ଅଣସଂକ୍ରାମକ ରୋଗକୁ ରୋକିବା ପାଇଁ ପ୍ୟାକେଜ୍‌ ଖାଦ୍ୟରେ ପୁଷ୍ଟିକର ମାତ୍ରାକୁ ସ୍ପଷ୍ଟ ପ୍ରକାଶ କରାଯାଉ

ଭୁବନେଶ୍ୱର : ଅଣସଂକ୍ରାମକ ରୋଗକୁ ରୋକିବାରେ ପ୍ୟାକେଜ୍‌ ଫୁଡ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ। ତେଣୁ ପ୍ୟାକେଜ୍‌ ଫୁଡ୍‌କୁ ଅଧିକ ପୁଷ୍ଟିକର ଓ ସୂଚନାତ୍ମକ କରାଯିବ, ସେନେଇ ଏକ ୱେବିନାର୍‌ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ରର ଗୁରୁକୃପା ବିକାଶ ସଂସ୍ଥା, ଓଡ଼ିଶାର ହେଲ୍ପ ଏବଂ ରୁରାଲ ଡେଭଲପ୍ଟେଣ୍ଟ ଆକ୍ସନ ସେଲ୍‌ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଖାଦ୍ୟ ଶିଳ୍ପ ପ୍ରତିନିଧି, ଡାକ୍ତର, ସରକାରୀ ଅଧିକାରୀ ଏବଂ ୫୦ରୁ ଊର୍ଧ୍ବ ବୁଦ୍ଧିଜୀବୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ। ଏହାକୁ ‘ପୁଷ୍ଟିକର ପ୍ରଥମ’ର ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଅମଳିନ ପଟ୍ଟନାୟକ ପରିଚାଳନା କରିଥିଲେ।

ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ପି.କେ.ବି ପଟ୍ଟନାୟକ ଅଂଶଗ୍ରହଣ କରି କହିଥିଲେ, ଆଜିକାଲି ଗାଁ ଗହଳ ଓ ସହରରେ ପ୍ୟାକେଜ୍‌ ଫୁଡ୍‌ ସହଜରେ ଉପଲବ୍ଧ। କିନ୍ତୁ ଅନେକ କ୍ଷେତ୍ରରେ ଏଥି ମଧ୍ୟରେ ପୁଷ୍ଟିକର ମାତ୍ରାରେ ଅସାମଞ୍ଜସ୍ୟ ହେତୁ ଏହା ଅଣସଂକ୍ରାମକ ରୋଗକୁ ପ୍ରୋତ୍ସାହିତ କରିଥାଏ। ମେଦବହୁଳତା, ମଧୁମେହ ଏବଂ ହୃଦ୍‌ରୋଗ ପରି ଅନେକ ଅଣସଂକ୍ରାମକ ରୋଗରେ ପୀଡ଼ିତ ଲୋକମାନେ କୋଭିଡ୍‌ ସଂକ୍ରମଣ ପ୍ରତି ଅଧିକ ସମ୍ବେଦନଶୀଳ। ତେଣୁ ପ୍ୟାକେଜ୍‌ ଫୁଡ୍‌କୁ ଅଧିକ ସ୍ବାସ୍ଥ୍ୟ ଉପଯୋଗୀ କରିବା ପାଇଁ ପ୍ୟାକେଜ୍‌ ସମ୍ମୁଖରେ ସ୍ପଷ୍ଟ ସୂଚନା ଦେବା ଆବଶ୍ୟକ। ଖାଦ୍ୟ ଶିଳ୍ପାନୁଷ୍ଠାନମାନେ ଏହାକୁ ପାଳନ କରିବା ଜରୁରୀ। ଆଲୋଚନା‌ରେ ବିକଳାନନ୍ଦ କର, ରୁଚି, ଫ୍ରଜିଟ୍‌, ଏସାର ବେକେରି, ରୁଚକ ଇଣ୍ଡିଆ ସ୍ନାକ୍ସ ଏବଂ କଳିଙ୍ଗ ବେକେରି ଆଦି ବିଭିନ୍ନ ଖାଦ୍ୟ ଶିଳ୍ପସଂସ୍ଥାର ପ୍ରମୁଖ ପ୍ରତିନିଧିମାନେ ଅଂଶଗ୍ରହଣ କରିବା ସହ ପୁଷ୍ଟିକର ଖାଦ୍ୟ ଓ ଉପଯୁକ୍ତ ମାତ୍ରାକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଦର୍ଶାଇଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶା ଖାଦ୍ୟ ସୁରକ୍ଷା ବିଭାଗର ନିଯୁକ୍ତ ଅଧିକାରୀ ସତ୍ୟଜିତ ପଟେଲ ଓ ସନ୍ତୋଷ ମହାପାତ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ସହଯୋଗୀ ପ୍ରଫେସର ଡା. ସିକତା ନନ୍ଦ ପ୍ରମୁଖ ଯୋଗଦେଇ ମତ ରଖିଥିଲେ।

ସମ୍ବନ୍ଧିତ ଖବର