେଣ୍ଟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର