କରଞ୍ଜିଆ/କରଞ୍ଜିଆଗୋଲେଇ/ସିଙ୍ଗଡ଼ା : ହାତୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ସହାୟତା ପାଣ୍ଠିରୁ ଆସିଥିବା ଟଙ୍କାକୁ ବନ ବିଭାଗ କର୍ମଚାରୀ ହଡ଼ପ କରି ଅଡୁଆରେ ପଡ଼ିଛନ୍ତି। ଏହି ଘଟଣାରେ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ଅଫିସରଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଅନୁକମ୍ପା ରାଶି ଆତ୍ମସାତ କରିଥିବା ଡାଟା ଏଣ୍ଟ୍ରି ଅପରେଟର ମୃତ୍ୟୁଞ୍ଜୟ ପଣ୍ଡାଙ୍କୁ ପୁଲିସ ଗିରଫ କରିଛି।
କରଞ୍ଜିଆ ବ୍ଲକ ଦୁଧିଆଣି ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଚାଷୀମାନେ ପାଇବାକୁ ଥିବା ୪୬,୬୦୦ ସରକାରୀ ସହାୟତା ରାଶିକୁ ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ପଣ୍ଡା ତଞ୍ଚକତା କରି ନିଜ ବ୍ୟାଙ୍କଖାତାକୁ ଟ୍ରାନ୍ସଫର୍ କରିଦେଇଥିଲେ। ସହାୟତା ରାଶି ନ ପାଇବାରୁ କିଛି ଚାଷୀ ଟାଇସିରା ବନ ବିଭାଗ ବିଟ୍ କାର୍ଯ୍ୟାଳୟକୁ ଯାଇ ଫେରାଦ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ସେପଟେ ବିଭାଗୀୟ ରେଞ୍ଜ ଅଫିସର ମଧ୍ୟ ଏହାକୁ ଗୁରୁତ୍ବ ଦେଇନଥିଲେ। ଏ ନେଇ ଏକ ବଡ଼ଧରଣର ଘୋଟାଲା ହୋଇଥିବା ଜଣେ କ୍ଷତିଗ୍ରସ୍ତ ଚାଷୀ ୫ଟି ସଚିବ ଏବଂ କରଞ୍ଜିଆ ଡିଏଫ୍ଓଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହା ପରେ ଘଟଣାର ତନାଘନା ଆରମ୍ଭ ହୋଇଥିଲା। ନିଜେ କରଞ୍ଜିଆ ବନଖଣ୍ଡ ଅଧିକାରୀ ସାଇକିରଣ କ୍ଷତିଗ୍ରସ୍ତ ଚାଷୀଙ୍କ ଟଙ୍କା ଆତ୍ମସାତ ହୋଇଥିବା ଜାଣିବା ପରେ ଗତ ୬ ତାରିଖରେ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ। ସହାୟତା ରାଶି ହଡ଼ପ କରିଥିବାର ଆପାତତଃପ୍ରମାଣ ମିଳିବା ପରେ କେସ୍ ନମ୍ବର ୨୫୮/୨୧ରେ ମାମଲା ରୁଜୁ କରି ପୁଲିସ ଡାଟା ଏଣ୍ଟ୍ରି ଅପରେଟର ମୃତ୍ୟୁଞ୍ଜୟ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କରଞ୍ଜିଆ ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଇ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟରେ ଅବହେଳା ପାଇଁ ଦୁଧିଆଣି ରେଞ୍ଜ ଅଧିକାରୀ ସରୋଜ ପଣ୍ଡାଙ୍କୁ କରଞ୍ଜିଆ ବନଖଣ୍ଡ ଅଧିକାରୀ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/arrest-ff.jpg)